‌ମୋ’ ବସ୍‌କୁ ନେଇ ପୁଣି ଅଶାନ୍ତି

ଭୁବନେଶ୍ବର: ମୋ’ ବସ୍‌କୁ ନେଇ ଆଜି ରାଜଧାନୀରେ ପୁଣି ଅଶାନ୍ତି ଦେଖାଦେଇଛି। ଦିନ ପ୍ରାୟ ୨ଟାରେ ଦ୍ରୁତଗାମୀ ମୋ’ ବସ୍‌ ଏକ ବାଇକ୍‌କୁ ଧକ୍କା ଦେବା, ପ୍ରତିବାଦ କରିବାରୁ ବାଇକ୍‌ ଚାଳକଙ୍କୁ ନାଲିଆଖି ଦେଖାଇବାକୁ ନେଇ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କଣ୍ଡକ୍ଟର୍‌ ଓ ଚାଳକଙ୍କ ଅଭଦ୍ରାମି ବିରୋଧରେ ସ୍ଥାନୀୟ ଲୋକ ଏକାଠି ହୋଇ ବସ୍‌କୁ ପାଖାପାଖି ୨୦ ମିନିଟ୍‌ ଧରି ଅଟକ ରଖିଥିଲେ। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖାରବେଳନଗର ଥାନା ପୁଲିସ୍‌ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପୁଲିସକୁ ଚାଳକ ଓ କଣ୍ଡକ୍ଟର୍‌ଙ୍କ ନାଲିଆଖି
ବାଇକ୍‌କୁ ଧକ୍କାରୁ ତୀବ୍ର ଉତ୍ତେଜନା
ଉତ୍ତ୍ୟକ୍ତ ଲୋକେ ୨୦ ମିନିଟ୍‌ ଅଟକାଇଦେଲେ

ମିଳିଥିବା ସୂଚନାନୁଯାୟୀ, ଦିନ ପ୍ରାୟ ୨ଟା‌ରେ ରାମମନ୍ଦିର ପଟୁ ଏକ ମୋ’ ବସ୍‌ ରାସ୍ତାରେ ଦ୍ରୁତ ଗତିରେ ଆଗକୁ ଆଗକୁ ମାଡ଼ି ଚାଲିଥିଲା। କେନ୍ଦ୍ରୀୟ ବିଦ୍ୟାଳୟ-୧ ପାଖ‌ରେ ବସ୍‌ର ଷ୍ଟପେଜ୍‌ ଥିଲେ ହେଁ ବସ୍‌ଟି ନିର୍ଧାରିତ ଦୂରତାରୁ ବେଗ ନିୟନ୍ତ୍ରଣ କରିନଥିଲା। ଫଳରେ ଭାରସାମ୍ୟ ହରାଇ ରାସ୍ତାର ବାମପଟେ ବାଇକ୍‌ରେ ଯାଉଥିବା ଖଣ୍ଡିଗିରି ଥାନା ଏଏସ୍‌ଆଇ ରାଜୀବ ନାୟକଙ୍କୁ ଧକ୍କା ଦେଇଥିଲା। କିନ୍ତୁ ସୌଭାଗ୍ୟବଶତଃ ତାଙ୍କର କିଛି କ୍ଷୟକ୍ଷତି ହୋଇନଥିଲା। ତେବେ ଏନେଇ ସେ ପ୍ରତିବାଦ କରିବାରୁ ମୋ’ ବସ୍‌ ଚାଳକ କ୍ଷମା ମାଗିବେ କ’ଣ, ବସ୍‌ ଭିତରୁ ବାହାରି ଆସି ରାଜୀବଙ୍କୁ ନାଲି ଆଖି ଦେଖାଇଥିଲେ। ସାଦା ପୋଷାକରେ ଥିବା ରାଜୀବଙ୍କୁ ସେମାନେ ମନଇଚ୍ଛା ଗାଳିମନ୍ଦ କରିଥିଲେ। ତେବେ ସେଠାରେ ଉପସ୍ଥିତ ସାଧାରଣ ଲୋକ ଚାଳକ ଓ କଣ୍ଡକ୍ଟର୍‌ଙ୍କ ଏପରି ଦୁର୍ବ୍ୟବହାର ଦେଖି ସେମାନଙ୍କୁ ଘେରି ଯାଇଥିଲେ। ଖାଲି ଆଜିର ଘଟଣା ନୁହେଁ, ଗତ କିଛି ଦିନ ହେବ ମୋ’ ବସ୍‌ ବିରୋଧରେ ଏଭଳି ଅଭିଯୋଗ ବଢ଼ିବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ମୋ’ ବସ୍‌ ଓ ଏହାକୁ ପରିଚାଳନା କରୁଥିବା ସଂସ୍ଥା ‘କ୍ରୁଟ୍‌’ର ଛବି ମଳିନ ହେଉଛି। ଗତ କିଛି ଦିନ ହେଲା ମୋ’ ବସ୍‌ ବିରୋଧରେ ଏମିତି ଗଦାଗଦା ଅଭିଯୋଗ ଆସୁଥିଲେ ହେଁ ଚାଳକ କିମ୍ବା କଣ୍ଡକ୍ଟର୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ସେମାନଙ୍କ ସାହସ ବଢ଼ୁଥିବା ଅଭିଯୋଗ ହେଉଛି। ଏମିତି ସ୍ଥିତି ଜାରି ରହିଲେ, ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ସରକାର ଏହି ସେବା ଆରମ୍ଭ କରିଥିଲେ, ତାହା ପ୍ରତି ଲୋକ ମୁହଁ ଫେରାଇନେବେ ବୋଲି ବୁଦ୍ଧିଜୀବୀମହଲରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର