ପୁଣି ସରକନ୍ତରାରେ ବୋମାମାଡ଼

ଖଣ୍ଡଗିରି: ଶନିବାର ରାତି ପ୍ରାୟ ୧୦ଟାବେଳେ ସ୍ଥାନୀୟ ସରକନ୍ତରା ଗାଁମୁଣ୍ଡରେ ବୋମାମାଡ଼ ହୋଇଛି। କେହି ଦୁର୍ବୃତ୍ତ ଗାଁ ମୁଣ୍ଡରେ ରହୁଥିବା ମନୋଜ ଦାସଙ୍କ ଫାଟକକୁ ଲକ୍ଷ୍ୟ କରି ଗୋଟିଏ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ କୌଣସି ବଡ଼ ଧରଣର କ୍ଷତି ଘଟି ନଥିଲେ ମଧ୍ୟ ଲୁହା ଫାଟକ ସାମାନ୍ୟ ଚେପା ହୋଇଯାଇଛି। ମ‌ନୋଜ ଜଣେ ଅମାୟିକ ବ୍ୟକ୍ତି ହୋଇଥିବାରୁ ତାଙ୍କର କେହି ଶତ୍ରୁ ନଥିବା କୁହାଯାଉଛି। ତେଣୁ ତାଙ୍କ ଘରକୁ ବୋମାମାଡ଼ କରିବା କାରଣ ପଛରେ କି ରହସ୍ୟ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଦେଢ଼ମାସ ହେଲା ସ୍ଥାନୀୟ ସରକନ୍ତରା ଓ ରଘୁନାଥନଗର ଅଞ୍ଚଳରେ ଆତଙ୍କ ଖେଳାଇଥିବା ଆକାଶ-ଅଗ୍ନି ଗ୍ୟାଙ୍ଗ୍‌ ଶନିବାର ଖଣ୍ଡଗିରି ଥାନା ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ତେଣୁ ସ୍ଥାନୀୟ ଲୋକେ ବେଶ୍ ଆଶ୍ବସ୍ତ ଥିଲେ। ମାତ୍ର ପୁଣି ବୋମାମାଡ଼ ଘଟଣା ଘଟିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର