ପୁଣି ଆରମ୍ଭ ହେବ ତଦନ୍ତ: କୁଆଖାଇ ନଦୀପଠାରୁ ଯୁବକଙ୍କ ପୋଡ଼ା ଶବ ମିଳିବା ଘଟଣା

ଆଜି ପୁଲିସ କମିସନର୍‌ କରିବେ ସମୀକ୍ଷା

ଭୁବନେଶ୍ୱର: କୁଆଖାଇ ନଦୀପଠାରେ ଉନ୍ମୟ ପାଢ଼ୀ ହତ୍ୟା ଘଟଣାକୁ ୧୦ ଦିନ ବିତି ଗଲା। ଡିଆଇଜି ତଥା ତତ୍କାଳୀନ ଡିସିପି ସତ୍ୟବ୍ରତ ଭୋଇ ଓ ତାଙ୍କ ଟିମ୍‌ ଏକ ସପ୍ତାହ କାଳ ମାମଲାକୁ ଘଣ୍ଟା ଚକଟା କଲେ। ଏହା ମଧ୍ୟରେ ଡିସିପି ଶ୍ରୀ ଭୋଇଙ୍କର ବଦଳି ସମ୍ବଲପୁରକୁ ହୋଇ ସାରିଛି। ନୂଆ ଡିସିପି ଭାବେ ଅନୁପ ସାହୁ ଯୋଗ ଦେଇ ସାରିଛନ୍ତି। ତାଙ୍କର ଯୋଗ ଦେବାର ଦୁଇ ଦିନ ହୋଇ ଗଲାଣି। ଯେଉଁ ଦିନ ସେ କାର୍ଯ୍ୟାଳୟରେ ଯୋଗ ଦେଲେ ସେହି ସନ୍ଧ୍ୟାରେ ସେ ମଞ୍ଚେଶ୍ୱର ଥାନାକୁ ଯାଇ ଇନ୍ସପେକ୍ଟର କୃଷ୍ଣ ପ୍ରସାଦ ମିଶ୍ର ଓ ସ୍ପେସାଲ୍‌ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ଏଯାଏ ଏହି ଚର୍ଚିତ ହତ୍ୟାକାଣ୍ଡ ଉପରୁ କିଛି ବି ରହସ୍ୟ ଉନ୍ମୋଚନ ହୋଇ ପାରି ନାହିଁ। ଶେଷରେ ପୁଲିସ କମିସନର୍‌ ଏହି ଘଟଣାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଆସନ୍ତାକାଲି ଏ ନେଇ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଏକ ବୈଠକ ବସିବ। ଏଥିରେ ଡିସିପି ଅନୁପ ସାହୁ, ସ୍ପେସାଲ୍‌ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀ, ମଞ୍ଚେଶ୍ୱର ଥାନା ଇନ୍ସପକ୍ଟର କୃଷ୍ଣପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେବେ।

ଇନ୍ସପେକ୍ଟରଙ୍କ ହ୍ଵାଟ୍‌ସଆପ୍‌ ଷ୍ଟାଟସ୍‌ରେ ଭାଇରାଲ ଭିଡିଓ

କମିସନରେଟ୍‌ ପୁଲିସର ଜଣେ ମହିଳା ଇନ୍ସପେକ୍ଟରଙ୍କ ମୋବାଇଲ୍‌ ହ୍ଵାଟ୍‌ସଆପ୍‌ର ଷ୍ଟାଟସ୍‌ରେ ଅଶ୍ଳୀଳ ଭିଡିଓ ଓ ଚିତ୍ର। ତାହା ପୁଣି ଗତ କିଛି ଦିନ ତଳେ ଚାନ୍ଦବାଲିରେ ହୋଇଥିବା ଭାଇରାଲ ଭିଡିଓର କିଛି ଅଂଶ। ଜଣେ ମହିଳା ଇନ୍ସପେକ୍ଟରଙ୍କ ମୋବାଇଲ୍‌ ଫୋନ ହ୍ଵାଟ୍‌ସଆପ୍‌ ଷ୍ଟାଟସ୍‌ରେ ଏଭଳି ଭାଇରାଲ ଭିଡିଓ ରହିବା ପରେ ଏହାକୁ ନେଇ ପୁଲିସ ମହଲରେ ଭିନ୍ନ ଆଲୋଚନା ହେଉଛି। ମହିଳା ଇନ୍ସପେକ୍ଟର ଜଣକ ତାଙ୍କ ଷ୍ଟାଟସ୍‌ରେ ଏଭଳି ଭିଡିଓ ରଖିବା ପରେ ତାଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ମୋବାଇଲ୍‌ ଫୋନ୍‌କୁ ତାଙ୍କ ଷ୍ଟାଟସ୍‌ ଦେଖାଇଥିଲା। ଏହା ଦେଖିବାକୁ ପରେ ଅନେକ ଆଶ୍ଚର୍ଯ୍ୟ ହୋଇଥିଲେ। ଇନ୍ସପେକ୍ଟର କିଛି ଖାସ୍‌ ବନ୍ଧୁ ତୁରନ୍ତ ଏ ସମ୍ପର୍କରେ ଫୋନ୍‌ କରି ଜଣାଇଥିଲେ। ଏହା ପରେ ପରେ ଇନ୍ସପେକ୍ଟର ଜଣକ ତାଙ୍କ ମୋବାଇଲ୍‌ ଫୋନ୍‌ ହ୍ଵାଟ୍‌ସଆପ୍‌ ଷ୍ଟାଟସ୍‌ରୁ ଉକ୍ତି ଭିଡିଓ ଓ ଫଟୋ ଡିଲିଟ୍‌ କରିଥିଲେ।

ଚାନ୍ଦବାଲିରୁ ଖାଲି ହାତରୁ ଫେରିଲା ପୁଲିସ

ମୃତ ଉନ୍ମୟ ତାଙ୍କ ମୋବାଇଲ୍‌ ଫୋନ୍‌ରେ କାହା ସହିତ କେବେ ବି କଥା ହୁଅନ୍ତି ନାହିଁ। କେବଳ ଏସ୍‌ଏମ୍‌ଏସ୍‌ ପଠାଇଥାନ୍ତି। ଏପରିକି ନିଜ ବଡ଼ ଭାଇଙ୍କୁ ମଧ୍ୟ ଏସ୍‌ଏମ୍‌ଏସ୍‌ ପଠାଇଥାନ୍ତି। ହତ୍ୟାକାଣ୍ଡର ୩ ଦିନ ପୂର୍ବ ଅର୍ଥାତ ଯେଉଁ ଦିନ ଚାନ୍ଦବାଲିରେ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା, ସେହି ଦିନ ଚାନ୍ଦବାଲି ଅଞ୍ଚଳରେ ଥିବା ଏକ ମୋବାଇଲ୍‌ ନମ୍ବରରରୁ ଉନ୍ମୟଙ୍କ ମୋବାଇଲ ଫୋନ୍‌କୁ ଏକ ଏସ୍‌ଏମ୍‌ଏସ୍‌ ଆସିଥିଲା। ଏହା ପରେ ପରେ ଉନ୍ମୟଙ୍କ ଅର୍ଧଦଗ୍ଧ ମୃତଦେହ ନଦୀପଠାରୁ ଜବତ ହୋଇଥିଲା। ତେଣୁ ସେହି ଏସ୍‌ଏମ୍‌ଏସ୍‌ ପଠାଇଥିବା ତୃତୀୟ ବ୍ୟକ୍ତି କିଏ ? ସେ ଏସ୍‌ଏମ୍‌ଏସ୍‌ରେ କ’ଣ ଲେଖା ଥିଲା ଯାହା ପରେ ପରେ ଉନ୍ମୟ ମୃତ୍ୟୁ ଘଟିଲା। ସେ ନେଇ ଖୋଳତାଡ଼ କରିବାକୁ ଏକ ଟିମ୍‌ ଚାନ୍ଦବାଲି ଯାଇଥିଲା। କିନ୍ତୁ ପୁଲିସ ଜାଣିବାକୁ ପାଇଥିଲା ଯେଉଁ ମୋବାଇଲ୍‌ ଫୋନ୍‌ରୁ ଉନ୍ମୟଙ୍କ ନିକଟକୁ ଏସ୍‌ଏମ୍‌ଏସ୍‌ ଆସିଲା, ତାହା ସଂପୃକ୍ତ ଯୁବତୀଙ୍କ ମୋବାଇଲ୍‌ ଫୋନ୍‌ ଥିଲା। ଯାହାକୁ ଉନ୍ମୟ ନିଜ ପାଖରେ ରଖିଥିଲେ। ଫଳରେ ପୁଲିସ ଭୁବନେଶ୍ୱର ଫେରି ଆସିଛି।

ପୁଣି ଥରେ ତଦନ୍ତ ଆରମ୍ଭ କରିବ ପୁଲିସ
ଦାସେ ଆଇଲେ ମୂଳରୁ ଗାଆ ଭଳି, ନୂଆ ଡିସିପି ଶ୍ରୀ ସାହୁ ଯୋଗ ଦେବା ପରେ ଉନ୍ମୟ ହତ୍ୟାକାଣ୍ଡର ତଦନ୍ତ ପୁଣି ଥରେ ମୂଳରୁ କରିବାକୁ ସେ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଫଳରେ କୁଆଖାଇ ନଦୀପଠାକୁ ପୁଣି ଥରେ ସାଇଣ୍ଟିଫିକ୍‌ ଟିମ୍‌, ଅଫିସର, ଏଫ୍‌ଏମ୍‌ଟି ଡାକ୍ତର ଯାଇ ଅନୁଧ୍ୟାନ କରିବେ। ବ୍ୟାଙ୍କ୍‌ ସିସି କ୍ୟାମେରାରେ ଉନ୍ମୟ ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି କି, ହତ୍ୟାକାଣ୍ଡର ୩ ଦିନ ପୂର୍ବରୁ ମୃତ ଉନ୍ମୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଉଠାଯାଇଛି। ଏକାବେଳକେ ଉନ୍ମୟ ଏତେ ଗୁଡ଼ିଏ ଟଙ୍କା କାହିଁକି ଉଠାଇଲେ। ତାଙ୍କର ଏଭଳି ହଠାତ ଟଙ୍କା କ’ଣ ଦରକାର ପଡ଼ିଲା ତାହା ଜାଣିବା ପାଇଁ ପୁଲିସ ବ୍ୟାଙ୍କ ସିସି କ୍ୟାମେରା ଦେଖିଥିଲା। କ୍ୟାମେରାରେ ମଧ୍ୟ ଉନ୍ମୟ ଟଙ୍କା ଉଠାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର