ପୁଣି ବୋଲେରୋ ଲୁଟ୍: ୧୫ ଦିନରେ ଷଷ୍ଠ ଘଟଣା, ଲୁଟି ନେଇଥିଲେ ବିଏମ୍‌ସିର ରିଲିଫ୍ ଗାଡ଼ି

ଚାରି ଚକିଆ ଚୋର ଗ୍ୟାଙ୍ଗ ସକ୍ରିୟ

ଚନ୍ଦ୍ରଶେଖରପୁର: ଲକ୍‌ଡାଉନ୍‌ରେ ଚାରି ଚକିଆ ଚୋର ଗ୍ୟାଙ୍ଗର ଆତଙ୍କ ଜାରି ରହିଛି। କେବଳ ବୋଲେରୋକୁ ଟାର୍ଗେଟ୍‌ କରୁଥିବା ଚୋର ଗ୍ୟାଙ୍ଗ ଗତ ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନିରୁ ଆଉ ଗୋଟିଏ ବୋଲେରୋ ଲୁଟି ନେଇଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଗାଡ଼ି ଚାଳକ ସୁଶାନ୍ତ କୁମାର ରାଉତ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ସୁଶାନ୍ତଙ୍କ ବୋଲେରୋ (ଓଡି-୦୨-ସି-୯୩୫୩) ଗତକାଲି ହାଉସିଂବୋର୍ଡ କଲୋନି ତାରିଣୀ ମନ୍ଦିର ନିକଟ ବି-୫ ଆଗରେ ପାର୍କିଂ କରାଯାଇଥିଲା। ସବୁ ଦିନ ଭଳି ଘର ଆଗ ରାସ୍ତା କଡ଼ରେ ପାର୍କିଂ କରି ଗାଡ଼ି ରଖିଥିଲେ। ମାତ୍ର ସକାଳେ ବୋଲେରୋଟିକୁ କେହି ଚୋରି କରି ନେଇଥିବା ସେ ଦେଖିବାକୁ ପାଇଥିଲେ। ଏନେଇ ସେ ପ୍ରଥମେ ଗାଡ଼ି ମାଲିକ ସୀତାକାନ୍ତ ପୂଜାପଣ୍ଡାଙ୍କୁ ସୂଚନା ଦେଇଥିଲେ। ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ଶେଷରେ ଥାନାରେ ଅଭିଯୋଗ ଦେଇଥିଲେ। ଉକ୍ତ ଗାଡ଼ିଟି ବିଏମ୍‌ସିର ଉତ୍ତର ଭୁବନେଶ୍ବର ‌ଆଞ୍ଚଳିକ ଡେପୁଟି କମିସନର୍‌ ପ୍ରମୋଦ ପୃଷ୍ଟିଙ୍କୁ ନେବା ଆଣିବାରେ ବ୍ୟବହାର ହେଉଥିଲା। ଅଭିଯୋଗ ପରେ ପୁଲିସ୍ ଘଟଣାସ୍ଥଳ ଓ ଆଖପାଖ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ଗାଡ଼ି ଚୋରଙ୍କ ସନ୍ଧାନ କରୁଛି। ଅପରପକ୍ଷରେ ଗତ ୧୫ଦିନ ଭିତରେ ରାଜଧାନୀରେ ଏ ହେଉଛି ୬ନମ୍ବର ମାମଲା। ପୂର୍ବରୁ ଲକ୍ଷ୍ମୀସାଗର ଥାନା ଅଧୀନରୁ ୨ଟି, ବଡ଼ଗଡ଼ ଥାନା ଅଧୀନରୁ ୨ଟି ଓ ଧଉଳି ଥାନା ଅଧୀନରୁ ଗୋଟିଏ ବୋଲେରୋ ଲୁଟି ନେଇଥିଲେ ଚାରି ଚକିଆ ଚୋର ଗ୍ୟାଙ୍ଗ। କିନ୍ତୁ ଧଉଳି ଥାନା ପୁଲିସ କେବଳ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିଲା। ମାତ୍ର ଚାରି ଚକିଆ ଚୋର ଗ୍ୟାଙ୍ଗର ମୁଖ୍ୟ ଓ ଅନ୍ୟ ସଦସ୍ୟ ଫେରାର ହୋଇ ଯାଇଥିଲେ। ସେହି ଗ୍ୟାଙ୍ଗର ସଦସ୍ୟ ଏହି ବୋଲେରୋକୁ ଲୁଟି ନେଇଥିବା ଅନୁମାନ କରାଯାଉଛି।

ଲୁଟି ନେଇଥିଲେ ବିଏମ୍‌ସିର ରିଲିଫ୍ ଗାଡ଼ି
ବିଏମସିର ରିଲିଫ୍ ସାମଗ୍ରୀ, ଶୁଖିଲା ଖାଦ୍ୟ ଥିବା ଏକ ବୋଲେରୋକୁ କିଛି ଦିନ ତଳେ ଦୁର୍ବୃତ୍ତ ଧଉଳି ଥାନା ଅଧୀନ ନୂଆଗାଁରୁ ଲୁଟି ନେଇଥିଲେ। ପିପିଲିରୁ ଏହି ଗାଡ଼ି ଧରା ପଡ଼ିଥିଲା। ଗାଡ଼ି ଚଳାଉଥିବା ଜଣେ ସଦସ୍ୟକୁ ପୁଲିସ ଗିରଫ କରିବା ସହ ବୋଲେରୋ ଜବତ କରିଥିଲା। ଗାଡ଼ିରେ ଥିବା ରିଲିଫ୍ ସାମଗ୍ରୀକୁ ମଧ୍ୟ ପୁଲିସ ଉଦ୍ଧାର କରିଥିଲା। ଗିରଫ ଅଭିଯୁକ୍ତକୁ ପୁଲିସ କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ସଦସ୍ୟମାନେ ଏବେ ବି ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର