ବାଲିଅନ୍ତା: ଭାରତର ପ୍ରଥମ ଚଉଷଠୀ ଯୋଗିନୀ ପୀଠ ଭାବେ ଜଣାଶୁଣା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ହୀରାପୁରସ୍ଥିତ ମହାମାୟା ମନ୍ଦିର, ପୁଣି ତା’ର ହଜିଯାଇଥିବା ପୁରୁଣା ରୂପ ଫେରିପାଇବ। କଳାପାହାଡ଼ ଆକ୍ରମଣରେ ଭାଙ୍ଗିଯାଇଥିବା ଏହି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ତଥା ପ୍ରଚୀନ ତନ୍ତ୍ର ପୀଠର ହୃତ ଗୌରବ ପୁଣି ଫେରିଆସିବ। ପୁଣ୍ୟତୋୟା ଭାର୍ଗବୀ ନଦୀ କୂଳରେ ଥିବା ଏହି ପ୍ରସିଦ୍ଧ ତନ୍ତ୍ରପୀଠ ଦୀର୍ଘ ବର୍ଷ ଧରି କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଛି। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଏହି ପ୍ରାଚୀନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ କରିଆସୁଥିଲେ ହେଁ ମନ୍ଦିରର ଆଖିଦୃଶିଆ ବିକାଶ ସମ୍ଭବ ହୋଇପାରିନଥିଲା। ସେହିଭଳି ରାଜଧାନୀ ଉପକଣ୍ଠରେ ମାତ୍ର ୧୦ କିମି ଦୂରରେ ଥିଲେ ବି ଏହି କୀର୍ତ୍ତିରାଜି ରାଜ୍ୟ ସରକାରଙ୍କ ନଜର ଅଢ଼ୁଆଳରେ ରହିଆସିଥିଲା। ମାତ୍ର ଏବେ ରାଜ୍ୟ ସରକାର ଏହି ପୀଠର ବିକାଶ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଫଳରେ ଏହି ପୀଠ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇପାରିବ ଏବଂ ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ଦଖଲ କରିବ।
ଆଜି ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନରେ ଆସି ଏହି ଘୋଷଣା କରିଛନ୍ତି। ଏହି ପୀଠର ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ପୀଠ ପରିସରର ୧୦୦ ମିଟର ଦୂରତା ଓ ଏହାର ଆଖପାଖରେ ମାଆଙ୍କ ନାମରେ ଥିବା ଏକର ଏକର ଭୂସମ୍ପତ୍ତିକୁ ଜବରଦଖଲ ମୁକ୍ତ କରାଯିବ। ୨୦ କୋଟି ଟଙ୍କା ବ୍ୟୟରେ ଜବରଦଖଲ ଉଚ୍ଛେଦ କରାଯିବା ସହ ଚଉଡ଼ା ବ୍ରିଜ୍ ନିର୍ମାଣ କରାଯିବ ଏବଂ ମୁଖ୍ୟ ଫାଟକରେ କାରୁକାର୍ଯ୍ୟଭରା ତୋରଣ ଶୋଭାପାଇବ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମହାମାୟା ପୀଠ ପରିସରରେ ଥିବା ପ୍ରତିଟି ଯୋଗିନୀଙ୍କ ପ୍ରତିମୂର୍ତ୍ତିଙ୍କୁ ଗୋଟି ଗୋଟି କରି ବୁଲି ଦେଖିଥିଲେ। ବରିଷ୍ଠ ସେବାୟତ ରଘୁନାଥ ମହାପାତ୍ର, ମନୋଜ ମହାପାତ୍ର ତାଙ୍କୁ ପୀଠର ଐତିହ୍ୟ ଓ ବିଭିନ୍ନ ଯୋଗିନୀଙ୍କ ରୂପଚର୍ଯ୍ୟା ଓ କେଶ ବିନ୍ୟାସ ଓ ସେବାନୀତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯୋଗିନୀ ପ୍ରତିମୂର୍ତ୍ତି ସମୂହ ଖୋଲାମେଲାରେ ରହୁଥିବାରୁ ପର୍ଯ୍ୟଟକମାନେ ଦର୍ଶନ କରିବା ବେଳେ ସ୍ପର୍ଶ କରୁଛନ୍ତି। ସେହିଭଳି ଖରା, ବର୍ଷା, ଶୀତ, କାକର ସ୍ପର୍ଶରେ ଆସି ମୂର୍ତ୍ତିଗୁଡ଼ିକ ଧୀରେଧୀରେ ଅବକ୍ଷୟ ହେଉଛି ଏବଂ କାଳକ୍ରମେ ନଷ୍ଟ ହୋଇଯିବାର ଆଶଙ୍କା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ହୃଦୟଙ୍ଗମ କରିଥିଲେ। ତେଣୁ ମୂର୍ତ୍ତିଗୁଡ଼ିକର ଚାରିପାଖକୁ ପଥରରେ ଢାଙ୍କି ରକ୍ଷଣାବେକ୍ଷଣ ଓ ସୁରକ୍ଷା କରିବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ କମିସନର ବଲବନ୍ତ ସିଂହ ଓ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ପୂଜକ ସନ୍ତୋଷ ପାଢ଼ୀ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ମହାମାୟୀଙ୍କ ପୂଜାର୍ଚ୍ଚନା ଓ ଆଳତି କରାଇଥିଲେ। ଏହାପରେ ଯୋଗିନୀ ପୀଠ ପରିସରରେ ଆୟୋଜିତ ସଭାରେ ଉମାଦେଈ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକ, ସମିତିସଭ୍ୟ ରଞ୍ଜନ କୁମାର ମହାପାତ୍ର ଓ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ପର୍ଯ୍ୟଟନ ବିଭାଗ କମିସନର ବଲଵନ୍ତ ସିଂହ ଓ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟର ପ୍ରାଥମିକ ପ୍ରକଳ୍ପ ମ୍ୟାପ୍ ଦେଖାଇଥିଲେ। ପ୍ରବେଶ ଫାଟକ ତୋରଣ, ଜବରଦଖଲ ସମସ୍ୟା ଓ ୩ ଏକର ପରିମିତ ମହାମାୟା ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣ କିଭଳି କରାଯିବ, ସେନେଇ ପ୍ରାୟ ଅଧଘଣ୍ଟା କାଳ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/untitled-9-2025-11-24-07-21-08.jpg)