ପୁରୁଣା ଭୁବନେଶ୍ୱର:ମହାଶିବରାତ୍ରି ପରେ ପରେ ପଡ଼ୁଥିବା ଶନିବାର ପାଳିତ ହୁଏ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା। ପରମ୍ପରା ଅନୁଯାୟୀ ଏହି ଦିନ ଶ୍ରୀଲିଙ୍ଗରାଜ କପିଳେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି। ୩ବର୍ଷ ହେଲା ବନ୍ଦ ହୋଇଥିବା ଏହି ଯାତ୍ରା ଏଥର ମଧ୍ୟ ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ଦେବୋତ୍ତର ବିଭାଗ ଉଭୟ ସେବାୟତ ଗୋଷ୍ଠୀଙ୍କୁ ଶନିବାର ସକାଳେ ମନେଇବା ଉଦ୍ୟମ କରିବ ବୋଲି ଜଣାପଡ଼ିଛି। ୩ବର୍ଷ ପୂର୍ବରୁ କପିଳେଶ୍ୱର ମନ୍ଦିରରେ ସେବାୟତମାନଙ୍କ ବିବାଦ ଯୋଗୁଁ ହାଣ୍ଡିଭଙ୍ଗା ଯାତ ବନ୍ଦ ରହିଥିଲା। ଏହା ପରେ ମହାପ୍ରଭୁଙ୍କ ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ଶ୍ରୀ କପିଳନାଥ ଯୋଗ ଦେଇନଥିଲେ। ଏହା ଦ୍ଵାରା ପୁଣି ପରମ୍ପରା ଭଙ୍ଗ ହୋଇଥିଲା। ଦେବୋତ୍ତର ବିଭାଗ ଏହି ପରମ୍ପରା ବଜାୟ ରଖିବାରେ ବିଫଳ ହୋଇଥିଲା। ଏନେଇ ହାଇକୋର୍ଟ ପରମ୍ପରାକୁ ବଜାୟ ରଖିବାକୁ ନିର୍ଦେଶ ଦେବା ପରେ ମଧ୍ୟ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ପରମ୍ପରା ବଜାୟ ରହିନଥିଲା। ତେଣୁ ଏଥର ଶ୍ରୀଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ ଆସନ୍ତା ଶନିବାର ପଡ଼ୁଥିବାରୁ ହାଇକୋର୍ଟକୁ ସମ୍ମାନ ଜଣାଇ ଏହି ପରମ୍ପରା ବଜାୟ ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏକାମ୍ର ଜନଜାଗରଣ ମଞ୍ଚ ଦେବୋତ୍ତର ବିଭାଗ ଓ ଉପଜିଲ୍ଲାପାଳଙ୍କୁ ଭେଟି ଏ ନେଇ ଅବଗତ କରିଛି। ନିଷ୍ପତ୍ତି ଅନୁଯାୟୀ ଦେବୋତ୍ତର ବିଭାଗ ଜିଲ୍ଲା ନିରୀକ୍ଷକ ଶିବବ୍ରତ ପଣ୍ଡା କପିଳେଶ୍ୱରର ସେବାୟତଙ୍କୁ ଭେଟି ପରମ୍ପରା ଚାଲୁ ରଖିବା ନେଇ ଅଲୋଚନା କରିବେ। ଏହା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଜଣାଇବେ। ପରେ ଯାତ୍ରା ସୁରୁଖୁରୁରେ ହେବ ବୋଲି ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।
ଠାକୁର ଯିବେ ଐଶାନେଶ୍ୱର!
ହାଣ୍ଡିଭଙ୍ଗା ଯାତ୍ରା ସାରି ଶ୍ରୀଲିଙ୍ଗରାଜ ମହାପ୍ରଭୁ ଫେରିବା ବାଟରେ ଐଶାନେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ତେବେ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ହେବା ଫଳରେ ଠାକୁର ଐଶାନେଶ୍ୱର ମନ୍ଦିରକୁ ଯାତ୍ରା କରି ପାରୁନାହାଁନ୍ତି। ଏନେଇ ଆଜି ୩ପ୍ରମୁଖ ନିଯୋଗ ପ୍ରତିନିଧିଙ୍କୁ ଡକାଇ ମନ୍ଦିର ପ୍ରଶାସନ ଆଲୋଚନା କରିଛି। ଆସନ୍ତାକାଲି ମଧ୍ୟାହ୍ନରେ ସେବାୟତମାନେ ଏନେଇ ମତ ଦେବେ ବୋଲି ଜଣା ପଡ଼ିଛି। ସେବାୟତଙ୍କ ମତ ପରେ ଠାକୁର ଐଶାନେଶ୍ୱର ଯାତ୍ରା କରିପାରନ୍ତି ବୋଲି ମନ୍ଦିର କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।
ମହାଶିବରାତ୍ରିରେ ମହାଦୀପ ଉଠିବା ବିଳମ୍ବ ନେଇ ତନାଘନା
ଶ୍ରୀଲିଙ୍ଗରାଜଙ୍କ ମହାଶିରାତ୍ରିରେ ମହାଦୀପ ଉଠିବା ବିଳମ୍ବ ହେବା ପରେ ମନ୍ଦିର ପ୍ରଶାସନ ଏହାର କାରଣ ଖୋଜିବା ଲାଗି ତନାଘନା ଆରମ୍ଭ କରିଛି। ମନ୍ଦିର ସୁପରଭାଇଜରଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ କୁହାଯାଇଛି। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ମହାଶିବରାତ୍ରିରେ ରାତି ୧୦ଟାରେ ମହାଦୀପ ଉଠିବାକୁ ଥିବା ବେଳେ ସାଢ଼େ ୧୨ଟାରେ ମହାଦୀପ ଉଠିଥିଲା। ଅଢ଼େଇ ଘଣ୍ଟା ବିଳମ୍ବର କାରଣ ସମ୍ପର୍କରେ ମନ୍ଦିର ପ୍ରଶାସନ ଦେବୋତ୍ତର ବିଭାଗକୁ ଜଣାଇବ। ଏଥିପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦିର ସୁପରଭାଇଜର ଓ ଚର୍ଚେଇତଙ୍କୁ ଚିଠି କରିଛନ୍ତି। କେଉଁ ନୀତି କେଉଁ ସମୟରେ ହେଲା, କେଉଁ ସେବାୟତ ନୀତି କରୁଥିଲେ ଓ କେଉଁ କାରଣରୁ ନୀତି ବିଳମ୍ବ ହେଲା ଏ ନେଇ ରିପୋର୍ଟ ଦେବେ। ଏହା ପରେ ସମୀକ୍ଷା କରାଯିବା ସହ ଟ୍ରଷ୍ଟ ବୋର୍ଡରେ ଆଲୋଚନା ହେବ ବୋଲି ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।