ସଂଗ୍ରହାଳୟ ଜ୍ଞାନାଗାର: ପୁଣି ୫ ଗ୍ୟାଲେରିର ପ୍ରତିଶ୍ରୁତି

ଭୁବନେଶ୍ବର: ବହଳ ଗଛର ଛାଇ ତଳେ ସଜେଇ ହୋଇଥିଲା ମୁକ୍ତାକାଶ ମଞ୍ଚ। ଝୋଟି ଚିତାରେ ଝଟକୁଥିଲା ଚାଳ ଘର। ମଞ୍ଚ ଉପରେ ବିଶ୍ବାସର ପ୍ରତୀକ ସ୍ବରୂପ ଛିଡ଼ା ହୋଇଥିଲେ ବୃକ୍ଷ ଦେବୀ। ଓଡ଼ିଆଣୀ ବେଶଭୂଷା ସାଙ୍ଗକୁ ଓଡ଼ିଆ ପିଠାରେ ମହକୁଥିଲା ପରିସର। ଆଜି ଏମିତି ଏକ ମନୋରମ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା ରାଜ୍ୟ ସଂଗ୍ରହାଳୟର ୬୧ତମ ପ୍ରତିଷ୍ଠା ଦିବସ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବବର୍ଷ ଭଳି ଏଥର ବି ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସରେ ୫ ନୂଆ ଗ୍ୟାଲେରିର ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ପୂର୍ବ ବର୍ଷ ହୀରକ ଜୟନ୍ତୀର ନିଜ ଅଭିଭାଷଣକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉକ୍ତ ପ୍ରତିଶ୍ରୁତିକୁ ପୁଣି ଦୋହରାଇଥିଲେ। ତେବେ ଘୋଷଣା ମୁତାବକ ଅନ୍ୟ ଗ୍ୟାଲେରି ଏପର୍ଯ୍ୟନ୍ତ ସ୍ଥାପନ ହୋଇ ପାରିଲା ନାହିଁ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଗାନ୍ଧୀଙ୍କ ସମ୍ପର୍କରେ’ ବକ୍ତବ୍ୟ ଦେଇ କହିଲେ, ସମୂହ ପ୍ରତି ସମର୍ପିତ ବ୍ୟକ୍ତି ହେଉଛି ଆଧ୍ୟାତ୍ମିକ ବ୍ୟକ୍ତି। ଗାନ୍ଧିଜୀ ଥିଲେ ସେଇଭଳି ଚରମ ଆଧ୍ୟାତ୍ମିକ ବ୍ୟକ୍ତି। କୋହିନୂର ହୀରାଠୁ ବି ଗାନ୍ଧୀ ଥିଲେ ମୂଲ୍ୟବାନ। ତାଙ୍କର ଅନୁଶୀଳନ ଚିରନ୍ତନ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ଥିଲା। ସେଥିପାଇଁ ଗାନ୍ଧୀ ସାରାବିଶ୍ବର ସଂଗ୍ରହାଳୟର ବିଷୟବସ୍ତୁ ହୋଇ ପାରିଛନ୍ତି। ସଂଗ୍ରହାଳୟ ସମ୍ପର୍କରେ ମତ ରଖି ସେ କହିଲେ, ସଂଗ୍ରହାଳୟ ହେଉଛି ଜ୍ଞାନାଗାର। ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ବର ବିଭିନ୍ନ ସଂଗ୍ରହାଳୟର ଉଦାହରଣ ଦେଇଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ଦୀର୍ଘ ୬୦ ବର୍ଷ ପରେ ସଂଗ୍ରହାଳୟର ସ୍ବତନ୍ତ୍ର ଲୋଗୋ ଉନ୍ମୋଚିତ ହୋଇଥିଲା। ସଂଗ୍ରହାଳୟ ପରିସରରେ ଥିବା ଅଶୋକ ସ୍ତମ୍ଭର ମୂଳ ଅଂଶବିଶେଷ ଓ ସିଂହକୁ ନେଇ ଏହି ଲୋଗକୁ ଓଡ଼ିଶା ଲଳିତ କଳା ଏକା‌ଡେମିର ସଚିବ ମାନସ ଜେନା ପ୍ରସ୍ତୁତ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟ ସଂଚାଳନ କରିଥିଲେ।

ଶୋଭା ପାଇଲା ସିନ୍ଦୁକ, ଷ୍ଟେସନ୍‌ ବତି
ରାଜ୍ୟ ସଂଗ୍ରହାଳୟରେ ଶୋଭା ପାଇଥିଲା ଶିଶୁ କାଠରେ ନିର୍ମିତ ସିନ୍ଦୁକ। ପୁରୀ ଜିଲ୍ଲା ଗୋପର ଗଡ଼ରୂପାସ ଗ୍ରାମର ଜମିଦାର ପୁରୁଷୋତ୍ତମ ରାୟଙ୍କ ଦ୍ବାରା ଏହା ନିର୍ମାଣ କରାଯାଇଥିଲା। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବର୍ଗତ ଶଶିପ୍ରଭା ଦେବୀଙ୍କ ଘରୁ ତାଙ୍କ ଭାଇ ତଥା ଜମିଦାରଙ୍କ ନାତି ସଂଗ୍ରାଗ କେଶରୀ ରାୟଙ୍କଠାରୁ ଏହା ସଂଗ୍ରହ କରାଯାଇଛି। ଏଥିସହିତ ରେଢ଼ାଖୋଲ ରାଜ ପରିବାରର ଅନୁରୂପା ମଂଜରୀ ଦେବୀଙ୍କଠାରୁ ଷ୍ଟେସନ୍‌ ଲ୍ୟାମ୍ପ୍‌ ସମେତ ମୀନାକ୍ଷୀ ଷଡ଼ଙ୍ଗୀ ଓ ନୃସିଂହ ଷଡ଼ଙ୍ଗୀଙ୍କଠାରୁ ସଂଗୃହୀତ ପିତ୍ତଳ ସାମଗ୍ରୀ ମଧ୍ୟ ରାଜ୍ୟ ସଂଗ୍ରହାଳୟରେ ନୂଆ ବସ୍ତୁ ଭାବେ ସାମିଲ୍ ହୋଇଛି।

ସମ୍ବନ୍ଧିତ ଖବର