୫.୪୨କୋଟି ବଳିଲା ବୋଲି ୬.୧୪କୋଟି ଖର୍ଚ୍ଚ ହେବ
୧୫୯କୋଟିର କୋଠା, ‌ଦୁଇ ବର୍ଷ ନପୂରୁଣୁ ହେବ ଭଙ୍ଗାରୁଜା
୭ମ ମହଲାରେ ବସିବେ ମୁଖ୍ୟମନ୍ତ୍ରୀ

Advertisment

ଭୁବନେଶ୍ବର : ଅଗଷ୍ଟ ୧୫, ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚର୍ଚ୍ଚିତ ଖାରବେଳ ଭବନକୁ ଲୋକାର୍ପିତ କରିଥିଲେ। କୋଠା ଲୋକାର୍ପିତ ହେବାର ବର୍ଷକ ମଧ୍ୟରେ ଏଥିରେ ଫାଟ ସୃଷ୍ଟି ହେଲା। ବହୁ ସ୍ଥାନରେ ପାଣି ଗଳିଲା। ଏହାର କିଛି କିଛି ମରାମତି ହେଲା। ଉଦ୍‌ଘାଟନର ଦେଢ଼ ବର୍ଷ ପରେ ଖାରବେଳ ଭବନରେ ଭଙ୍ଗାରୁଜା କରି ପୁଣି ଡିଜାଇନ୍ ବଦଳାଇବାକୁ ଯୋଜନା ହୋଇଛି। ଏଥିପାଇଁ ପୂର୍ତ୍ତ ବିଭାଗ କେମିତି ୬କୋଟି ୧୪ଲକ୍ଷ ୬୧ହଜାର ୯୫୫ଟଙ୍କା ଖର୍ଚ୍ଚ କରିବ, ତାହାର ତାଲିକା ବି ପ୍ରସ୍ତୁତ କରିଛି।

ଏଠାରେ ପ୍ରଶ୍ନ ଉଠୁଛି, ୧୫୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଖାରବେଳ ଭବନରେ ଏମିତି କ’ଣ ହଠାତ୍ ଦରକାର ପଡ଼ିଲା ଯେ ପୁଣି ୬କୋଟି ଖର୍ଚ୍ଚ କରିବାକୁ ବାବୁମାନେ ସ୍ଥିର କରିଛନ୍ତି। କରୋନା ପାଇଁ ରାଜ୍ୟ ଅର୍ଥନୀତି ଘୋର୍‌ ପ୍ରଭାବିତ ହୋଇଥିବା କୁହାଯାଉଥିବା ବେଳେ ଖାରବେଳ ଭବନ ପାଇଁ କ’ଣ ଏବେ ୬କୋଟି ଖର୍ଚ୍ଚ କରିବା ଆବଶ୍ୟକ ଅଛି? ନା ଟଙ୍କା ବଳୁଛି ବୋଲି କେଉଁଠି ଖର୍ଚ୍ଚ କରିବେ ଜାଣିପାରୁ ନଥିବାରୁ ଖାରବେଳ ଭବନକୁ ବାଛିଛନ୍ତି?

ଆଶ୍ଚର୍ଯ୍ୟର ବିଷୟ, ଏହି ୬କୋଟି ଖର୍ଚ୍ଚ କରିବା ପାଇଁ ଖାରବେଳ ଭବନର ପଶ୍ଚିମ ପାର୍ଶ୍ବର ୭ମ ମହଲାରେ ପଡ଼ିଥିବା ଟାଇଲ୍‌ ଭଙ୍ଗାଯିବ, ଭିତର କାନ୍ଥ ଭାଙ୍ଗଯିବ, ପ୍ଲାଷ୍ଟର ଛଡ଼ାଯିବ। କେବଳ ଚାରିପଟେ ଇଟା କାନ୍ଥ ରଖାଯିବ। ଏହାପରେ ମାର୍ବଲ ପଡ଼ିବ, କାନ୍ଥ ପ୍ୟାନେଲିଂ ହେବ, ବାବୁଙ୍କ ପସନ୍ଦର ରଙ୍ଗ ଲାଗିବ, ବିଭିନ୍ନ ପ୍ରକାରର ଇଣ୍ଟେରିୟର ଡିଜାଇନ୍ ହେବ, ଯାହା ଏସି ଲାଗିଛି, ସେଗୁଡ଼ିକୁ କଢ଼ା ଯାଇ ନୂଆ ଏସି ଲାଗିବ, ସିଲିଂ ହେବ, କନଫରେନ୍ସ ହଲ୍‌ ହେବ, ନୂଆ ମାଇକ୍, ଏଲ୍‌ଇଡି ପରଦା ଲାଗିବ, ଯେତେ ବାବୁ ବସିବେ, ସେମାନଙ୍କ ପସନ୍ଦ ହେଲା ଭଳି ଚାମ୍ବର ହେବ।
ଏସବୁ କାମ ବି ଗୋଟିଏ ସଂସ୍ଥା କରିବ। ଏଥିପାଇଁ ଟେଣ୍ଡର୍‌ ହେବନି। ସେ ବାଟ ବି ପୂର୍ତ୍ତ ବିଭାଗର ବାବୁମାନେ ଖୋଜି ବାହାର କରିଛନ୍ତି। ୫ ଲକ୍ଷରୁ ଅଧିକ ଟଙ୍କାର କାମ ହେଲେ ଓପନ୍ ଟେଣ୍ଡର୍‌ ହେବାର ଥିବାରୁ କାମକୁ ଭାଗ ଭାଗ କରାଯାଇଛି। ୧୧୬ଟି (୫ଲକ୍ଷରୁ କମ୍‌) ଏଷ୍ଟିମେଟ୍‌ ପ୍ରସ୍ତୁତ ହୋଇଛି। ସିଭିଲ୍‌ କାମ ପାଇଁ ୨୮ଟି, ସିଲିଂ ପାଇଁ ୯ଟି, କାନ୍ଥ ପ୍ୟାନେଲିଂ ପାଇଁ ୮ଟି, ପେଣ୍ଟିଂ ପାଇଁ ୨ଟି, ଆସବାବପତ୍ର ପାଇଁ ୧୯ଟି କାମ ସୃଷ୍ଟି କରାଯାଇଛି। ଏଥିରେ ୨କୋଟି ୯୯ଲକ୍ଷ ୫୮ହଜାର ୮୦୦ଟଙ୍କା ଖର୍ଚ୍ଚ ହେବ। ଖାରବେଳ ଭବନର ଇଆଇ କାମ ପାଇଁ ୪୮ଟି କାମ ସୃଷ୍ଟି କରାଯାଇଥିବା ବେଳେ ଏଥିପାଇଁ ୨କୋଟି ୫୭ଲକ୍ଷ ୫୧୧୪୫ଟଙ୍କା ଖର୍ଚ୍ଚ ହେବ। କେଉଁ ଜିନିଷ କେଉଁଠି ରହିବ, କେମିତି ଡିଜାଇନ୍ ହେଲେ ଆକର୍ଷଣୀୟ ଲାଗିବ, ସେଥିପାଇଁ ଇଣ୍ଟେରିୟର ଡିଜାଇନ୍ ବାବଦକୁ ଦୁଇଟି କାମ ସୃଷ୍ଟି କରାଯାଇଛି। ଏଥିପାଇଁ ୭ଲକ୍ଷ ୩୭ହଜାର ୫୦୦ଟଙ୍କା ଖର୍ଚ୍ଚ ହେବ। ଏତିକି ଖର୍ଚ୍ଚରେ ବଳକା ଟଙ୍କା ନ ସରିଲେ ବାକି କିଛି ସାମଗ୍ରୀ କିଣାକିଣି ହେବ ଓ କାମ ହେବ। ସେଥିପାଇଁ ୪୦ ଲକ୍ଷ ଟଙ୍କା ରଖାଯାଇଛି।

ଗୋଟିଏ ସଂସ୍ଥାକୁ ଚିଠାରେ ସବୁ କାମ ଦିଆଯିବ। ପୂର୍ତ୍ତ ବିଭାଗର ଏହି ଅଜବ ହିସାବ ଠିକା ସଂସ୍ଥାକୁ କାମ ଦେବା ପାଇଁ ହୋଇଛି ନା ପ୍ରକୃତରେ ଖାରବେଳ ଭବନର ପୁନରୁଦ୍ଧାର ପାଇଁ ହେଉଛି, ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ଏହି ୬କୋଟି ୧୪ଲକ୍ଷ ଟଙ୍କା କେଉଁ ବାଟରେ ଆସିବ, ସେନେଇ ବି ଅଦ୍ଭୁତ ଯୁକ୍ତି ଉପସ୍ଥାପନ କରାଯାଇଛି। ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (କୋଠା) ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛନ୍ତି ଯେ ଖାର‌େବଳ ଭବନର ବ୍ୟାପକ ପରିଚାଳନା ଓ ରକ୍ଷଣାବେକ୍ଷଣ ସେବା ଏବଂ ବାର୍ଷିକ ମରାମତି ଖର୍ଚ୍ଚ ପାଇଁ ୬କୋଟି ଟଙ୍କା ଦିଆଯାଇଥିଲା। ଏଥିରୁ ଅଗଷ୍ଟ ୧, ୨୦୨୦ରୁ ମାର୍ଚ୍ଚ ୩୧, ୨୦୨୧ ମଧ୍ୟରେ ୬କୋଟି ଖର୍ଚ୍ଚ କରିବାକୁ ଦିଆଯାଇଥିଲା। ଏଥିରୁ ପ୍ରତି ମାସରେ ୭ଲକ୍ଷ ୨୧ହଜାର ୬୬୭ଟଙ୍କା ହିସାବରେ ୮ମାସରେ ୫୭ଲକ୍ଷ ୭୩ହଜାର ୩୩୬ଟଙ୍କା ଖର୍ଚ୍ଚ ହୋଇଛି। ଆହୁରି ୫କୋଟି ୪୨ଲକ୍ଷ ୨୭ହଜାର ଟଙ୍କା ବଳିଛି। ତେଣୁ ଏହି ଟଙ୍କାକୁ ଖାରବେଳ ଭବନର ପୁନରୁଦ୍ଧାର କାମ ପାଇଁ ଖର୍ଚ୍ଚ କରାଯାଉ। ଏଥିପାଇଁ ପ୍ରା‌ଶାସନିକ ଅନୁମତି ଦେଲେ ପୁନରୁଦ୍ଧାର କାମ ହେବ। ଏହାପରେ ବାକି ଟଙ୍କା ପୂର୍ତ୍ତ ବିଭାଗର ବିଲଡିଂ ହେଡ୍‌ରୁ ଦିଆଯିବ। ଏହି ୬ କୋଟି ୧୪ଲକ୍ଷ ୬୧ହଜାର ୯୫୫ଟଙ୍କାରୁ ୬କୋଟି ୫ଲକ୍ଷ ୪୫ହଜାର ୭୫୫ଟଙ୍କା ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ୍-୫ ଖର୍ଚ୍ଚ କରିବ। ଜିପିଏଚ୍‌-୧ ୯ଲକ୍ଷ ୧୬ହଜାର ୨୦୦ଟଙ୍କା ଖର୍ଚ୍ଚ କରିବ। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ଖାରବେଳ ଭବନର ଅଷ୍ଟମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଲାଉଞ୍ଜ ହେବାର ଥିଲା। ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ବସିଥା’ନ୍ତେ। କିନ୍ତୁ ଏବେ ୭ମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେବ। ଏଥିପାଇଁ ସବୁ ଟାଇଲ୍‌ ଭାଙ୍ଗି ଇଟାଲିଆନ୍ ମାର୍ବଲ୍‌ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ ଅଧିକାରୀଙ୍କ ପାଇଁ ଏଠାରେ ଚାମ୍ବର ହେବ। ସମ୍ମିଳନୀ କକ୍ଷ ହେବ। ଏହାକୁ ଏକ ଅତ୍ୟାଧୁନିକ କାର୍ଯ୍ୟାଳୟରେ ପରିଣତ କରାଯିବ। ଦେଶବିଦେଶରୁ ବହୁ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଥିବାରୁ ଏହାକୁ ଏକ ସ୍ବତନ୍ତ୍ର ଡିଜାଇନ୍‌ରେ ପରିଣତ କରାଯିବ।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରିବା ପାଇଁ ହେଉ କି ଅନ୍ୟ କିଛି କାରଣ ପାଇଁ ୭ମ ମହଲାରୁ ପୁନରୁଦ୍ଧାର କରାଯାଉଛି, ତେବେ ଏହା ପ୍ରଥମରୁ କାହିଁକି କରାଗଲାନି। ଏଲ୍‌ଆଣ୍ଡ୍‌ଟି କୋଟି କୋଟି ଟଙ୍କା ନେଇ କୋଠା ନିର୍ମାଣ କଲା, ଟାଇଲ୍‌ ପକାଇଲା। ବିଭିନ୍ନ ଠିକାଦାରଙ୍କୁ ଲଗାଇ ଏସି ଲଗାଗଲା, ଇଣ୍ଟେରିଅର ଡିଜାଇନ୍ କରାଗଲା। ତାହା କ’ଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେବା ଭଳି ଉପଯୁକ୍ତ ହୋଇନି ନା ଆଉ କାହାକୁ ଖୁସି କରିବାକୁ ଏହି ୭ମ ମହଲାର ପୁନରୁଦ୍ଧାର କରାଯାଉଛି। ଯଦି ରକ୍ଷଣାବେକ୍ଷଣ ବାବଦକୁ ମିଳିଥିବା ୬କୋଟି ଟଙ୍କାରୁ ୫କୋଟି ୪୨ଲକ୍ଷ ଟଙ୍କା ବଳିଲା, ତେବେ ଏହାକୁ କ’ଣ ଆସନ୍ତା ବର୍ଷକୁ ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ କରାଯାଇପାରିନଥାନ୍ତା। ନା ଏଥର ଟଙ୍କା ବଳିଛି ମାନେ ଯେନ‌େତନ ଉପାୟରେ ଖର୍ଚ୍ଚ କରାଯିବ?

