ଭୁବନେଶ୍ବର: ‘ଚକଲେଟ୍ ପ୍ରଡକ୍ସନ୍ସ’ ପ୍ରଯୋଜିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ୧୭ ତମ ସୋ’ ପୂର୍ଣ୍ଣ ପ୍ରେକ୍ଷାଳୟରେ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି। ଏଥିରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମଞ୍ଚରେ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ନାଟକ ‘ଆହେ ନୀଳଶଇଳ’ ଦେଖି ସାରିବା ପରେ କମିସନର ଭାବବିହ୍ବଳ ହୋଇ କହିଲେ ନାଟକ ଦେଖିବା ବେଳେ ଯେମିତି ଶ୍ରୀମନ୍ଦିରରେ ରହିବା ଭଳି ମନେ ହେଉଥିଲା।
ସତରେ ଭାବରେ ବୁଡ଼ି ମହାପ୍ରଭୁଙ୍କ ନାଟକ ଦେଖିବାର ଏ ଅନୁଭୂତି ଅନନ୍ୟ। ପୂର୍ବରୁ କେବେ ଏଭଳି ଅନୁଭବ ହୋଇ ନଥିଲା ବୋଲି ସେ କହିଥିଲେ। ଏଥିସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ନାଟକର ରୂପକାର ତଥା ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ଟିମ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ମଞ୍ଚରେ ତନୟା ପଟ୍ଟନାୟକଙ୍କ ସମେତ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ, କଳାକାର ଓ ସହଯୋଗୀ ଟିମ୍ ଉପସ୍ଥିତ ଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ନାଟକ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହେବ।