ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବାକୁ ଯୋଜନା କରିଥିଲା ପ୍ରଶାସନ। ଉଭୟ ପାହାଡ଼ର ମଝି ରାସ୍ତାକୁ ବ୍ୟାରିକେଡ୍ ପକାଇ ବନ୍ଦ କରିବା ସହ ଫୁଲଗଛ ଓ ପ୍ରସ୍ତର କାରୁକାର୍ଯ୍ୟ ମାଧ୍ୟମରେ ସୌନ୍ଦର୍ଯ୍ୟୀକରଣ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ଏଏସ୍ଆଇ, ବିଏମ୍ସି, ଟ୍ରାଫିକ୍ ପୁଲିସ ଓ ପୂର୍ତ୍ତ ବିଭାଗର ମିଳିତ ପ୍ରୟାସରେ ଏହା କରିବାକୁ ତିନି ମାସ ତଳେ ଏଭଳି ଏକ ନିଷ୍ପତ୍ତି ନିଆଯାଇଥିଲା। ହକି ବିଶ୍ବକପ୍ ହେଉଥିବାରୁ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ସବୁ ସ୍ତରରେ ତତ୍ପରତା ମଧ୍ୟ ପ୍ରକାଶ ପାଇଥିଲା। ମାତ୍ର ହକି ବିଶ୍ୱକପ୍ ଶେଷ ହେବା ପରେ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତି ଦେଖିବାକୁ ମିଳୁଛି।
ଖଣ୍ଡଗିରି ମେଳା ଆରମ୍ଭ ହେବା ପୂର୍ବରୁ ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବା ଲାଗି ବ୍ୟାରିକେଡ୍ କରାଯାଇ ସମ୍ପୂର୍ଣ୍ଣ ଗାଡି ଚଳାଚଳ ବନ୍ଦ କରାଯାଇଥିଲା। ଖଣ୍ଡଗିରି ଟ୍ରାଫିକ୍ ଛକ ଆଡ଼ୁ ଆସୁଥିବା ଚାଳକଙ୍କ ଲାଗି ପାନ୍ଥିକା ନିକଟ ଶୌଚାଳୟ ପାଖରେ ଓ ବିପରୀତ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଜୟଦେବ ବାଟିକା ଫାଟକ ନିକଟରେ ବ୍ୟାରିକେଡ୍ ପକାଯାଇ ରୁଟ୍ ପରିବର୍ତ୍ତନ ହୋଇଥିଲା। ଯେଉଁଥିପାଇଁ ଦୁଇ ଓ ଚାରି ଚକିଆ ଚାଳକଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ପର୍ଯ୍ୟଟକମାନେ ନିର୍ଦ୍ଧିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ କରି ଚାଲି ଚାଲି ଉଭୟ ପାହାଡକୁ ଯାଉଥିଲେ। ଖଣ୍ଡଗିରି ଟ୍ରାଫିକ୍ ଛକ ପାର୍ଶ୍ୱ ପଟୁ ଯାନବାହାନ ଧରି ଯାଉଥିବା ପର୍ଯ୍ୟଟକଙ୍କ ଗାଡ଼ି ପାର୍କିଂ ପାଇଁ ପାନ୍ଥିକା ସମ୍ମୁଖରେ ଓ ଜୟଦେବ ବାଟିକା ପଟୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏସ୍ଆଇ ଷ୍ଟାଣ୍ଡ ବ୍ୟବହାର କରିବାକୁ କୁହାଯାଇଥିଲା।
ଖଣ୍ଡଗିରି ମେଳା ସମୟରେ ପୁଲିସ ପକ୍ଷରୁ ନିୟମ କଡ଼ାକଡ଼ି ପାଳନ ମଧ୍ୟ କରାଯାଇଥିଲା। ସେତେବେଳେ ଅଧିକାରୀମାନେ କହିଥିଲେ ଯେ ପ୍ରଥମେ ଅସ୍ଥାୟୀ ବ୍ୟାରିକେଡ୍ ପକାଯାଇଛି। ଖୁବ୍ଶୀଘ୍ର ସ୍ଥାୟୀ ବ୍ୟାରିକେଡ୍ ଲାଗିବ। ନୂଆ ବ୍ୟବସ୍ଥାରେ ଟୋଲ୍ ଗେଟ୍ ଭଳି ବ୍ୟବସ୍ଥା କରି ଲୋକଙ୍କୁ ଭିତରକୁ ଛଡ଼ାଯିବ ବୋଲି କହି ପୂର୍ବରୁ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ପାଇଁ ଲାଗିଥିବା ଓଭରହେଡ୍ ବ୍ୟାରିକେଡ୍କୁ କଢ଼ାଯାଇଥିଲା। ତା’ ବଦଳରେ ପାନ୍ଥିକା ନିକଟରେ ଟୋଲ୍ ମଧ୍ୟ ଲାଗିଲା। ହେଲେ କାର୍ଯ୍ୟକାରୀ ହେଲାନି। ଉଭୟ ପଟରେ ଥିବା ସମସ୍ତ ବାଧକ ହଟିଯିବା ପରେ ଏବେ ପୁଣି ଐତିହ୍ୟକୁ ବିପଦ ମାଡ଼ି ବସିଲାଣି। ଦିନରାତି ଏବେ ପୁଣି ଭାରୀଯାନ ଯାତାୟତ କରୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ହେବା ଦ୍ୱାରା ପର୍ଯ୍ୟଟକ ସ୍ୱଚ୍ଛନ୍ଦରେ ବୁଲାବୁଲି କରିପାରୁନଥିଲେ। ଏବେ ମଧ୍ୟ ସମାନ ଅବସ୍ଥା ପୁଣି ଦେଖିବାକୁ ମିଳୁଛି। ଟ୍ରାଫିକ୍ ଜାମ୍ ସମସ୍ୟା ସାଙ୍ଗକୁ ପର୍ଯ୍ୟଟକମାନେ ଛୋଟମୋଟ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ନେଇ ପାହାଡ଼ ତଳେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କ କହିବା କଥା ମଝିରେ ଗାଡ଼ି ଚଳାଚଳ ବନ୍ଦ୍ ହେବା ପରେ ପର୍ଯ୍ୟଟକମାନେ ଭଲରେ ବୁଲାବୁଲି କରୁଥିଲେ। କେବଳ ଦୋକାନକୁ ଆବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ ଟୋଲ୍ ଗେଟ୍ ଖୋଲିବ ବୋଲି କୁହାଯାଇଥିଲା। ଏବେ ସବୁବେଳେ ଖୋଲା। ଦ୍ରୁତ ଗତିରେ ଗାଡ଼ି ଚାଲୁଥିବାରୁ ପର୍ଯ୍ୟଟକମାନେ ହଇରାଣ ହେଉଛନ୍ତି। ଗତ ୨ ସପ୍ତାହରେ ୨ଥର ଛୋଟ ଦୁର୍ଘଟଣା ମଧ୍ୟ ହେଲାଣି।
ଏ ନେଇ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଉଭୟ ରାସ୍ତାରେ ସ୍ଥାୟୀ ବୁମ୍ ଲଗାଯାଇଛି। ଏହାର ଉଭୟ ପାର୍ଶ୍ବରେ ୨ଜଣ ସୁରକ୍ଷାକର୍ମୀଙ୍କୁ ଜଗାଯାଇ ଟୋଲ୍ ପରି ଏହାକୁ ଖୋଲିବା ଓ ବନ୍ଦ୍ କରିବାର ବ୍ୟବସ୍ଥା ରହିଛି। ହେଲେ ଏହା ପୂର୍ତ୍ତ ବିଭାଗର ଅଧୀନରେ ନାହିଁ।