ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି କରୋନା ଆକ୍ରାନ୍ତ : ଟେଣ୍ଡର୍‌କୁ ମାସେ ପୂରିଲା, ବିଶୋଧନ ହେଲାନି

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୟାମ୍ପସରେ କର୍ମଚା‌ରୀଙ୍କ ଲାଗି ଥିବା ଏନ୍‌ଏଫ୍‌ କ୍ବାର୍ଟର୍‌ରେ ଭଡ଼ାରେ ରହୁଥିବା ଜଣେ କର୍ମଚାରୀ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ତା‌ଙ୍କ ନମୁନା ପଜିଟିଭ୍‌ ଆସିବା ପରେ କ୍ବାର୍ଟର୍ସରେ ରହୁଥିବା ୪ଟି ପରିବାରଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌‌ରେ ରଖାଯାଇଛି। ପ୍ରାୟ ଦେଢ଼ ମାସ ବ୍ୟବଧାନରେ କ୍ୟାମ୍ପସରେ ପୁଣିଥରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଅନ୍ତେବାସୀଙ୍କ ମଧ୍ୟରେ କୋକୁଆ ଭୟ ‌ଖେଳି ଯାଇଛି। ତେବେ ସକାଳୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ରାତି ସୁଦ୍ଧା ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇ ନଥିଲା। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଘର ଭଡ଼ା ଦେଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ବିଶ୍ବବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯେଉଁ କ୍ବାର୍ଟର୍‌ ପାଇଛନ୍ତି, ତାହାକୁ ଲଗାଇ ଏକ ଆଜବେଷ୍ଟସ୍‌ ଘର କରି ଭଡ଼ା ଦେଇଛନ୍ତି। ଆକ୍ରାନ୍ତଜଣଙ୍କ ସେହି ଭଡ଼ାଘରୁ ଚିହ୍ନଟ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ସେ ଚିହ୍ନଟ ହେବା ପୂର୍ବରୁ କ୍ୟାମ୍ପସରେ ରହିବା ସହ ବିଭିନ୍ନ ଅଞ୍ଚଳରେ ବୁଲୁଥିଲେ। ଏମିତିକି ଆଖପାଖ ଲୋକଙ୍କ ସହ ମଧ୍ୟ ମିଳାମିଶା କରିଥିବାରୁ କ୍ୟାମ୍ପସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ବିଶୋଧନ କରିବା ପାଇଁ ଆଜକୁ ଠିକ୍‌ ମାସକ ତଳେ ଟେଣ୍ଡର୍‌ ଡକାଯାଇଥିଲା। ଆଗ୍ରହୀ ସଂସ୍ଥା/ଫାର୍ମଗୁଡ଼ିକ ଜୁନ୍‌ ୨୬ ସୁଦ୍ଧା ଆବେଦନ କରିପାରିବେ। ସେହିଦିନ ଅପରାହ୍‌ଣ ୪ଟାରେ କୋଟେସନ୍‌ଗୁଡ଼ିକ ଖୋଲାଯିବ। ଏହାପରେ ଯେଉଁ ସଂସ୍ଥା ଯୋଗ୍ୟ ହେବେ ତାଙ୍କୁ କାର୍ଯ୍ୟ ଦିଆଯିବ। ଇତି ମଧ୍ୟରେ ମାସେ ବିତିଗଲାଣି। ବିଶୋଧନ ହେବା ଦୂରର କଥା ଏପର୍ଯ୍ୟନ୍ତ କୌଣସି ସଂସ୍ଥାକୁ ଟେଣ୍ଡର ଦିଆଯାଇପାରି ନାହିଁ। ନାଲିଫିତା ତଳେ ଟେଣ୍ଡରଗୁଡ଼ିକ ରହିଯାଇଛି। କେବେ ବିଶୋଧନ କରିବାକୁ ଥିବା ସଂସ୍ଥାକୁ ଟେଣ୍ଡର ଦିଆଯିବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର