ଚନ୍ଦ୍ରଶେଖରପୁର: ଏତେ ସଚେତନତା ସତ୍ତ୍ବେ ପୁଣି ଜଣେ ଯୁବକ ହନିଟ୍ରାପ୍ର ଶିକାର ହୋଇଛନ୍ତି। ଗତ ରାତିରେ ୫୦ ହଜାର ଟଙ୍କା ହରାଇଥିବା ଯୁବକ ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ବିଡିଏ ଅଞ୍ଚଳରେ ରହୁଥିବା ଏହି ଯୁବକଙ୍କ ମୋବାଇଲ୍ ଫୋନ୍କୁ ବିଳମ୍ବିତ ରାତିରେ ମେସେଞ୍ଜର ଆପ୍ ଜରିଆରେ ଜଣେ ଯୁବତୀଙ୍କ ମେସେଜ୍ ଆସିଥିଲା। ଯୁବତୀଙ୍କ ସହ ସେ ଚାଟିଂ କରିଥିଲେ। ପରେ ପରେ ଯୁବତୀ ଜଣକ ତାଙ୍କୁ ଭିଡିଓ କଲ୍ କରିଥିଲେ ଓ ଦୁଇଜଣଯାକ ପ୍ରାୟ ଅଧଘଣ୍ଟା କାଳ ଗପିଥିଲେ। କଥାଛଳରେ ଯୁବତୀ ତାଙ୍କୁ ସଙ୍ଗେ ସଙ୍ଗେ ଭେଟିବା ଓ ରାତିରେ ତାଙ୍କ ସହ ରହିବା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲେ।
ଏଥିପାଇଁ ସେ ୨ ହଜାର ଟଙ୍କା ଦାବି କରିଥିଲେ। ଯୁବକଜଣଙ୍କ ରାଜି ହେବା ପରେ ଯୁବତୀ ଏକ ଆକାଉଣ୍ଟ ନମ୍ବର ମେସେଜ୍ କରି ସେଥିରେ ୨ ହଜାର ଟଙ୍କା ପଠାଇବାକୁ କହିଥିଲେ। ତେବେ ଯୁବକ ଜଣଙ୍କ ୨ ହଜାର ଟଙ୍କା ସିନା ପଠାଇଲେ, ମାତ୍ର ତାଙ୍କ ଆକାଉଣ୍ଟରୁ ୫୦ହଜାର ଟଙ୍କା କଟିଗଲା ବୋଲି ବ୍ୟାଙ୍କ ମେସେଜ୍ ଆସିଥିଲା। ବ୍ୟାଙ୍କ ମେସେଜ୍ ଦେଖି ହଠାତ୍ କିଛି ବୁଝି ପାରିନଥିଲେ। ପାର୍ଥଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସଙ୍ଗେ ସଙ୍ଗେ ସେ ଯୁବତୀଙ୍କୁ କଲ୍ କରିଥିଲେ। ସେତେବେଳକୁ ଯୁବତୀଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ସେତେବେଳେ ସେ ବୁଝିପାରିଲେ ଯେ ସେ ହନିଟ୍ରାପ୍ର ଶିକାର ହୋଇଛନ୍ତି। ତେଣୁ ସେ ଆଜି ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ।