ପୁଣି ଜୟଦେବ ବାଟିକା ରାସ୍ତାରୁ କାର୍‌ ଲୁଟ୍‌

ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଜୟଦେବ ବାଟିକା ରାସ୍ତାରେ ମାତିଛନ୍ତି କାର୍‌ ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଆମ୍ରି ହସ୍‌ପିଟାଲ ସମ୍ମୁଖରୁ ଦୁର୍ବୃତ୍ତମାନେ ଏକ କାର୍‌ ନେଇ ଚମ୍ପଟ ମାରିଛନ୍ତି। କାର୍‌ ଚାଳକ ବାଲେଶ୍ବରର ଗୌରାଙ୍ଗ ଚନ୍ଦ୍ର ଦାସଙ୍କୁ ମାଡ଼ ମାରି କାର୍‌ ଲୁଟି ନେଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଉକ୍ତ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଚଳାଇଥିଲେ ବି ଲୁଟେରାମାନଙ୍କ ପତ୍ତା ମିଳିନାହିଁ।

ଅଭିଯୋଗ ମୁତାବକ, କାର୍‌ ଚାଳକ ଗୌରାଙ୍ଗ ଜଣେ ରୋଗୀଙ୍କୁ ନେଇ ଆମ୍ରି ହସ୍ପିଟାଲ ଆସିଥିଲେ। ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ପରେ ସମ୍ପର୍କୀୟମାନେ କୋଳଥିଆସ୍ଥିତ ଏକ ଗେଷ୍ଟ୍‌ ହାଉସ୍‌ରେ ରହିଥିଲେ। କିନ୍ତୁ ଗୌରାଙ୍ଗ ଆମ୍ରି ହସ୍‌ପିଟାଲ ସମ୍ମୁଖ ପାର୍କିଂରେ କାର୍‌ ରଖି ଭିତରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ଗୌରାଙ୍ଗକୁ ବାହାରକୁ ଡାକିଥିଲେ। ସେ ଡୋର୍‌ ଖୋଲୁଖୋଲୁ ଦୁର୍ବୃତ୍ତମାନେ ତାଙ୍କୁ ବାହାରକୁ ଭିଡ଼ି ଆଣି ଅତର୍କିତ ଆକ୍ରମଣ କରିଥିଲେ। ନିର୍ଧୁମ ପିଟିବା ଭିତରେ ସେମାନେ ଗୌରାଙ୍ଗଙ୍କ ହାତରୁ କାର୍‌ ଚାବି ଛଡ଼ାଇ ନେଇଥିଲେ। ଏହା ପରେ ଜଣେ କାର୍‌ ଚଳାଇଥିଲା ଓ ଅନ୍ୟ ଜଣକ ବାଇକ୍‌ରେ ତା ପଛେ ପଛେ ପଳାଇଥିଲା। ଆକ୍ରମଣରେ ଆହତ ହୋଇ ଗୌରାଙ୍ଗ କିଛି ସମୟପରେ ଭରତପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। କାର୍‌ ଭିତରେ ଗୌରାଙ୍ଗଙ୍କ ମୋବାଇଲ୍‌ ଫୋନ୍‌ ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ନଗଦ ଟଙ୍କା ଥିଲା। ସୂଚନା‌ଯୋଗ୍ୟ ପୂର୍ବରୁ ଏହି ଅଞ୍ଚଳରୁ ଏକାଧିକ କାର୍‌ ଲୁଟ୍‌ ହୋଇଥିଲା। ଅଧିକାଂଶ ଘଟଣାରେ ପୁଲିସକୁ ସଫଳତା ମିଳିଛି।

ସମ୍ବନ୍ଧିତ ଖବର