ପୁଣି ଅଳିଆ ଗାଡ଼ି ଧକ୍କାରେ ଜଣେ ମୃତ

ଭୁବନେଶ୍ବର/ବାରଙ୍ଗ: ଆଉ ଏକ ଜୀବନ ନେଇଛି ଆବର୍ଜନା ବୋହୁଥିବା ଗାଡ଼ି। ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାରେ ଜଣେ ସାଇକେଲ୍‌ ଚାଳକ ଉପରେ ଆବର୍ଜନା ଭର୍ତ୍ତି ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବାରଙ୍ଗ ବ୍ଲକ୍ ରାମଦାଶପୁର ପଞ୍ଚାୟତ ବେଣ୍ଟୁଆ ବସ୍ତିର ରାମଚନ୍ଦ୍ର ଗାଗରାଇ (୪୬)। ସେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିବା ତାଙ୍କ ପୁଅ ପାଇଁ ଖାଇବାକୁ ନେଇ ଯାଉଥିବା ବେଳେ ସାମ୍ନାରୁ ଆବର୍ଜନା ନେଇ ଆସୁଥିବା ଟ୍ରକ (ଓଆରଠ୯ ଜି-୧୬୬୫) ତାଙ୍କ ଉପରେ ଚଢ଼ିଯାଇଥିଲା। ଗାଡ଼ିଟି ତାଙ୍କୁ ପ୍ରାୟ ୪ ମିଟର ପର୍ଯ୍ୟନ୍ତ ସାଇକେଲ ସହ ଘୋଷାରି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଚନ୍ଦକା-ଦାରୁଠେଙ୍ଗ ରାସ୍ତା ୩ ଘଣ୍ଟା ଅବରୋଧ
ମୃତକ ପରିବାରକୁ ୫ ଲକ୍ଷର ଅନୁକମ୍ପା
ବିଏମ୍‌ସିରେ ମିଳିବ ଚାକିରି

ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ସମିତି ସଭ୍ୟ ଅଜିତ କୁମାର ଶ୍ରୀଚନ୍ଦନ, ପୂର୍ବତନ ସମିତି ସଭ୍ୟ ଅକ୍ଷୟ କୁମାର ପାହାଡ଼ସିଂହ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ରାଉତରାୟ, ସଂଗ୍ରାମ ପ୍ରଧାନ, ତପନ ବଳିୟାରସିଂହଙ୍କ ସମେତ ଶତାଧିକ ବାସିନ୍ଦା ଦାରୁଠେଙ୍ଗ-ଚନ୍ଦକା ମୁଖ୍ୟ ରାସ୍ତାରେ ପଥର ଓ ଡାଳ ପକାଇ ଅବରୋଧ କରିଥିଲେ। ତାଙ୍କ ସହ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ସାମିଲ ହୋଇଥିଲେ। ମୃତକ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପରିବାର ସଦସ୍ୟଙ୍କୁ ଚାକିରି ଦାବି କରିଥିଲେ। ଆଗକୁ କୌଣସି ପରିସ୍ଥିତିରେ ଏଠାକୁ ଆବର୍ଜନା ଆସିବ ନାହିଁ ଓ ସ୍ଥାୟୀ ପ୍ରତିକାର ନ ହେଲେ ବା‌ୟୋମାଇନିଂ ପ୍ରକଳ୍ପ ମଧ୍ୟ କରାଇ ଦିଆଯିବ ନାହିଁ ବୋଲି ଜିଦ୍‌ ଧରିଥିଲେ। ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ଧରି ସେଠାରେ ଉତ୍ତେଜନା ଲାଗି ରହିଥିଲା।

