ପୁଣି ଜବତ ହେଲା ବ୍ରାଉନ୍ ସୁଗାର

ଖଣ୍ଡଗିରି: ପୁଣି ଅବକାରୀ ବିଭାଗ ଖଣ୍ଡଗିରି ଅଞ୍ଚଳରୁ ବ୍ରାଉନ୍ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ଜାମିନ୍ ନାମଞ୍ଜୁର ହେବା ପରେ ଝାରପଡ଼ା ଜେଲ୍‌ ହାଜତକୁ ପଠାଯାଇଥିବା ଏହି ମହିଳା ହେଲେ ଖଣ୍ଡଗିରିବାରି‌ରେ ଭଡ଼ାରେ ରହୁଥିବା ସତ୍ୟଜିତ ସାମଲଙ୍କ ପତ୍ନୀ ସମିତା ମହାନ୍ତି(୧୯)। ସମିତାଙ୍କଠାରୁ ୨୧ ଗ୍ରାମ୍‌ ବ୍ରାଉନ୍ ସୁଗାର ଓ ନଗଦ ୫ ହଜାର ଟଙ୍କା ଜବତ କରାଯାଇଛି। ତେବେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉବେଳେ ବଡ଼ ଚତୁରତାର ସହ ସତ୍ୟ ଘରୁ ଫେରାର୍ ହୋଇଯିବାରେ ସକ୍ଷମ ହୋଇଛି। ସୂଚନାନୁସାରେ ସତ୍ୟ ଓ ସମିତା ପ୍ରାୟ ବର୍ଷେ ହେଲା ଖଣ୍ଡଗିରି ଅଞ୍ଚଳରେ ଏହି କାରବାର ଚଳାଇ ଆସୁଥିଲେ। ଗୁରୁବାର ସକାଳ ପ୍ରାୟ ୭ଟାବେଳେ ଅବକାରୀ ଟିମ୍‌ ସତ୍ୟ ରହୁଥିବା ଭଡ଼ାଘରେ(ପ୍ଲଟ ନମ୍ବର-୮୮୮୨) ଅତର୍କିତ ଚଢ଼ଉ କରିଥିଲା। ଠିକ୍‌ ସେତିକି‌ବେଳେ ସତ୍ୟ ପ‌ାଇଖାନାରେ ଥିଲା। ଅବକାରୀ ବିଭାଗ ଚଢ଼ଉ ଜାଣିବା ପରେ ସେ ପାଇଖାନାରୁ ବାହାରି ସିଧାସଳଖ ପାଚେରି ଡେଇଁ ଘାଟିକିଆ ଗାଁ ଆଡ଼କୁ ଦୌଡ଼ି ପଳାଇଥିଲା। ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ନିର୍ଦେଶରେ ଆଇଆଇସି ପ୍ରଭାତ କୁମାର ସେଠୀ, ଏସ୍ଆଇ ଏଚ୍‌ ସି ସାମନ୍ତ, ଏଏସ୍ଆଇ ସୁଜିତ୍ ମୁଦୁଲି, ଅମରେନ୍ଦ୍ର ଶତପଥୀ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଏହି ଟିମ୍‌ ଗଠିତ ହୋଇଥିଲା। ପରେ ଏହି ଟିମ୍‌ ସୁନ୍ଦରପଦା-ଜଟଣୀ ରାସ୍ତାରେ ସ୍ଥାନୀୟ ବୋତଣ୍ଡା ଗାଁର ତ୍ରିନାଥ ଚହଟରାୟ ନାମକ ଜଣେ ଦେଶୀ ମଦ ବେପାରୀକୁ ଗିରଫ କରିଥିଲା। ତାଠାରୁ ଏକ ଆକ୍ଟିଭା ଓ ୫୦ ବୋତଲ ଦେଶୀ ଜବତ ହୋଇଛି।

ସମ୍ବନ୍ଧିତ ଖବର