ପୁଣି ଭଙ୍ଗାହେଲା ମହିମା ଢାବା

ଭୁବନେଶ୍ବର: ନୂଆପଲ୍ଲୀସ୍ଥିତ ବିବାଦୀୟ ମହିମା ଢାବାକୁ ଆଜି ପ୍ରଶାସନ ପୁଣିଥରେ ଉଚ୍ଛେଦ କରିଛି। ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ବିଭାଗ ଓ କମିସନରେଟ୍ ପୁଲିସ ମିଳିତ ଭାବେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗ ଷ୍ଟାଡିୟମ୍ ପାଚେରିକୁ ଲାଗି ତିଆରି ହୋଇଥିବା ଏହି ଢାବାକୁ ଉଚ୍ଛେଦ କରିଥିଲା। ସରକାରୀ ଜାଗାରେ ଗଢ଼ି ଉଠିଥିବା ଏହି ଢାବାକୁ ଉଚ୍ଛେଦ ପାଇଁ ସାଧାରଣ ପ୍ରଶାସନ ବିଭାଗ ଗତ ୨୫ ତାରିଖରେ ବିଡିଏ ଓ ବିଏମ୍‌ସିକୁ ଚିଠି କରିଥିଲା। ତଦନୁଯାୟୀ ଆଜି ଏହି ଢାବାକୁ ଉଚ୍ଛେଦ କରାଯାଇଥିଲା।

ଉଚ୍ଛେଦ ପ୍ରକ୍ରିୟାରେ ବିଡିଏ ପକ୍ଷରୁ ପ୍ରମୋଦ ପାତ୍ର, ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିବା ବେଳେ ସାଧାରଣ ପ୍ରଶାସନ ପକ୍ଷରୁ ଅମିୟ କୁମାର ଦାସ ରହିଥିଲେ। ସେହିଭଳି ଜୋନ୍ ଏସିପି ସଂଜୀବ କୁମାର ଶତପଥୀ, ନୂଆପଲ୍ଲୀ ଥାନାଧିକାରୀ ବିଶ୍ବରଂଜନ ସାହୁ ଓ ଏକ ପ୍ଲାଟୁନ୍ ରିଜର୍ଭ ପୁଲିସ ଉପସ୍ଥିତ ଥିଲେ। ଅପରପକ୍ଷେ, ୩୭ନଂ ଵାର୍ଡରୁ ସ୍ବାଧୀନ ଭାବେ ଲଢ଼ି ଜିତିଥିବା କର୍ପୋ‌ରେଟର୍‌ ବନ୍ଦିତା ପାଲଙ୍କ ସ୍ବାମୀ ଅର୍ଜୁନ ବେହେରା ଏହାକୁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏହି ଢାବା ଅର୍ଜୁନଙ୍କ ଜଣେ ସଂପର୍କୀୟଙ୍କର।

ଅର୍ଜୁନ କହିଛନ୍ତି, ଶାସକ ଦଳ ଏଠାରୁ ହାରିଯିବା ପରେ ପରିବାର ଚଳୁଥିବା ଏହି ଢାବାକୁ ଭଙ୍ଗା ଯାଇଛି। କୌଣସି କାଗଜପତ୍ର ନଥାଇ ଉଦ୍ଦେଶ୍ୟମୂଳକ ଭାବେ ଭଙ୍ଗାଯାଇଛି। ଏନେଇ ଉଚ୍ଛେଦକାରୀ ଟିମ୍ କହିଛି, କଳିଙ୍ଗ ଷ୍ଟାଡିୟମ୍ ସଂପ୍ରସାରଣ ପାଇଁ ଏହି ଜାଗା ଆବଶ୍ୟକ ହେଉଛି। ସେଥିପାଇଁ ଗତ ନଭେମ୍ବରରେ ଏଠାରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଥିଲା। କିନ୍ତୁ କିଛି ଦିନ ପରେ ପୁଣିଥରେ ସେଠାରେ ଢାବା ଗଢ଼ି ଉଠିଥିଲା। ତେଣୁ ଏଥର ମଧ୍ୟ ଏହାକୁ ଉଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର