ପୂର୍ତ୍ତ ବିଭାଗ ରାସ୍ତାରେ ପୁଣି ଦାଦାଗିରି: ପିଚୁ ଖୋଳି ପେଭର୍‌ ବ୍ଲକ୍‌ ପକାଉଛି ବିଏମ୍‌ସି

ଭୁବନେଶ୍ୱର: ପିଚୁ ଖୋଳା ହେଉଛି, ସେ ଜାଗାରେ ପେଭର ବ୍ଲକ ପଡ଼ୁଛି। କେଉଁଠି ୬ ମାସ ତଳେ ପିଚୁ ପକାଇବାରେ ୨୦ ଲକ୍ଷ ଖର୍ଚ୍ଚ ହୋଇଥିଲା ତ କେଉଁଠି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା ବିଏମ୍‌ସି। ଏବେ ସେ ସବୁକୁ ତାଡ଼ି ପେଭର ବ୍ଲକ୍‌ ପକାଇବାକୁ ମାତିଛନ୍ତି କର୍ତ୍ତୃପକ୍ଷ। ଏଭଳି ଖୋଳା ପୋତାରେ ପୋଷା ହେଉଛନ୍ତି ଠିକାଦାର। ପିସି‌ରେ ଅଧିକାରୀ ବି ମାଲାମାଲ ହେଉଛନ୍ତି।

ଇଏ ତ ଗଲା କେବଳ ବିଏମ୍‌ସି ଅଧୀନରେ ଥିବା ରାସ୍ତାର କଥା। ପୂର୍ତ୍ତ ବିଭାଗ ଅଧୀନରେ ଥିବା କେତେକ ରାସ୍ତାରେ ମଧ୍ୟ ବିଏମ୍‌ସି ପୁଣି ଦାଦାଗିରି ଦେଖାଇଛି। ଏଭଳି ପେଭର ବ୍ଲକ୍‌ ପକାଇବା ଯୋଜନା କରିଥିଲା। ବିଧାୟକ ଏଠାରେ ନଡ଼ିଆ ବାଡ଼େଇ ଶୁଭ ଦେଇ ସାରିଥିଲେ। ଏହାକୁ ନେଇ ବିବାଦ ଉଗ୍ରରୂପ ନେବା ପରେ ଆଜି ବିଏମ୍‌ସି ଏହି କାର୍ଯ୍ୟାଦେଶ ବାତିଲ କରିଛି। ଏହା ବାଦ୍‌ ୩୦ରୁ ଊର୍ଦ୍ଧ୍ବ ପ୍ରକଳ୍ପ କାର୍ଯ୍ୟାଦେଶ ବଣ୍ଟା ସରିଛି। ଭଲ ରାସ୍ତାକୁ ଖୋଳି ବିଏମ୍‌ସି ପେଭର ବ୍ଲକ ପକାଇବାକୁ ଯାଉଛି। ପୂର୍ବରୁ ସହିଦନଗର ଥାନା ଅଞ୍ଚଳରେ ଭଲ ରାସ୍ତାକୁ ତାଡ଼ି ବିଏମ୍‌ସି ପେଭର ବ୍ଲକ ପକାଇବା ଯୋଜନା କରିଥିଲା। ଏହାକୁ ନେଇ ବିବାଦ ହୋଇଥିଲେ ମଧ୍ୟ ବିଏମ୍‌ସି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ପେଭର ବ୍ଲକ ପକାଇଥିଲା।

ଖୋଳା-ପୋତାରେ ପୋଷା ହେଉଛନ୍ତି ଠିକାଦାର
ଶୁଭ ଦେଇଥି‌ଲେ ବିଧାୟକ, ବାତିଲ ହେଲା କାର୍ଯ୍ୟାଦେଶ

ୱାର୍ଡ ନଂ ୩୬ ମଧୁସୂଦନନଗରରେ ଥିବା ୟୁନିଟ-୪ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ୬ ମାସ ତଳେ ମରାମତି କରିଥିଲା ପୂର୍ତ୍ତ ବିଭାଗ। ଏଥିରେ ପାଖା‌ପାଖି ୬ ଲକ୍ଷରୁ ଊର୍ଦ୍ଧ୍ବ ଖର୍ଚ୍ଚ କରିଥିଲା। ବିଏମ୍‌ସି ଏହି ରାସ୍ତା ତାଡ଼ି ପେଭର ବ୍ଲକ ପକାଇବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୧୨ ଲକ୍ଷ ୯୪ ହଜାର ୨୭୫ ଟଙ୍କା ବ୍ୟୟ ଅଟକଳ କରା ଯାଇଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା ନଡ଼ିଆ ବାଡ଼େଇ ଶୁଭ ମଧ୍ୟ ଦେଇଥିଲେ। ହେଲେ ଗୋଟିଏ ଜାଗାରେ ଦୁଇ ଦୁଇଥର କାହିଁକି ଅର୍ଥ ବରବାଦ ହେବ ବୋଲି ସ୍ଥାନୀୟ ଲୋକେ ଯୁକ୍ତି ବାଢ଼ିବାରୁ ବିବାଦ ଉଗ୍ର ରୂପ ‌ନେଇଥିଲା। ଅଭିଯୋଗ ପୂର୍ତ୍ତ ବିଭାଗରେ ପହଞ୍ଚିଥିଲା। ଅଭିଯୋଗ ପାଇବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ବନ୍ଦ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ (ରାସ୍ତା) ମନୁ ମିଶ୍ର ଆଦେଶ ଦେଇଥିଲେ। ଶେଷରେ ବିଏମ୍‌ସି ଏହି କାର୍ଯ୍ୟାଦେଶ ବାତିଲ କରିବାକୁ ବାଧ୍ୟ ହୋଇଛି। ପୂର୍ବରୁ ବିଏମ୍‌ସି ରାସ୍ତା ଉପରେ ଖୁଣ୍ଟ ପୋତିବାକୁ ଏକ ଘରୋଇ ସଂସ୍ଥାକୁ ଆଦେଶ ଦେଇଥିଲା। ଖବର ପାଇବା ପରେ ପୂର୍ତ୍ତ ବିଭାଗ ଏଭଳି ବେଆଇନ ଖୁଣ୍ଟ ପୋତାକୁ ବନ୍ଦ କରିଥିଲା।

