ଅପରାଜିତାଙ୍କ ଟ୍ବିଟ୍‌ରୁ ପୁଣି ଉଠିଲା ଝଡ଼, କୁହୁଳିଲା ବାଇ-ଲ’ ନିଆଁ

ହାଇକୋର୍ଟକୁ ଯିବ ମାମଲା

ପୁରୁଣା ଭୁବନେଶ୍ବର: କିଛି ଦିନ ହେଲା ଚାପି ହୋଇ ରହିଥିବା ବାଇ-ଲ’ ନିଆଁ ପୁଣି କୁହୁଳିବା ଆରମ୍ଭ କରିଛି। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ନେଇ କରିଥିବା ଟ୍ବିଟ୍‌ ପୁଣି ଏକ ଝଡ଼କୁ ମୁଣ୍ଡ ଟେକିବାକୁ ସୁଯୋଗ ଦେଇଛି। ଫଳରେ ଏକାମ୍ର କ୍ଷେତ୍ରରେ ଆଜି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୁବ୍‌ ଶୀଘ୍ର ଏହି ମାମଲାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ପ୍ରସ୍ତୁତ ହେଉଥିବା ଜଣାଇଛନ୍ତି।

ଆଜି ଶ୍ରୀମତୀ ଷଡ଼ଙ୍ଗୀ ଟ୍ବିଟ୍‌ କରିଛନ୍ତି ଯେ ପୁରାତନ କୀର୍ତିରାଜିସ୍ଥିତ ଅଞ୍ଚଳରେ କୌଣସି କାର୍ଯ୍ୟ କରିବା ପାଇଁ ହେଲେ, ଏଏମ୍‌ଏସ୍‌ଏଆର୍‌ ଆକ୍ଟ ପାଳନ ନିତାନ୍ତ ଆବଶ୍ୟକ। ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ବୋଲି ଅପରାଜିତା ତାଙ୍କ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ସେ ପୁଣି ଲେଖିଛନ୍ତି ଯେ ବିକାଶ ବାହାନାରେ ପୁରାତନ କୀର୍ତ୍ତିରାଜିର ବିନାଶ ଗ୍ରହଣୀୟ ନୁହେଁ। ସମସ୍ତ ନିୟମ କାନୁନକୁ ମାନି ବିକାଶ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଅପରାଜିତାଙ୍କ ଏହି ଟ୍ବିଟ୍ ଏକାମ୍ର କ୍ଷେତ୍ରରେ ପୁଣି ତାତି ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ କହିବା କଥା ଶ୍ରୀକ୍ଷେତ୍ର ପାଇଁ ଏହି ବାଇ-ଲ’ ପ୍ରତ୍ୟାହୃତ ହେଲା। ସେତେବେଳେ ଏଏମ୍‌ଏସ୍‌ଏଆର୍‌ ଆକ୍ଟ ‌କେମିତି ଲାଗୁ ହେଲା ନାହିଁ। ଏହି ଆକ୍ଟ ଏକାମ୍ର କ୍ଷେତ୍ର ପାଇଁ କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହି ନିୟମ ପୁରୀ ପାଇଁ ଅଲଗା ଆଉ ଏକାମ୍ର କ୍ଷେତ୍ର ପାଇଁ କେମିତି ଅଲଗା, ଏହାର ଉତ୍ତର ଶ୍ରୀମତୀ ଷଡ଼ଙ୍ଗୀ ଦିଅନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ ବଡ଼ ଅଭିଯୋଗ ଯେ ଅପରାଜିତା ଯେଉଁଠୁ ନିର୍ବାଚିତ ହୋଇଛନ୍ତି, ସେଇଠି କେନ୍ଦ୍ର ସରକାର କରୁଥିବା ପାତରଅନ୍ତର ନୀତିକୁ ସେ ସମର୍ଥନ କରୁଛନ୍ତି।
ଏହି ବାଇ-ଲ’କୁ ନେଇ ହାଇକୋର୍ଟରେ ମାମଲା କରାଯିବ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ କହିଛନ୍ତି। ଶ୍ରୀ ନାୟକଙ୍କ କହିବା ଅନୁଯାୟୀ ବିକାଶ କାମ ଚାଲିଥିବା ବେଳେ ଏହି ବାଇ-ଲ’ ପ୍ରସଙ୍ଗ ଆସିଲା। ପୁରୀରେ ଏହି ପ୍ରସଙ୍ଗ ଉଠିଲେ ବି ପୁଣି ପ୍ରତ୍ୟାହାର କରାଗଲା। ମାତ୍ର ଏକାମ୍ର କ୍ଷେତ୍ର ବେଳକୁ ନିୟମ କଡ଼ାକଡ଼ି ହୋଇଗଲା। ଏହା କେବଳ ଏକାମ୍ର ବିକାଶ ଯୋଜନାକୁ ବାଧା ଦେବା ପାଇଁ ଉଦ୍ଦିଷ୍ଟ ବୋଲି ସେ ଅଭିଯୋଗ କରିଛନ୍ତି। ଐତିହ୍ୟ ସଂରକ୍ଷଣ ସୁରକ୍ଷା ରହୁ ଓ ଏଥିସହ ବିକାଶ କାର୍ଯ୍ୟ ହେଉ ବୋଲି ଶ୍ରୀ ନାୟକ କହିଛନ୍ତି। କାରଣ ଐତିହ୍ୟପୂର୍ଣ୍ଣ ସ୍ଥାନରେ ବିକାଶ ଥିଲେ ଲୋକେ ଆସିବେ ଓ ଐତିହ୍ୟକୁ ପ୍ରଶଂସା କରିବେ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ବୟ ରକ୍ଷା କରି ଏହା କରିବା ଉଚିତ। ତେଣୁ ଯଦି ପୁରୀ ଓ ଏକାମ୍ର କ୍ଷେତ୍ର ମଧ୍ୟରେ ଏଭଳି ପ୍ରଭେଦ ସୃଷ୍ଟି କରାଗଲାଣି, ତେବେ ମାମଲା ହାଇକୋର୍ଟରେ ସମାଧାନ ହେବା ଜରୁରୀ ବୋଲି ସେ କହିଛନ୍ତି। ସେହିଭଳି ଏହି ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୁରୀରେ ନିୟମକୁ ପ୍ରତ୍ୟାହାର କରାଗଲା, ଅଥଚ ଏକାମ୍ର ବେଳକୁ କେନ୍ଦ୍ର ସରକାରଙ୍କ ଐତିହ୍ୟ ସୁରକ୍ଷା କଥା ମନେ ପଡ଼ିଲା। ନିୟମ କ’ଣ କ୍ଷେତ୍ର ବିଶେଷ‌ରେ ବଦଳେ କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର