ଭୁବନେଶ୍ବର: ଏକାମ୍ରରେ ପୁଣି ଥରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପରେ ଭରସା କରିଛି ବିଜୁ ଜନତା ଦଳ। ଲଗାତାର ଚତୁର୍ଥ ଥର ପାଇଁ ଦଳ ଏକାମ୍ରରେ ଶ୍ରୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଏକାଧିକ ଆଶାୟୀ ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରୀ ପଣ୍ଡା ଟିକେଟ ପାଇଛନ୍ତି। ଆଜି ଅପରାହ୍ନରେ ନାମ ଘୋଷଣା ହେବା ପରେ ସମର୍ଥକଙ୍କ ସହ ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଖୁସିରେ କର୍ମୀମାନେ ଏକାଠି ହୋଇ ବାଣ ଫୁଟାଇ, ପରସ୍ପର ମିଠା ଖୁଆଇ ଉତ୍ସବ ପାଳିଛନ୍ତି।
୨୦୦୯ ମସିହାରେ ଏକାମ୍ର ନିର୍ବାଚନମଣ୍ଡଳୀ ଗଠନ ହେବା ପରଠାରୁ ବିଜେଡି ଏକାମ୍ର ଦଖଲ କରିଆସିଛି। ଆଉ ଏହି ବିଜୟର ମଙ୍ଗ ଧରିଛନ୍ତି ଅଶୋକ। ବିଭିନ୍ନ ନିର୍ବାଚନରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିଲେ ହେଁ ଦଳ ଶ୍ରୀ ପଣ୍ଡାଙ୍କ ଉପରେ ଭରସା କରିଆସିଛି। ଲଗାତାର କଂଗ୍ରେସ ଓ ବିଜେପିର ପ୍ରାର୍ଥୀଙ୍କୁ ପରାଜୟ କରି ସେ ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତିଛନ୍ତି ଏବଂ ଲଗାତାର ୧୦ ବର୍ଷ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଚଳିତ ଥର ମଧ୍ୟ ଏକାଧିକ ଆଶାୟୀ ଆବିର୍ଭାବ ହୋଇଥିଲେ। ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ବହୁ ଦିନ ହେଲା ସମାନ୍ତରାଳ ସଂଗଠନ କରି ଟିକେଟ ପାଇଁ ଲବି ଚଳାଇଥିଲେ। ତେବେ ତାଙ୍କୁ ବୁଝାସୁଝା କଲା ପରେ ସେ ଟିକେଟ୍ ଦୌଡ଼ରୁ ଦୂରେଇ ଯାଇଥିଲେ। କିନ୍ତୁ କିଛି ଦିନ ହେବ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ବିଜେଡି ଟିକେଟ ପାଇଁ ଲବି ଚଳାଇଥିଲେ। ବିଭିନ୍ନ ସ୍ଥାନରେ ସମାବେଶ କରି ଟିକେଟ ପାଇଁ ଦାବି କରିଥିଲେ। କିନ୍ତୁ ଏହାର ପ୍ରଭାବ ବିଜେଡି ଶୀର୍ଷ ନେତୃତ୍ବ ଉପରେ ପଡ଼ିନି। ଶ୍ରୀ ପଣ୍ଡାଙ୍କୁ ପୁଣି ଥରେ ଏକାମ୍ର ଟିକେଟ ଧରାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏକାମ୍ରରେ ମୁଖ୍ୟମନ୍ତ୍ରୀଙ୍କ ଘର ହୋଇଥିବାରୁ ଏହି ନିର୍ବାଚନମଣ୍ଡଳୀଟି ବିଜେଡି ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ।
ଟିକେଟ ପାଇଲା ପରେ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଏକାମ୍ର ନିର୍ବାଚନମଣ୍ଡଳୀରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ସବୁବେଳେ ପ୍ରାଥମିକତା ଦିଆଯାଇଛି। ଏକାମ୍ରବାସୀ ସବୁବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି। ଏଥର ମଧ୍ୟ ସେମାନେ ଆଶୀର୍ବାଦ ଦେବେ।