ଖବର ପାଇ ଏସିପି ରମେଶ ବିଶୋଇ, ଚନ୍ଦକା ଥାନା ଇନ୍‌ସ୍‌ପେକ୍ଟର ସୁରେନ୍ଦ୍ର ବଳ, ନନ୍ଦନକାନନ ଥାନା ଇନ୍‌ସ୍‌ପେକ୍ଟର ବିଶ୍ୱରଞ୍ଜନ ନାୟକଙ୍କ ସମେତ ପୁଲିସ ଫୋର୍ସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଜବତ କରିବା ସହ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା। ପରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ପରିବାର ସଦସ୍ୟଙ୍କୁ ବିଏମ୍‌ସିରେ ଚାକିରି ଦେବାକୁ ମେୟର ପ୍ରତିଶ୍ରୁତି ଦେଇଥିଲେ। ସେହି ନିର୍ଦ୍ଦିଷ୍ଟ ଜାଗାରେ ଟି ଜଙ୍କସନ୍‌ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଣୁ ଏଠ‌ାରେ ଟ୍ରାଫିକ୍‌ ପୁଲିସ ବ୍ୟବସ୍ଥା କରାଯିବ ବୋଲି ମେୟର କହିବା ପରେ ସେମାନେ ରାସ୍ତାରୁ ଉଠି ଯାଇଥିଲେ। ତେବେ ସେଠାରେ ଆବର୍ଜନା ପକାଇବା ଜାରି ରଖିବାକୁ ମେୟର ଓ କମିସନର ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ଆସନ୍ତାକାଲି ଠାରୁ ସେଠାରେ ଆବର୍ଜନା ପକାଇ ଦିଆଯିବ ନାହିଁ ବୋଲି ସରପଞ୍ଚ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୩ ତାରିଖ ସକାଳେ ଏହି ଜାଗାରେ ଏଭଳି ଏକ ଆବର୍ଜନା ବୋହୁଥିବା ଟ୍ରକ୍‌ ଧକ୍କାରେ ଋଷବ ରାଉତରାୟ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗ୍ରାମବାସୀମାନେ ଆବର୍ଜନା‌ ଟ୍ରକ୍‌କୁ ଆଉ ଭୁଆସୁଣି ଆସିବାକୁ ଦେଇନଥିଲେ। ବିଏମ୍‌ସି ସମାଧାନ କରି ନ ପାରିବାରୁ ସରକାର ହସ୍ତକ୍ଷେପ କରିବା ପରେ ଆବର୍ଜନା ଆସିବା ଆରମ୍ଭ ହୋଇଥିଲା। କିନ୍ତୁ ଆଜିର ଏହି ଅଘଟଣ ଆବର୍ଜନା ପାଇଁ କାଳ ହୋଇଛି। ଅନ୍ୟପଟେ ଗତକାଲି ବାୟୋମାଇନିଂ ପାଇଁ ଯେଉଁ ବାଟ ଫିଟିଥିଲା ତାହା ମଧ୍ୟ ପୁଣି ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଫଳରେ ବିଏମ୍‌ସିର ଚିନ୍ତା ବଢ଼ିଛି।

ଚର୍ଚ୍ଚାରେ ନଗଦ ୫ ଲକ୍ଷ

ଆନ୍ଦୋଳନକାରୀମାନଙ୍କର ଦାବି ଥିଲା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦିଆଯାଉ। ଏହି ଦାବି ମୁତାବକ ବିଏମ୍‌ସି ଘଟଣାସ୍ଥଳରେ ହିଁ ମୃତକଙ୍କ ପତ୍ନୀଙ୍କୁ ନଗଦ ୫ ଲକ୍ଷ ଟଙ୍କା ଦେଇଥିଲା। ଜଣେ ଅଧିକାରୀ ଏକ ବ୍ୟାଗ୍‌ରେ ୫ ଶହ ଟଙ୍କିଆ ବିଡ଼ା ନେଇ ଆସିବା ପରେ ମେୟର ଏହି ଅର୍ଥ ପ୍ରଦାନ କରିଥିଲେ। ଏତେ ପରିମାଣର ଅନୁକମ୍ପା ରାଶି ନଗଦରେ ଦିଆଯିବା କେବଳ ବିଏମ୍‌ସି ଇତିହାସରେ ନୂଆ ନୁହେଁ, ବରଂ ରାଜ୍ୟରେ ପ୍ରଥମ ଘଟଣା। ତେବେ ଏହି ଅର୍ଥ କେଉଁଠୁ ଆସିଲା? ରବିବାର ବ୍ୟାଙ୍କ୍‌ ବନ୍ଦ ଥିବାରୁ ନଗଦ ୫ଲକ୍ଷ ଟଙ୍କା ବିଏମ୍‌ସି ଆକାଉଣ୍ଟରୁ ଆଣିବା ଅସମ୍ଭବ। ରେଡ୍‌କ୍ରସ୍‌ ପାଣ୍ଠିରୁ ଏତେ ଟଙ୍କା ମିଳେନାହିଁ। ତାହା ପୁଣି ତହସିଲଦାର କିମ୍ବା ଜିଲ୍ଲାପାଳ ପ୍ରଦାନ କରନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି କିମ୍ବା ଜିଲ୍ଲାପାଳ ପ୍ରଦାନ କରୁଥିବା ଅନୁକମ୍ପା ରାଶି ମଧ୍ୟ ଏତେ ଟଙ୍କା ନୁହେଁ। ଯାହା ମିଳେ ତାହା ଅନେକ ରିପୋର୍ଟ ଆଧାରରେ ମିଳିଥାଏ। କିନ୍ତୁ ଆଜି ବିଏମ୍‌ସିର ଏଭଳି ତତ୍ପରତା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ମେୟର, କମିସନର୍‌ଙ୍କ ତତ୍ପରତା

ଭୁଆସୁଣି ଡମ୍ପିଂୟାର୍ଡକୁ ଆବର୍ଜନା ନେଇ ଯାଉଥିବା ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗତ ଅଗଷ୍ଟ ୩ ତାରିଖରେ ଠିକ୍‌ ଏମିତି ଏକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିଲେ। ସେଦିନ ବି ରବିବାର ଥିଲା। ଆଜି ଯେମିତି ଉତ୍ତେଜନା ପ୍ରକାଶ ପାଇଲା ସେଦିନ ବି ଠିକ୍‌ ସେମିତି ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଯେଉଁମାନେ ଥିଲେ ସେଦିନ ବି ସେଇ ସମାନ ଲୋକ ଯଥା, ଜଟଣୀ ବିଧାୟକ, ସରପଞ୍ଚ ଓ ଅନ୍ୟମାନେ ଧାରଣା ଦେଉଥିଲେ। କିନ୍ତୁ ସେଦିନ ବିଏମ୍‌ସିରୁ ଜଣେ ହେଲେ ଘଟଣାସ୍ଥଳକୁ ଯାଇନଥିଲେ। ଯେଉଁଥିପାଇଁ ସରକାର ହସ୍ତକ୍ଷେପ କଲେ। ମନ୍ତ୍ରୀଙ୍କ ଘରେ ବରିଷ୍ଠ ନେତାମାନେ ଗ୍ରାମବାସୀଙ୍କୁ ବୁଝାଇଲେ। ହେଲେ ଆଜି କିନ୍ତୁ ଚିତ୍ର ପୂରା ଅଲଗା ଥିଲା। ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ରଶ୍ମିରଞ୍ଜନ ପାଟ୍ଟଶାଣୀଙ୍କ ସହ କମିସନର ବିଜୟ ଅମୃତା କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ‌ବିଏମ୍‌ସି କର୍ତ୍ତୃପକ୍ଷ ପୁରୁଣା ଭୁଲ୍‌କୁ ଆଉ ଦୋହରାଇବାକୁ ନ ଦେବାକୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ସାମ୍ନା କରିଥିଲେ।

ବଢ଼ିଲା ଚିନ୍ତା

ଆବର୍ଜନା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ଭୁଆସୁଣି ଡମ୍ପିଂୟାର୍ଡକୁ ଆଉ ଆବର୍ଜନା ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ। ଗତ ଅଗଷ୍ଟ ୩ ତାରିଖରେ ଏଠାରେ ସମାନ ଢଙ୍ଗରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ପଞ୍ଚାୟତବାସୀ ଭୁଆସୁଣିକୁ ଆବର୍ଜନା ଗାଡ଼ି ଛାଡ଼ିନଥିଲେ। ବିଏମ୍‌ସି ସମାଧାନ କରି ନ ପାରିବାରୁ ସରକାର ହସ୍ତକ୍ଷେପ କରି ସମାଧାନ କରିଥିଲେ ଓ ପୂର୍ବପରି ଆବର୍ଜନା ବୋହିବା ଜାରି ରହିଥିଲା। କିନ୍ତୁ ଆଜିର ଏହି ଅଘଟଣ ଆବର୍ଜନା ପାଇଁ କାଳ ହୋଇଛି। ଆବର୍ଜନା ଗାଡ଼ି ଛଡ଼ା ଯିବ ନାହିଁ ବୋଲି ସରପଞ୍ଚ ତପନ ଚକ୍ରବର୍ତ୍ତୀ ଚେତାବନୀ ଦେଇଛନ୍ତି। ତା’ ସହିତ ଗତକାଲି ବାୟୋମାଇନିଂ ପ୍ରକଳ୍ପ ସ୍ଥାପନ ପାଇଁ ସଫା କାର୍ଯ୍ୟ ଆରମ୍ଭ ହୋଇଥିଲା। ଯେଉଁ ବାଟ ଫିଟିଥିଲା ତାହା ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ବିଏମ୍‌ସିର ଚିନ୍ତା ବଢ଼ିଛି। ଟିଟିଏସ୍‌ ପୂର୍ଣ୍ଣ ହୋଇଯାଇଛି, ବାହାରେ ଆବର୍ଜନା ଗଦା ହୋଇଛି। ଏମ୍‌ସିସି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବାରୁ ଆବର୍ଜନା ପରିଚାଳନା ନେଇ ଯେଉଁ ହିସାବ କରାଯାଇଥିଲା ତାହା ହୋଇପାରୁ ନାହିଁ। ଏଣୁ ଭୁଆସୁଣିକୁ ଆବର୍ଜନା ନ ଗଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏବେ ବି ସହର ସାରା ଆବର୍ଜନା ଗଦା ହୋଇ ରହୁଛି। ଏଣେ ମେ’ ସୁଦ୍ଧା ଭୁଆସୁଣିକୁ ଆବର୍ଜନା ବନ୍ଦ କରିବାକୁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ମଧ୍ୟ ସମ୍ଭବ ହେବା ଭଳି ଦେଖାଯାଉ ନାହିଁ। ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ଚେତାବନୀ ବିଏମ୍‌ସିର ନିଦ ହଜାଇଛି।

ସମ୍ବନ୍ଧିତ ଖବର