ପୁଣି ବାତିଲ୍‌ ହେଲା ଏମ୍‌ଓୟୁ

ରେଳ ଷ୍ଟେସନ୍‌ ଉନ୍ନତୀକରଣ ନେଇ ରାଜନୀତି ଜୋର୍‌ ଧରିଲା

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ପୁଣି ସମସ୍ୟା ଉପୁଜିଛି। ରେଳଷ୍ଟସନ୍‌ ମଲ୍ଟିମୋଡାଲ୍‌ ହବ୍‌ ଏବଂ ଷ୍ଟେସନ୍‌ ଆଧୁନିକୀକରଣ ପାଇଁ ବୁଧବାର ନୂଆଦିଲ୍ଲୀସ୍ଥିତ ରେଳଭବନରେ ଏମ୍‌ଓୟୁ ସ୍ୱାକ୍ଷର ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ଏହା ବାତିଲ୍‌ ହୋଇଯାଇଛି। ଗତ ଚାରି ମାସ ମଧ୍ୟରେ ଏନେଇ ଦୁଇଥର ଏମ୍‌ଓୟୁ ସ୍ୱାକ୍ଷର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଦୁଇ ଥର ଯାକ ବିଭିନ୍ନ କାରଣ ଦର୍ଶାଇ ବାତିଲ୍‌ କରାଯାଇଛି। ଫଳରେ ରେଳ ଷ୍ଟେସନ୍‌ ଉନ୍ନତୀକରଣ ନେଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ଯୋଜନା ଏବେ ଅନିଶ୍ଚିତତାକୁ ଠେଲି ହୋଇଯାଇଛି।

ପୂର୍ବରୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଯୋଗୁଁ ଜାନୁଆରି ୨୦ରେ ହେବାକୁ ଥିବା ଏମ୍‌ଓୟୁ ବାତିଲ୍‌ ହୋଇଥିବାବେଳେ ଏବେ ରାଜ୍ୟ ସରକାର ବୁଧବାର ହେବାକୁ ଥିବା ଏମ୍‌ଓୟୁ ସ୍ୱାକ୍ଷର ବାତିଲ୍‌ କରିଛନ୍ତି। ଏମ୍‌ଓୟୁ ପାଇଁ ନୂଆ ସର୍ତ ରଖିଥିବାରୁ ଏବଂ ଏମ୍‌ଓୟୁ ସର୍ତାବଳୀରେ ପରିବର୍ତନ କରିଥିବାରୁ ଦ୍ୱିତୀୟ ଥର ପାଇଁ ଏମ୍‌ଓୟୁ ବାତିଲ୍‌ ହୋଇଛି। ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କୁ ଏମ୍‌ଓୟୁରେ ପରିବର୍ତନ ପାଇଁ ଚିଠି ଲେଖିବା ପରେ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ ଆଜି ପୂର୍ବତଟ ରେଳପଥର ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ରାଜ୍ୟ ସରକାରଙ୍କର ରେଳ ଷ୍ଟେସନ୍‌ ନେଇ ଯୋଜନା, ସଂଶୋଧିତ ଏମ୍‌ଓୟୁ ପଠାଇଛନ୍ତି। ଏହାସହ ତୁରନ୍ତ ତାରିଖ ଧାର୍ଯ୍ୟ କରି ଏମ୍‌ଓୟୁ ସ୍ୱାକ୍ଷର କରିବାକୁ କହିଛନ୍ତି। ଶେଷ ମୁହୂର୍ତ୍ତରେ ଏମ୍‌ଓୟୁ ବିଳମ୍ବ ହେବା ନେଇ ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓଡ଼ିଶା ସରକାର ଜାଣିଶୁଣି ରାଜନୀତି କରୁଛନ୍ତି। ଏମ୍‌ଓୟୁ ସ୍ୱାକ୍ଷର କରିବା ପାଇଁ ପ୍ରାୟ ୨୫ଦିନ ତଳୁ ଜଣାଯାଇଥିଲେ ହେଁ ଶେଷ ମୁହୂର୍ତ୍ତରେ ବାତିଲ୍‌ କରିଦେଲେ। ଏପରିକି ୪ମାସ ମଧ୍ୟରେ ଥରେ ବି ନୂଆ ଏମ୍‌ଓୟୁ ନେଇ କିଛି ଜଣାଇନାହାନ୍ତି। ହଠାତ୍‌ ଏମ୍‌ଓୟୁ ବାତିଲ୍‌ କରିଦେଇଛନ୍ତି। ନୂଆ ଏମ୍‌ଓୟୁରେ ସେମିତି କିଛି ସର୍ତ୍ତ ନାହିଁ ଯେ ପୁରୁଣା ଏମ୍‌ଓୟୁ ସ୍ୱାକ୍ଷରରେ ଏହା ବାଧକ ସାଜିବ। ପୁରୁଣା ଏମ୍‌ଓୟୁ ଅନୁଯାୟୀ କାର୍ଯ୍ୟ ହୋଇଥିଲେ ବି ରାଜ୍ୟ ସରକାରଙ୍କ ନିର୍ମାଣ କାର୍ଯ୍ୟରେ କୌଣସି ସମସ୍ୟା ରହି ନଥାନ୍ତା। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଅପରପକ୍ଷେ ରାଜ୍ୟ ସରକାର ରେଳ ଷ୍ଟେସନ୍‌ ଉନ୍ନତୀକରଣ ପାଇଁ ୬୦କୋଟି ଖର୍ଚ୍ଚ କରିବାକୁ ଥିବାବେଳେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ୭୮କୋଟି ଟଙ୍କା ଖର୍ଚ୍ଚ କରିବେ।

