ପୁଣି ବେଆଇନ ପାର୍କିଂ ଚଢ଼ଉ, ଟାର୍ଗେଟ୍‌ରେ ଓଭରବ୍ରିଜ୍‌ ତଳ

ପୁଲିସ ଉଠାଇଲା ୧୪ ଗାଡ଼ି

ଭୁବନେଶ୍ବର: କିଛି ଦିନର ନିରବତା ପରେ ଆଜି ପୁଣି ରାଜଧାନୀରେ ଆରମ୍ଭ ହୋଇଛି ବେଆଇନ ପାର୍କିଂସ୍ଥଳରେ ଜୋର୍‌ଦାର୍ ଚଢ଼ଉ। ଆଜି ବିଭିନ୍ନ ସ୍ଥାନରୁ ୧୨ଟି ବସ୍‌ ସମେତ ୧୪ଟି ଗାଡ଼ିକୁ ଉଠାଇ ନିଆଯାଇଛି ଓ ମାଲିକମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ଏହି ଚଢ଼ଉ ଆଗକୁ ଅଧିକ କଡ଼ାକଡ଼ି ହେବ ବୋଲି ସୂଚନା ମିଳିଛି। ବିଶେଷକରି ଏଣିକି ବିଭିନ୍ନ ଓଭରବ୍ରିଜ୍‌ ତଳକୁ ପୁଲିସ ଟାର୍ଗେଟ୍‌ କରିବ। ରାସ୍ତାକଡ଼ କିମ୍ବା ପୋଲତଳ କେଉଁଠି ବି ବେଆଇନ ଭାବରେ ଗାଡ଼ି ରହି ପାରବନାହିଁ ବୋଲି ଟ୍ରା‌ଫିକ୍‌ ପୁଲିସ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର।

ବେଆଇନ ପାର୍କିଂ ହଟାଇବା ପାଇଁ କମିସନରେଟ୍‌ ପୁଲିସ ଆଜି ଠାରୁ ଏକ ମିସନ ଆରମ୍ଭ କରିଛି। ଏଥିପାଇଁ ଆଜିଠାରୁ ସଚେତନତା ଓ ଏନ୍‌ଫୋର୍ସମେଣ୍ଟ ଆରମ୍ଭ ହୋଇଛି। ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ ଦ୍ବାରା ଲୋକଙ୍କୁ ସଚେତନ କରାଯାଇଛି। ଏଣିକି ବେଆଇନ ଭାବରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ପୁଲିସ ଉଠାଇନେବ। ଏହି ସବୁ ଗାଡ଼ିଗୁଡ଼ିକୁ ମୁକୁଳାଇବାକୁ ହେଲେ ମାଲିକମାନଙ୍କୁ କ୍ରେନ୍‌ ବାବଦ ଖର୍ଚ୍ଚ ସମେତ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ଆଜି ଟ୍ରାଫିକ୍ ପୁଲିସର ଏହି ଅଭିଯାନ ଦ୍ବାରା ବରମୁଣ୍ଡା, ରସୁଲଗଡ଼, ପଳାସୁଣି, ଗ୍ୟାରେଜ୍‌ ଛକ, ଲୁଇସ୍‌ରୋଡ୍‌, ସାମନ୍ତରାପୁରରେ ଚଢ଼ଉ ହୋଇଥିଲା। ଏଥିପାଇଁ ୩ ପ୍ଲାଟୁନ୍‌ ଫୋର୍ସ ସହ ୨ଟି କ୍ରେନ୍‌ କାମରେ ଲାଗିଥିଲା। ଏହି ସବୁ ଜାଗାରୁ ୧୪ଟି ଗାଡ଼ି ଉଠାଇ ନିଆଯାଇଥିଲା। ସେଥିମଧ୍ୟରୁ ରାସ୍ତା କଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ୧୨ଟି ବସ୍‌କୁ ଉଠାଯାଇ ସପ୍ତମ ବାଟାଲିୟନ ପରିସରରେ ରଖାଯାଇଛି। ଏଥିରେ ଆର୍‌ଟିଓର ଏକ ଟିମ୍‌ ମଧ୍ୟ ସାମିଲ ହୋଇଛି। ଆର୍‌ଟିଓ ଏହି ସବୁଗାଡ଼ିକୁ ଯାଞ୍ଚ କରିବା ପରେ ଜରିମାନା କରୁଛନ୍ତି। ଅପରପକ୍ଷରେ ଚଢ଼ଉ ଖବର ପାଇ ଗାଡ଼ିମାଲିକମାନେ ୪୧ଟି ଗାଡ଼ି ଉଠାଇ ନେଇଛନ୍ତି।

