ବାଲିଅନ୍ତା: ବାଲିଅନ୍ତା ବିଜେଡିର ଗୋଷ୍ଠୀକନ୍ଦଳ କିଛି ନୂଆ କଥା ନୁହେଁ। ପୁଣି ଆଜି ବାଲିଅନ୍ତା ବିଜେଡି ଗୋଷ୍ଠୀ ବିବାଦ ରାଜରାସ୍ତାକୁ ହୁଲ୍ସ୍ତୁଲ୍ କରିଛି। ବିଧାୟକଙ୍କ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ବିରୋଧ କରି ବିପକ୍ଷ ଗୋଷ୍ଠୀ ତୁମୁଳକାଣ୍ଡ କରିବାରୁ ଦୁଇ ପକ୍ଷଙ୍କ ଭିତରେ ଧସ୍ତାଧସ୍ତି ଯାଏ କଥା ଯାଇଛି। ଏମିତିକି ବିଧାୟକଙ୍କ ବିପକ୍ଷ ଗୋଷ୍ଠୀ ଶିଳାନ୍ୟାସ ଫଳକକୁ ତାଡ଼ି ନେଇଥିଲେ। ତେବେ ବହୁ ସମୟ ପରେ ପୁଲିସ ଉକ୍ତ ଶିଳାନ୍ୟାସ ଫଳକକୁ ଉଦ୍ଧାର କରିବା ପରେ ବିଧାୟକ ଶିଳାନ୍ୟାସ କରିବାକୁ ସକ୍ଷମ ହୋଇଥିଲେ। ଘଟଣାଟି ଆଜି ବାଲିଅନ୍ତାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଆଜି ବାଳକାଟି ଦୁଲ୍ଲାଦେବୀ ମନ୍ଦିର ନିକଟରେ ଭିତ୍ତିପ୍ରସ୍ତର ସଭାର ଆୟୋଜନ କରାଯାଇଥିଲା। ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେବାର ଥିଲା। କିନ୍ତୁ ଶିଳାନ୍ୟାସ ଫଳକରେ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ନଥିଲା। ଏମିତିକି ସେମାନଙ୍କୁ ଅତିଥି ଭାବେ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା। ତେଣୁ ଶିଳାନ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବ୍ଲକ୍ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ଫଳରେ ବିଜେଡିର ଦୁଇ ଗୋଷ୍ଠୀର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏମିତି ହେଲା ଯେ ପୁଲିସ ସେମାନଙ୍କୁ ଅଟକାଇ ପାରିନଥିଲା। ବିଧାୟକ ଶ୍ରୀ ଢାଲି ପହଞ୍ଚିବା ପୂର୍ବରୁ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଖଟୁଆଙ୍କ ସହ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ସମର୍ଥକମାନେ ପହଞ୍ଚି ପୂଜାର୍ଚ୍ଚନା କରି ନଡ଼ିଆ ବାଡ଼େଇଥିଲେ।
ଏହାପରେ ବିଧାୟକଙ୍କ ନାଁ ଲେଖାଥିବା ଭିତ୍ତିପ୍ରସ୍ତର ମାର୍ବଲ ଫକକକୁ ତାଡ଼ି ନେଇ ପଳାଇଥିଲେ। ଏହି ଖବର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିକଟରେ ପହଞ୍ଚିବା ପରେ ବାଳକାଟି ଫାଣ୍ଡି ପୁଲିସକୁ କଡ଼ା ନିର୍ଦ୍ଦେଶ ଆସିଥିଲା। ତୁରନ୍ତ ବାଳକାଟି ଫାଣ୍ଡି ଅଧିକାରୀ ଜଣଙ୍କ ଘରେ ଚଢ଼ଉ କରି ଉକ୍ତ ଫଳକକୁ ଉଦ୍ଧାର କରିଥିଲେ। ଏହାପରେ ଫଳକକୁ ପୁଣି ଲଗାଯାଇଥିଲା ଏବଂ ବିଧାୟକ ଶ୍ରୀ ଢାଲି ସେଠାରେ ପହଞ୍ଚି ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏତିକିବେଳେ ପୁଣି ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ସଭା ଶେଷ ହେବାକୁ ଯାଉଥିବା ବେଳେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଖଟୁଆ, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାଶ, କୁନ୍ମୁନ ଲେଙ୍କା, ମଙ୍ଗରାଜ ବେହେରା, ସରପଞ୍ଚ ରୀନା ବେହେରା, ସମିତି ସଭ୍ୟ ଗଙ୍ଗାଧର ମାହାରି ଓ ବ୍ଲକ୍ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି ପ୍ରମୁଖ ସେଠାରେ ପାଟିତୁଣ୍ଡ କରିଥିଲେ।