ଧଉଳି : ଆସନ୍ତା ୨୭ ତାରିଖରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଧଉଳି ଶାନ୍ତିସ୍ତୂପ ଚମକିବ। କରୋନା କଟକଣା ପାଇ ପ୍ରାୟ ୬ ମାସ ହେଲା ବନ୍ଦ ରହିଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଦ୍ବାରା ପୁଣି ଧଉଳିଗିରି ଝଲସିବ। ସନ୍ଧ୍ୟାରେ ଏହି ସୋ’ ପ୍ରଦର୍ଶନ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଅଧିକ ସଂଖ୍ୟାରେ ସାଧାରଣ ଦର୍ଶକଙ୍କୁ ଏହି ସୋ’ ଦେଖିବା ମଉକା ମିଳିବାକୁ ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ଦୂରରୁ ଏହାର ମଜା ନେଇପାରିବେ।
ପର୍ଯ୍ୟଟନ ଦିବସ ପାଳନ ଅବସରରେ ଏଠାରେ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି କୁହାଯାଇଛି। ହେଲେ ପର୍ଯ୍ୟଟକମାନଙ୍କ ଆସିବା ନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ହୋଇନଥିବା ଜଣେ ଅଧିକାରୀ ଜଣାଇଛନ୍ତି। ତେବେ ଏହି ଅବସରରେ ଶାନ୍ତିସ୍ତୂପ ପରସିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରାକ୍ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । ସକାଳ ୮ଟାରେ ଏଠାରେ ସାମାଜିକ ଦୂରତା ରକ୍ଷା କରି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ। ଏଥିରେ ଇନ୍ଫୋସିଟି ଅଞ୍ଚଳରୁ ଆସିବାକୁ ଥିବା ଏକ ବାଇକ୍ ଶୋଭାଯାତ୍ରାକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ। କେବଳ ସେହି ଦିନକ ପାଇଁ ସଂଧ୍ୟାରେ ଶାନ୍ତିସ୍ତୂପ ଉପରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ପ୍ରଦର୍ଶିତ ହେବ ବୋଲି ଦାୟିତ୍ବରେ ଥିବା ଜଣେ ଅଧିକାରୀ ଜଣାଇଛନ୍ତି। ବିଭାଗୀୟ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ଅଳ୍ପ ସଂଖ୍ୟକ ଦର୍ଶକ ସୋ’ ଦେଖିପାରିବେ। କୋଭିଡ୍ ନିୟମ ପାଳନ ପୂର୍ବକ ସମସ୍ତ କାର୍ଯ୍ୟ ସଂପାଦନ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ସୂତ୍ରରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/dhuli.jpg)