ସୂଚନାଯୋଗ୍ୟ ଯେ ଏବେ ବିଧାନସଭାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନବୀକରଣ କରାଯାଇଥିବା ବେଳେ ଏଠାରେ ବି ଇଟାଲିଆନ୍ ମାର୍ବଲ୍‌ ପଡ଼ିଛି। ତେଣୁ ଖାରବେଳ ଭବନରେ ବି ଏହି ଇଟାଲିଆନ୍ ମାର୍ବଲ ପକାଇବାକୁ ଯୋଜନା ହୋଇଛି। ଏବେ ୭ମ ମହଲା କାମ ଶେଷ ହେବା ପରେ ପୂରା କୋଠାରେ ଏହି ଇଟାଲିଆନ୍ ମାର୍ବଲ୍‌ ପକାଇବା‌ ଯୋଜନା ଅଛି। ଯଦି ଇଟାଲିଆନ୍ ମାର୍ବଲ୍‌ ପଡ଼ିବାର ଥିଲା, ତେବେ ଖାରବେଳ ଭବନ ନିର୍ମାଣ କରିଥିବା ସଂସ୍ଥା ଏଲ୍‌ଆଣ୍ଡ୍‌ଟି ଦ୍ବାରା ଦୁଇ ବର୍ଷ ତଳେ ଏହା ପଡ଼ି ଥାଇ ପାରିଥାନ୍ତା। କ’ଣ ଯେତେବେଳେ ଯାହା ଇଚ୍ଛା‌ ହେବ, ତାହା ‌କରିବା ପାଇଁ ସରକାରୀ ତହବିଲ୍‌ରୁ ଏମିତି କୋଟି କୋଟି ଟଙ୍କା କରାଯିବ?

ପୂର୍ବରୁ ଖାରବେଳ ନିର୍ମାଣ ଖର୍ଚ୍ଚକୁ ନେଇ ବିବାଦ ଉଠିଥିଲା। ନିର୍ମାଣ ବେଳେ ଏହା ୧୨୮କୋଟି ଟଙ୍କାର ହୋଇଥିବା କୁହାଯାଉଥିବା ବେଳେ ପରେ ଏହାର ନିର୍ମାଣ ଖର୍ଚ୍ଚ ୧୫୯କୋଟି ଟଙ୍କାକୁ ବଢ଼ି ଯାଇଥିଲା। ବାକି ୩୧କୋଟି ଟଙ୍କାକୁ ପ୍ରଶାସନିକ ଅନୁମତି ଦେବା ପାଇଁ ପୂର୍ତ୍ତ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଦୀର୍ଘ ମାସ ଧରି ଟଣାଓଟରା ଚାଲିଥିଲା। ଏପରିକି ଏଠାରେ ଖର୍ଚ୍ଚ ହୋଇଥିବା ଆଉ ପ୍ରାୟ ୮.୭୬କୋଟି ଟଙ୍କାର ପ୍ରଶାସନିକ ଅନୁମତି ଦେବା ନେଇ ସାଧାରଣ ପ୍ରଶାସନ ବିଭାଗ ବାରମ୍ବାର ଫାଇଲ୍‌ ଫେରାଇଥିଲା।