ସୂଚନାଯୋଗ୍ୟ, ରାସ୍ତା କଡ଼ରେ ମାସ ମାସ ଧରି ପଡ଼ି ରହୁଥିବା ଗାଡ଼ିଗୁଡ଼ିକ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ଓଭରବ୍ରିଜ୍‌ ତଳେ ରହୁଥିବା ଗାଡ଼ିଗୁଡ଼ିକ ଅଚାନକ ରାସ୍ତା ଉପରକୁ ମାଡ଼ି ଆସୁଥିବାରୁ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହେଉଛି। ଫଳ‌ରେ ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନାରେ ବାଧା ସୃଷ୍ଟି ହେଉଛି। ଏଭଳି ସମସ୍ୟାକୁ ନେଇ କମିସନରେଟ୍‌ ଟ୍ରାଫିକ୍ ପକ୍ଷରୁ ଏକ ଟିମ୍‌ ବୁଲି ଏଭଳି ସ୍ଥାନସବୁକୁ ଚିହ୍ନଟ କରିଥିଲା। ବି‌ଶେଷକରି ବରମୁଣ୍ଡା ଓ ରସୁଲଗଡ଼ ଅଞ୍ଚଳରେ ଏଭଳି ବେଆଇନ ପାର୍କିଂ ନଜରକୁ ଆସିଥିଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ବର୍ଷ ବର୍ଷ ଧରି କିଛି ଗାଡ଼ି ପରିତ୍ୟକ୍ତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଛି। ସବୁଠାରୁ ବଡ଼ ସମସ୍ୟା ରସୁଲଗଡ଼ ଛକ ଅଞ୍ଚଳରେ। ପଳାସୁଣି-ରସୁଲଗଡ଼ ରାସ୍ତାରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଟିପ୍ପର, ଟ୍ରକ୍‌, ଟ୍ରାକ୍ଟର ପ୍ରଭୃତି ଶହ ଶହ ଗାଡ଼ି ରାସ୍ତା କଡ଼ରେ ପଡ଼ିରହିଛି। ଏଠାରେ ଅଧିକ କ୍ରେନ୍‌ ରହିଛି। ଗୋଟିଏ କ୍ରେନ୍‌ ପୋଲ ତଳକୁ ପାର୍କିଂ ପାଇଁ ଯିବା ପାଇଁ ୫ ମିନିଟ ସମୟ ନେଇଥାଏ। ତେଣୁ ଏହି ସମୟରେ ରାଜପଥରେ ଅନ୍ୟ ଗାଡ଼ିଗୁଡ଼ିକ ଅଟକି ରହିବାକୁ ବାଧ୍ୟ ହୁଅନ୍ତି। ଫଳରେ ରାସ୍ତା ଜାମ୍‌ ହୋଇଥାଏ।

ତେବେ ଏହି ଏନ୍‌ଫୋର୍ସମେଣ୍ଟ ନୂଆ ନୁହେଁ। ଗତ ବର୍ଷ ଜୁନ୍‌ ୨୪ ତାରିଖରେ ଏହି ସମସ୍ୟାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କମିସନରେଟ୍‌ ପୁଲିସ ତତ୍ପର ହୋଇଥିଲା। ରସୁଲଗଡ଼, ଲକ୍ଷ୍ମୀସାଗର, ବମିଖାଲ ଅଞ୍ଚଳରେ ନୋଟିସ୍‌ ବୋର୍ଡ ଲଗାଯିବା ସହ ମାଲିକମାନଙ୍କୁ ନୋଟିସ୍‌ କରାଯାଇଥଲା। କିଛି ଦିନ ଯାଏ ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍‌ ତଳୁ ସମସ୍ତ ଗାଡ଼ି ଖାଲି ହୋଇ ଯାଇଥିଲା। ଲକ୍ଷ୍ମୀସାଗର ଓଭରବ୍ରିଜ୍‌ ତଳ ମଧ୍ୟ କିଛି ଦିନ ଭିତରେ ଫାଙ୍କା ହୋଇ ଯାଇଥିଲା। ହେଲେ ଏବେ ଅବସ୍ଥା ‘ଯଥା ପୂର୍ବଂ ତଥା ପରଂ’ସ୍ଥିତିରେ। ଦୀର୍ଘ ଦେଢ଼ବର୍ଷ ପରେ କମିସନରେଟ୍‌ ପୁଲିସ ପୁଣି ତତ୍ପର ହୋଇଥିବାରୁ ରାଜଧାନୀର ଟ୍ରାଫିକ ସମସ୍ୟାରେ କିଛି ସୁଧାର ଆସିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର