ଭୁବନେଶ୍ବର: ମୋ’ ବସ୍ରୁ ଯାତ୍ରୀଙ୍କ ମୋବାଇଲ, ଟଙ୍କା ଓ ପର୍ସ ଚୋରିରେ ଲଗାମ୍ ଲାଗୁନାହିଁ। ଆଜି ପୁଣି ଥରେ ନୂଆପଲ୍ଲୀ ଓ ସିଆର୍ପି ଅଞ୍ଚଳରୁ ମୋବାଇଲ୍ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ଅନୁସାରେ କଳିଙ୍ଗ ଷ୍ଟାଡିୟମ୍ରେ କାମ କରୁଥିବା ଜାସନ୍ ପ୍ରଧାନ ଫାୟାର୍ ଷ୍ଟେସନ୍ରୁ ମୋ’ ବସ୍ ଯୋଗେ ନାବାର୍ଡ ବ୍ୟାଙ୍କ୍କୁ ଯାଉଥିବା ବେଳେ ତାଙ୍କ ମୋବାଇଲ୍ ଚୋରି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ଛାତ୍ରୀ ଐଶ୍ବର୍ଯ୍ୟା ପାଇକରାୟ ସିଆର୍ପିରୁ ମାଷ୍ଟରକ୍ୟାଣ୍ଟିନ୍ ଯାଉଥିବା ବେଳେ ତାଙ୍କ ମୋବାଇଲ୍ ଚୋରି ହୋଇଛି ବୋଲି ସେ ପ୍ରଥମେ ଜିଆର୍ପି ଓ ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।
ତେବେ ଆଜି ପୁଲିସ ହାବୁଡ଼ରେ ଜଣେ ବଙ୍ଗୀୟ ଲୁଟେରା ଧରାପଡ଼ିଛି। ଆଜି ସାଦା ପୋଷାକରେ ଥିବା ନୂଆପଲ୍ଲୀ ଥାନା ପୁଲିସ ମୋ’ବସ୍ ଷ୍ଟପେଜ୍ରେ ଯାତ୍ରୀ ବେଶରେ ଜଗିଥିବା ବେଳେ ବଙ୍ଗୀୟ ଲୁଟେରା ରାଜେନ୍ଦ୍ର ଉତ୍ତମ ସିଂହକୁ ଗିରଫ କରିଛି। ସେ ମୋ’ ବସ୍ରୁ ଚୋରି କରିବାକୁ ଉଦ୍ୟମ କରୁଥିଲା ବୋଲି ଜଣାପଡ଼ିଛି।