ଭୁବନେଶ୍ୱରରେ ଏମ୍‌ଓୟୁ ସ୍ୱାକ୍ଷର ହେଉ: ମୁଖ୍ୟମନ୍ତ୍ରୀ

କେଉଁଠୁ ଆରମ୍ଭ ହେଲା ବିବାଦ
ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ନେଇ ଗତ ଜାନୁଆରି ୨୦ରେ ପୂର୍ବତଟ ରେଳପଥ କର୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବାକୁ ଥିବାବେଳେ ଏହା ବାତିଲ୍‌ ହୋଇଥିଲା। ସେ ସମୟରେ ଏମ୍‌ଓୟୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କ ପକ୍ଷରୁ ଏମ୍‌ଓୟୁ ସ୍ୱାକ୍ଷର କରିବାକୁ ଥିବା ଖୋର୍ଦ୍ଧା ରୋଡ ଡିଭିଜନ୍‌ର ରେଲେଓ୍ଵ ମ୍ୟାନେଜର୍‌ ବ୍ରିଜମୋହନ ଅଗ୍ରଓ୍ଵାଲ ହଠାତ୍‌ ଅସୁସ୍ଥ ହୋଇଯାଇଥିବାରୁ ଏମ୍‌ଓୟୁ ବାତିଲ୍‌ ହୋଇଥିଲା। ଏହିଠାରୁ ବିବାଦ ଆରମ୍ଭ ହୋଇଥିଲା। ଏହାକୁ ନେଇ ରାଜନୀତି ଜୋର୍‌ ହୋଇଥିଲା। ଏହାପରେ ମୁଖ୍ୟ ଶାସନ ସଚିବ ରେଳବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏମ୍‌ଓୟୁ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ। ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏପ୍ରିଲ ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ମେ ୨୩ ତାରିଖରେ ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ଏପରିକି ରେଳ ଭବନରେ ହେବାକୁ ଥିବା ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯେ, ଭୁବନେଶ୍ୱର ରେଳ ଷ୍ଟେସନ୍‌ର ସମସ୍ତ ଉନ୍ନତୀକରଣ କାର୍ଯ୍ୟ ପାଇଁ ଗୋଟିଏ ପର୍ଯ୍ୟାୟରେ ଏମ୍‌ଓୟୁ ହେଉ। ଏହାସହ ରେଳଷ୍ଟେସନ୍‌ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ଖର୍ଚ୍ଚ ବହନ କରୁଥିବାରୁ ଭୁବନେଶ୍ୱରରେ ଏମ୍‌ଓୟୁ ସ୍ୱାକ୍ଷର ହେଉ।

ରେଳ ଷ୍ଟେସନ୍‌ ନେଇ ରାଜ୍ୟ ସରକାରଙ୍କ ଯୋଜନା
ନଗର ଉନ୍ନୟନ ବିଭାଗ ସଚିବ ଲେଖିଛନ୍ତି ଯେ, ଏବେ ଭୁବନେଶ୍ୱର ଷ୍ଟେସନ ଦେଇ ୬୫ଯୋଡ଼ା ଟ୍ରେନ୍‌ ଯାତାୟାତ କରୁଥିବାବେଳେ ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ୨୦୧୪ ମସିହାରୁ ଯୋଜନା କରିଛନ୍ତି। ଏବେ ସ୍ମାର୍ଟ ସିଟି ଯୋଜନାରେ ରେଳ ଷ୍ଟେସନରେ ନୂଆ ଟର୍ମିନାଲ ବିଲ୍‌ଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ ଏବଂ ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌ ହେବ। ଏବେ ପୁରୁଣା ଯାତ୍ରୀ ସଂରକ୍ଷଣ ଟିକେଟ କେନ୍ଦ୍ର ବିଡିଏ ଦ୍ୱାରା ନିର୍ମିତ ହୋଇଥିବା କୋଠାକୁ ସ୍ଥାନାନ୍ତର ହୋଇଯାଇଥିବାରୁ ଏହାକୁ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ବିଡିଏକୁ ହସ୍ତାନ୍ତର କରନ୍ତୁ। ୨ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନୂଆ ଷ୍ଟେସନ ଅଞ୍ଚଳ ଉନ୍ନତୀକରଣ ହେବ। ଏଥିରେ ପ୍ଲାଟଫର୍ମ ୧ରୁ ୬କୁ ସଂଯୋଗ କରି କନକୋର୍ସ ନିର୍ମାଣ କରାଯିବ। ଏହାକୁ ବିଡିଏ ନିର୍ମାଣ କରିବ। ଏସମ୍ପର୍କିତ ଡିଜାଇନ୍‌କୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଅନୁମୋଦନ କରିବାକୁ ପଠାଯିବ। ସେହିପରି ନୂଆ ଷ୍ଟେସନ ଅଞ୍ଚଳ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ସିଙ୍ଗାପୁରର ସୁବର୍ଣ୍ଣ ଜୁରୋଙ୍ଗ ସଂସ୍ଥାକୁ ନିୟୋଜିତ କରାଯାଇଥିବାବେଳେ ଇଲେକ୍ଟ୍ରିକ୍‌ ଏବଂ ଟେଲିକମ୍‌ ଡ୍ରଇଂ ପୂର୍ବତଟ ରେଳପଥ କର୍ତୃପକ୍ଷ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାବାଦ୍‌ ରେଳ ଷ୍ଟେସନରେ ବିଡିଏ ଅଞ୍ଚଳ ପାଇଁ ଏବଂ ରେଲେଓ୍ଵ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରହିବ। ଜରୁରୀକାଳୀନ ସ୍ଥିତିରେ ଏହା ଖୋଲାଯାଇପାରିବ। ଏହି ସମସ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଏବଂ ପୂର୍ବତଟ ରେଳପଥ ଅଧିକାରୀଙ୍କୁ ନେଇ ତିନିଟି କମିଟି ଗଠନ ହେବ। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାଇପାଓ୍ଵାର ଷ୍ଟିଅରିଂ କମିଟି, ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କୋର୍ଡିନେସନ୍‌ କମିଟି, ବିଡିଏ ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଫିଲ୍ଡ ଲେଭେଲ୍‌ ଟିମ୍‌ ଗଠନ ହେବ ବୋଲି ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରିଥିବା ଏମ୍‌ଓୟୁରେ କୁହାଯାଇଛି।

ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କ ଯୋଜନା
ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଏବେ ଥିବା ଷ୍ଟେସନ ବିଲ୍‌ଡିଂକୁ ଭଙ୍ଗା ଯାଇ ଅତ୍ୟାଧୁନିକ ଷ୍ଟେସନ୍‌ ବିଲ୍‌ଡିଂ ନିର୍ମାଣ କରାଯିବ। ଏହାସହ ଏଠାରେ ଏବେ ୬ଟି ପ୍ଲାଟଫର୍ମ ଥିବାବେଳେ ଏହାକୁ ୭କୁ ବୃଦ୍ଧି କରାଯିବ। ଏଥିପାଇଁ ପ୍ଲାଟଫର୍ମ ୧କୁ ଭଙ୍ଗାଯାଇ ସମ୍ପ୍ରସାରଣ କରାଯିବ। ଏହି ପାର୍ଶ୍ୱରେ ଆଉ ଏକ ପ୍ଲାଟଫର୍ମ ନିର୍ମାଣ ହେବ। ଏହାପରେ ବର୍ତ୍ତମାନ ଥିବା ପ୍ଲାଟଫର୍ମ ୧ ଭବିଷ୍ୟତରେ ପ୍ଲାଟଫର୍ମ ୨ ହୋଇଯିବ। ଏହାପରେ ଆଉ ସମ୍ପ୍ରସାରଣ ପାଇଁ କିନ୍ତୁ ସ୍ଥାନ ରହିବନି। ସେହିପରି ଷ୍ଟେସନ୍‌ର ୬ଟି ପ୍ଲାଟଫର୍ମକୁ ଏବେ ୮ଟି ରେଳ ଧାରଣା ସଂଯୋଗ କରୁଥିବାବେଳେ ଏହାକୁ ୧୦କୁ ବଢ଼ାଯିବ। ଏହି ସମସ୍ତ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପ୍ରାୟ ୭୦କୋଟି ଟଙ୍କା ଖର୍ଚ୍ଚ କରିବ। ଏହାବାଦ୍‌ ତୃତୀୟ ଫୁଟ୍‌ଓଭରବ୍ରିଜ୍‌ ନିର୍ମାଣ ପାଇଁ ପୂର୍ବତଟ ରେଳପଥ କର୍ତୃପକ୍ଷ ୮କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଜୁନ୍‌ ମାସରେ ଶେଷ ହେବ।

ସମ୍ବନ୍ଧିତ ଖବର