ଅସୁରକ୍ଷିତ ବିମାନବନ୍ଦର, ପୁଣି ଝାମ୍ପି ନେଲେ ମହିଳାଙ୍କ ଭ୍ୟାନିଟି

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ପୁଣିଥରେ ଜଣେ ମହିଳାଙ୍କର ଭ୍ୟାନିଟି ବ୍ୟାଗ୍‌ ଲୁଟ୍‌ ହୋଇଛି। ମହିଳା ଜଣଙ୍କ ସପରିବାରେ ଆଜି ଓଡ଼ିଶା ବୁଲିବାକୁ ଆସିଥିବା ବେଳେ କେହି ଦୁର୍ବୃତ୍ତ ଲଗେଜ୍‌ ଟ୍ରଲିରୁ ତାଙ୍କ ଭ୍ୟାନିଟି ବ୍ୟାଗ୍‌କୁ ଲୁଟି ନେଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣଙ୍କ ହେଲେ କୋଲକାତାର ଦୀପ୍ତି ଅଗ୍ରୱାଲ। ଏନେଇ ସେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ଏୟାରପୋର୍ଟ ଥାନା ଓ ସିଆଇଏସ୍‌ଏଫ ନିକଟରେ ଅଭିଯୋଗ କରିଥିଲେ। ଦୀପ୍ତିଙ୍କ ଅଭିଯୋଗ ଅନୁଯାୟୀ, ଚୋରି ହୋଇଥିବା ତାଙ୍କ ବ୍ୟାଗ୍‌ରେଏକ ଦାମୀ ମୋବାଇଲ୍‌, ୩୦ ହଜାର ଟଙ୍କା, ପରିବାର ସଦସ୍ୟଙ୍କ ଭିସା, ପାସପୋର୍ଟ, ଏଟିଏମ୍‌ କାର୍ଡ ଓ ପରିଚୟପତ୍ର ସମେତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା। ଏୟାରପୋର୍ଟ ଥାନା ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଚୋରକୁ ଧରିବା ପାଇଁ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ, କୋଣାର୍କ ଆଦି ଦର୍ଶନୀୟ ସ୍ଥାନ ବୁଲିବା ପାଇଁ ଦୀପ୍ତି ଆଜି ସପରିବାରେ ବିମାନ ଯୋଗେ ଓଡ଼ିଶା ଆସିଥିଲେ। ପୂର୍ବାହ୍ଣ ୯ଟାରେ ସେ ବିମାନବନ୍ଦରରେ ଓହ୍ଲାଇଥିଲେ। ତାଙ୍କ ସ୍ୱାମୀ ଟ୍ୟାକ୍ସି ବୁଝିବା ପାଇଁ ଯାଇଥିବା ବେଳେ ଦୀପ୍ତି ଓ ତାଙ୍କର ୩ ପୁଅ, ଝିଅଙ୍କ ସହ କଥା ହେଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଟ୍ରଲିରୁ ତାଙ୍କ ବ୍ୟାଗ୍‌ ଚୋରି କରି ନେଇଥିଲା। ଦୀପ୍ତି ଏନେଇ ସିଆଇଏସ୍‌ଏଫ ଓ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ସମାନ ଢଙ୍ଗରେ ଗତ ଜୁନ୍‌ ୨ ତାରିଖରେ ଏୟାର‌ପୋର୍ଟ ଟର୍ମିନାଲରୁ ଘାନା ଦେଶରେ ରହୁଥିବା ନିରଜ ଚନ୍ଦନ ତାଙ୍କ ପତ୍ନୀ ଆଲଫା ଚନ୍ଦନଙ୍କ ଭ୍ୟାନିଟି ବ୍ୟାଗ୍‌ ଚୋରି ହୋଇଯାଇଥିଲା। ତାଙ୍କ ବ୍ୟାଗ୍‌ରେ ୩ ହଜାର ଡଲାର୍‌, ୩ଟି ମୋବାଇଲ, ପରିବାରର ସମସ୍ତଙ୍କ ଭିସା ଓ ପାସପୋର୍ଟ ଥିଲା। ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହେବାକୁ ୬ ମାସରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରିପାରିନାହିଁ। ଏପରିକି ସିସିଟିଭି ଫୁଟେଜ୍‌ରୁ ଲୁଟେରାକୁ ଠାବ କରାଯାଇଥିଲେ ହେଁ ତାଙ୍କୁ ଧରା ନଯିବା ପୁଲିସର ପାରିବାପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ସମ୍ବନ୍ଧିତ ଖବର