ପୁଣି ଦୁର୍ଦ୍ଦିନ ଆଣିଲା କରୋନା, ଘରେ ‌ବିତୁଛି ସେବାୟତଙ୍କ ଦିନ

ପୁରୁଣା ଭୁବନେଶ୍ବର: ମହାମାରୀ କରୋନାର ଦ୍ବିତୀୟ ଲହର ବିଭିନ୍ନ ମନ୍ଦିରର ସେବାୟତମାନଙ୍କ ପାଇଁ ପୁଣି ଦୁର୍ଦ୍ଦିନ ନେଇ ଆସିଛି। ପୁରୁଣା ଭୁବନେଶ୍ବର ମନ୍ଦିର ସେବାୟତମାନେ ପୁଣି ଘୋର ଆର୍ଥିକ ସଂକଟ ଭିତରକୁ ଠେଲି ହୋଇଯିବାକୁ ବସିଛନ୍ତି। ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ସବୁ ବନ୍ଦ ହୋଇଯାଇଥିବାରୁ ସେବାୟତମାନେ ରୋଜଗାର ହରାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଉପରେ କଟକଣା ଲାଗୁ କରାଯାଇଛି। ମନ୍ଦିରଗୁଡ଼ିକରେ କେବଳ ନୀତିକାନ୍ତି ହେଉଛି। ସେବାୟତମାନେ ମନ୍ଦିରରେ ନୀତି କରି ଘରେ ସମୟ କଟାଉଛନ୍ତି। ସବୁ ମନ୍ଦିରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ସେବାୟତମାନେ ମନ୍ଦିର ନୀତି ସାରି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଦିନ ତମାମ ମନ୍ଦିର ବେଢ଼ା ଖାଁ ଖାଁ ରହୁଛି।

ମନ୍ଦିର ପରିସରରେ ପୂଜକ ବା ସେବାୟତଙ୍କୁ ବାଦ୍‌ ଦେଲେ, ଅନ୍ୟ କାହାକୁ ଦେଖିବାକୁ ମିଳୁନାହିଁ। ଭକ୍ତ ବା ଶ୍ରଦ୍ଧାଳୁମାନେ ମନ୍ଦିରକୁ ବିଭିନ୍ନ ପୂଜା ପାଇଁ ଆସିଲେ, ପୂଜକ ବା ସେବାୟତମାନେ କିଛି ରୋଜଗାର କରନ୍ତି। ଏବେ ସେସବୁ ବନ୍ଦ। ତେଣୁ ବହୁ ସେବାୟତ ଏବେଠାରୁ ପ୍ରମାଦ ଗଣିଲେଣି। ଧୂଳିଆ ସେବାୟତମାନେ ଭୋର୍ ସମୟରୁ ରାତିର ପହଡ଼ ପର୍ଯ୍ୟନ୍ତ ମନ୍ଦିରରେ ବସି ରହୁଥିଲେ। ଏବେ ସେମାନେ ଘରେ ହାତବାନ୍ଧି ବସି ରହୁଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ପୂଜା କାର୍ଯ୍ୟରେ ନିୟୋଜିତ ଶତାଧିକ ସେବାୟତ ଏବେ ଅର୍ଥ ଉପାର୍ଜନ ନଥିବାରୁ ଚିନ୍ତାରେ ଅଛନ୍ତି। ସେହିପରି ମନ୍ଦିର ଭିତରେ ଓ ବାହାରେ କରିଥିବା ଭୋଗ, ଦୀପ ଓ ଫୁଲ ଦୋକାନୀ ମଧ୍ୟ ଚିନ୍ତାରେ ପଡିଛନ୍ତି।  ସେବାୟତ ମଣ୍ଟୁ ପୂଜାପଣ୍ଡାଙ୍କ କହିବା କଥା କିଛି ଦିନ ପରେ ବହୁ ସେବାୟତଙ୍କୁ ଆର୍ଥିକ ସମସ୍ୟା ହନ୍ତସନ୍ତ କରିବ। ସେହିଭଳି ତୀର୍ଥେଶ୍ବର ମନ୍ଦିରର ପୂଜକ ଗୋପିନାଥ କରଙ୍କ କହିବା କଥା ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ଥିବାରୁ ରୁଦ୍ରାଭିଷେକ ଭଳି ବିଭିନ୍ନ ପୂଜା ବନ୍ଦ। ତେଣୁ ପଇସାଟିଏ ରୋଜଗାର ନାହିଁ। ଆଗକୁ ବଡ଼ କଠିନ ସମୟ ଆସୁଛି। ପୂଜକ ତଥା ପୁରୋହିତ କାଳୀପ୍ରସାଦ ଦାଶଙ୍କ କହିବା ଅନୁସାରେ ଏବେ ବିନ୍ଦୁସାଗରରେ ଶ୍ରାଦ୍ଧ ଦେବା ପ୍ରାୟ ବନ୍ଦ ହୋଇଯାଇଛି। ବାହାଘର ବ୍ରତଘର ବି ବହୁ ପରିମାଣରେ କମିଗଲାଣି। ତେଣୁ ଆର୍ଥିକ ସମସ୍ୟା ଲାଗି ରହିଲେ, ଚଳିବା ବଡ଼ କାଠିକର ହେବ।

ସମ୍ବନ୍ଧିତ ଖବର