ତେବେ କେବଳ ଏହି ରାସ୍ତା ନୁହେଁ, ବରଂ ଏହି ୱାର୍ଡରେ ଆଉ ଦୁଇଟି କାର୍ଯ୍ୟାଦେଶ ବଣ୍ଟା ହୋଇଛି। ୟୁନିଟ୍‌-୪ ମଦ ଦୋକାନ କଡ଼‌ ରାସ୍ତାକୁ ପେଭର ବ୍ଲକ ପକାଇବା ଯୋଜନା ହୋଇଛି। ଏହି ରାସ୍ତା ଭଲ ଥିଲେ ମଧ୍ୟ ଏଠାରେ ବିଏମ୍‌ସି ପାଖାପାଖି ୨୦ ଲକ୍ଷ ଖର୍ଚ୍ଚ କରିବାକୁ ଯାଉଛି। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦା ବିକାଶ ସିହ୍ନା କହିଛନ୍ତି, ବିଏମ୍‌ସି ଥରେ ରାସ୍ତା କରିବା ବ‌େଳେ ଏଠାରେ ଯିବା ଆସିବା କରିବା ପାଇଁ ମାସ ମାସ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଏହା ପରେ ସ୍ବେରେଜ୍‌ ବ୍ୟବସ୍ଥା ପାଇଁ ରାସ୍ତା ମଝିକୁ ପୁଣି ଥରେ ଖୋଳା ହେଉଛି। ଏଥିପାଇଁ ମଧ୍ୟ ଯିବା ଆସିବା ସମସ୍ୟା ହେଉଛି। ଏବେ ରାସ୍ତା ଭଲ ଅଛି। କିନ୍ତୁ ଏହାକୁ ଖୋଳି ବିଏମ୍‌ସି ଲକ୍ଷ ଲକ୍ଷ ଟଙ୍କା ବରବାଦ କରିବାକୁ ଯାଉଛି। ଏହା ତ’ କେବଳ ୱାର୍ଡ ନମ୍ବର ୩୬ର କଥା। ପ୍ରତ୍ୟେକ ୱାର୍ଡରେ ବିଏମ୍‌ସି ଏଭଳି ମନମାନି କରିଛି। ପ୍ରତ୍ୟେକ ୱାର୍ଡରେ କେତେକ ନିର୍ଦ୍ଦିଷ୍ଟ ରାସ୍ତାକୁ ଚିହ୍ନଟ କରି ପେଭର ବ୍ଲକ ପକାଇବା ଯୋଜନା କରିଛି। ଅଧିକାରୀମାନଙ୍କର ଏଭଳି ମନଇଚ୍ଛା କାରବାରରେ କେବଳ ବିଏମ୍‌ସି କୋଟି କୋଟି ଟଙ୍କାର ରାଜସ୍ବ ବରବାଦ ହେବ ନାହିଁ ବରଂ ସ୍ଥାନୀୟ ଲୋକେ ଦୁର୍ଦ୍ଦଶା ଭୋଗିବାକୁ ଯାଉଛନ୍ତି।

ବଡ଼କଥା ହେଉଛି ନୂଆ ପରିଷଦ ଗଠନ ହେବା ପୂର୍ବରୁ ଏଭଳି ୫୦ରୁ ଊର୍ଦ୍ଧ୍ବ କାର୍ଯ୍ୟାଦେଶ ବଣ୍ଟା ସରିଛି। ନୂଆ ପରିଷଦ ଗଠନ ପୂର୍ବରୁ ଠିକାଦାରଙ୍କୁ ପୋଷିବା ପାଇଁ ଅଧିକାରୀମାନେ ଏଭଳି ସୁପରିକଳ୍ପିତ ଯୋଜନା କରିଥିବା ଅଭିଯୋଗ ହୋଇଛି। ୟୁନିଟ୍‌-୪ ବାଳିକା ଉଚ୍ଚବିଦ୍ୟାଳୟ ସାମ୍ନା ରାସ୍ତାକୁ ପୂର୍ତ୍ତ ବିଭାଗ ମରାମତି କରିବା ଓ ଏହାକୁ ତାଡ଼ି ବିଏମ୍‌ସି ପେଭର ବ୍ଲକ ପକାଇବା ଯୋଜନା କରିବା ନେଇ କୌଣସି ଖବର ନଥିବା ମେୟର ସୁଲୋଚନା ଦାସ କହିଛନ୍ତି। ଏନେଇ ସିଟି ଇଞ୍ଜିନିୟର ଅରୁଣ ନାୟକ କିଛି କହିବାକୁ ଚାହିନାହାନ୍ତି। ଏଣୁ ଏହି ପେଭର ବ୍ଲକ କାରବାରର ତଦନ୍ତ ହେଲେ ଏହା ପଛରେ ଥିବା କୋଟି କୋଟି ଟଙ୍କା କାରବାର ଉପରୁ ପରଦା ହଟିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର