ଭୁବନେଶ୍ୱର: ଗୁରୁବାର ରାତିରେ ଓ ଆସନ୍ତାକାଲ ଭୋର୍ରୁ ରାଜଧାନୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏପରିକି ୮ ଘଣ୍ଟା ମଧ୍ୟରେ ପ୍ରାୟ ୧୫୦ ମିମି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାରରୁ ବର୍ଷା ଲାଗି ରହିଥିବାରୁ ସ୍ଥିତି ସଙ୍ଗିନ ହେବାର ଆଶଙ୍କା ଅଛି। ତେଣୁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ପଦକ୍ଷେପ ସ୍ୱରୂପ ରାଜଧାନୀର ସମସ୍ତ ସ୍କୁଲ ଶୁକ୍ରବାର ଛୁଟି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହାବାଦ୍ ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ବିଏମ୍ସି, ଅଗ୍ନିଶମ ବିଭାଗ ପୂରା ସତର୍କ ହୋଇଯାଇଛି। ଦୁଇ ଦିନ ହେଲା ରାଜଧାନୀରେ ବର୍ଷା ଲାଗି ରହିଥିବା ବେଳେ ଗତ ୩୦ଘଣ୍ଟା ମଧ୍ୟରେ ୯୯.୭ମିମି ବର୍ଷା ହୋଇଛି। ଏହାଦ୍ୱାରା କେତେକ ଅଞ୍ଚଳରେ ପାଣି ଜମିଛି। ବିଏମ୍ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ପମ୍ପ ମାଧ୍ୟମରେ ଜଳ ନିଷ୍କାସନ କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଗୌରୀ ଗାର୍ଡେନ୍, ଗୌରୀ ନଗର, ଗୌରୀଶଙ୍କର ଇଂରାଜୀ ମାଧ୍ୟମ ସ୍କୁଲ, ରତ୍ନ ଭିଲ୍ଲା, ପବିତ୍ର ଗେଷ୍ଟ ହାଉସ୍ ନିକଟରେ ପମ୍ପ ଯୋଗେ ପାଣି ନିଷ୍କାସନ କରାଯାଇଛି। ସେହିପରି ବିଏମ୍ସି ପକ୍ଷରୁ ମଲ୍ଲିକ କମ୍ପ୍ଲେକ୍ସ, ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର, ପାଇକ ନଗର, ନିଉ ଫରେଷ୍ଟ କଲୋନି, ଗାୟତ୍ରୀ ନଗର, ପାହାଳ ରୁଦ୍ରପୁର, ବିଜେବି ନଗର ନିକଟସ୍ଥ ଅଢ଼େଇଖାଲ, ମାଳିଅନ୍ତା ପୋଖରୀ, ଗ୍ୟାରେଜ ଛକ ସାଇ ମନ୍ଦିର ପଛ ପାର୍ଶ୍ୱ, ଶ୍ରୀରାମ ନଗର, ନୂଆ ଗାଁ ମୁଖ୍ୟ ରାସ୍ତା, ସ୍ଲାବ୍ ଇଣ୍ଡଷ୍ଟ୍ରି ପଛ ପାର୍ଶ୍ୱ ଅଞ୍ଚଳରେ ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଇଛି। ଏହାସହ ୧୩ଟି ସବ୍ ଜୋନ୍ରେ ୧୩ଜଣ ବରିଷ୍ଠ ଅଧିକାରୀଙ୍କୁ ସଜାଗ ରଖାଯାଇଛି। ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ମଧ୍ୟରେ ଭୁବନେଶ୍ୱର ଓ୍ଵାନ୍ ଟୋଲ୍ ଫ୍ରି ସେଣ୍ଟରକୁ ୧୨ଟି ଅଭିଯୋଗ ଆସିଥିବା ବେଳେ ସମସ୍ତ ଅଭିଯୋଗର ସମାଧାନ କରାଯାଇଛି। ଯଦି କୌଣସି ସ୍ଥାନରେ ଜଳବନ୍ଦୀ ସମସ୍ୟା ହୁଏ ତେବେ ଲୋକମାନେ ୦୬୭୪-୨୪୩୨୨୮ ଏବଂ ୧୮୦୦୩୪୫୦୦୬୧ ନମ୍ବରରେ ଫୋନ୍ କରି ଅଭିଯୋଗ କରିପାରିବେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ବୁଧବାର ଓ ଆଜି ଦୁଇଦିନ ଧରି ହୋଇଥିବା ବର୍ଷାରେ ନନ୍ଦନବିହାର, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟବିହାର, ବମିଖାଲ, ଜଗନ୍ନାଥନଗର, ରସୁଲଗଡ଼ ଆଦି ଅଞ୍ଚଳର ଖାଲୁଆ ସ୍ଥାନରେ ପାଣି ଜମିଛି। ସେହିପରି ବର୍ଷା ଯୋଗୁଁ ଜୟଦେବବିହାର-ନନ୍ଦନକାନନ ରାସ୍ତାର କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଏକ ଗଛ ଉପୁଡ଼ି ବାଇକ୍ ଉପରେ ପଡ଼ିବାରୁ ୨ଜଣ ଆହତ ହୋଇଛନ୍ତି। ପୁରୁଣା ଭୁବନେଶ୍ୱରରେ ଥିବା ବିଭିନ୍ନ ମନ୍ଦିର ଭିତରେ ପାଣି ପଶିବାରୁ ଠାକୁର ସଂପୂର୍ଣ୍ଣ ବୁଡ଼ି ଯାଇଛନ୍ତି। ସେହିପରି ବାଲିପାଟଣାରେ ଥିବା ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି। ବାଲିପାଟଣାର ଐତିହାସିକ ବୁଦ୍ଧନାଥ ମନ୍ଦିରରେ ବର୍ଷା ପାଣି ପଶିଯିବାରୁ ଠାକୁର ମଧ୍ୟ ପାଣିରେ ବୁଡ଼ି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/kesab-rain.jpg)