ଭୁବନେଶ୍ବର: ସ୍ବାମୀ-ସ୍ତ୍ରୀ ମିଶି ୭୭ ଲକ୍ଷ ଟଙ୍କାରେ ଫ୍ଲାଟ୍‌ ବିକିବା ପରେ କ୍ରେତାଙ୍କୁ ଚାବି ଦେଇ ଘର ଦଖଲ ଦେଲେ। କିନ୍ତୁ ପରେ ସ୍ବାମୀ-ସ୍ତ୍ରୀ ବିବାଦ ଦର୍ଶାଇ କ୍ରେତାଙ୍କୁ ପୁଣି ଟଙ୍କା ମାଗିଲେ। କ୍ରେତା ଟଙ୍କା ନ ଦେବାରୁ ଘର ଭିତରେ ପଶି ଭଙ୍ଗାରୁଜା କଲେ। ଏମିତି ଏକ ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ସ୍ବାମୀ ପ୍ରଦୀପ ରାଉତରାୟଙ୍କୁ ଗିରଫ କରିଛି। ପ୍ରଦୀପଙ୍କ ସ୍ତ୍ରୀଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

Advertisment

ସୂଚନାନୁସାରେ ପଳାସୁଣି କେନାଲ ରୋଡ୍‌ସ୍ଥିତ ସାଇପ୍ରସାଦ ଏନ୍‌କ୍ଲେଭରେ ପ୍ରଦୀପ ରାଉତରାୟଙ୍କର ଦୁଇଟି ଫ୍ଲାଟ୍‌ ରହିଛି। ସେ ୨୦୨ ନମ୍ବର ଫ୍ଲାଟ୍‌କୁ ରଖି ଉପରମହଲା ୩୦୨ ନମ୍ବର ଫ୍ଲାଟ୍‌କୁ ବିକିଦେଇଥିଲେ।

ସମ୍ବଲପୁରରେ କାମ କରୁଥିବା ରେଳବାଇ କର୍ମଚାରୀ ଜ୍ଞ‌ାନେନ୍ଦ୍ର ମହାପାତ୍ର ୭୭ ଲକ୍ଷ ଟଙ୍କା ଦେଇ ଫ୍ଲାଟ୍‌ କିଣିଥିଲେ। ଜ୍ଞାନେନ୍ଦ୍ର ଫେବ୍ରୁଆରି ୨୪ ତାରିଖରେ ପ୍ରଦୀପଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ। ଫ୍ଲାଟ୍‌ଟି ପ୍ରଦୀପଙ୍କ ସ୍ତ୍ରୀଙ୍କ ନାମରେ ଥିବାରୁ ‌ସେ ତାଙ୍କ ଆକାଉଣ୍ଟରେ ଟଙ୍କା ଦେଇଥିଲେ। ଏହାପରେ ସ୍ବାମୀ-ସ୍ତ୍ରୀ ଘରର ଚାବି ଜ୍ଞାନେନ୍ଦ୍ରଙ୍କୁ ହସ୍ତାନ୍ତର କରିଥିଲେ। ଚାବି ପାଇବା ପରେ ଜ୍ଞାନେନ୍ଦ୍ର ନିଜର ଆସବାବପତ୍ର ଆଣି ଫ୍ଲାଟ୍‌ରେ ରଖିଥିଲେ। କିନ୍ତୁ ସେ ସପରିବାର ସମ୍ବଲପୁରରେ ରହୁଥିଲେ। ଏହା ଭିତରେ ବର୍ଷେ ବିତିଯାଇଥିଲା। ହଠାତ୍ ପ୍ରଦୀପ ଫୋନ୍‌ କରି ଜ୍ଞାନେନ୍ଦ୍ରଙ୍କୁ ପୁଣି ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଘର ଛାଡ଼ିବାକୁ ଧମକ ଦେଇଥିଲେ। ଏହା ଶୁଣିବା ପରେ ଜ୍ଞା‌ନେନ୍ଦ୍ରଙ୍କ ମୁଣ୍ଡ ଘୂରାଇ ଦେଇଥିଲା।

ଏନେଇ ସେ ପ୍ରଦୀପଙ୍କ ପତ୍ନୀଙ୍କୁ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ସେ ଫୋନ୍‌ ଉଠାଇନଥିଲେ। ଫ୍ଲାଟ୍ ବିକିବା ବେଳେ ସ୍ବାମୀ ଓ ସ୍ତ୍ରୀ ଏକାଠି ଆଲୋଚନା କରିଥିଲେ, ଏକାଠି ଟଙ୍କା ‌ନେଲେ ଓ ଚାବି ଦେବା ପରେ ପୁଣି କାହିଁକି ହଇରାଣ କରୁଛନ୍ତି ବୋଲି ଜ୍ଞାନେନ୍ଦ୍ର ପଚାରିବା ସହ ଆଉ ଟଙ୍କା ଦେଇପାରିବେ ନାହିଁ ବୋଲି ରୋକ୍‌ଠୋକ ଜଣାଇଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମାର୍ଚ୍ଚ ୧୮ ତାରିଖ ଦିନ ପ୍ରଦୀପ ୩୦୨ ନଂ ଫ୍ଲାଟ୍‌ ଭିତରେ ପଶି ସମସ୍ତ ଆସବାବପତ୍ର ଓ ଫ୍ଲାଟ୍‌ ଭିତର କାନ୍ଥ ଭାଙ୍ଗି ଦେଇଥିଲେ। ଏନେଇ ଜ୍ଞ‌ାନେନ୍ଦ୍ରଙ୍କ ସ୍ତ୍ରୀ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ପ୍ରଦୀପ ତିନି ମାସ ମଧ୍ୟରେ ଘର ମରାମତି କରିବା ସହ ଭଙ୍ଗାରୁଜା କରିଥିବା ଆସବାବପତ୍ର ବାବଦରେ କ୍ଷତିପୂରଣ ଦେବ ବୋଲି ପୁଲିସ ଉପସ୍ଥିତିରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତିନି ମାସ ବିତିବା ପରେ ସେ ଆଉ ଫୋନ୍‌ ଉଠାଇନଥିଲେ। ତେଣୁ ପୁଣି ଜ୍ଞାନେନ୍ଦ୍ର ଥାନାର ଦ୍ବାରସ୍ଥ ହୋଇଥିଲେ।