କ୍ୟାପିଟାଲ ହସ୍ପିଟାଲରୁ ପୁଣି ୨ ପଜିଟିଭ୍ ଚିହ୍ନଟ

ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟରେ କରୋନା, ଦାଢ଼ାପାଟଣାରୁ ମା’ ଓ ଝିଅ ପଜିଟିଭ୍‌

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରୁ ଆଜି ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କାଜୁଆଲଟି ଚିକିତ୍ସା ପାଇଁ ଆସିଥିବା ସମୟରେ ସେମାନଙ୍କ ପରୀକ୍ଷା ହୋଇଥିଲା ଓ ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହାସହ ଗତ ୪୮ଘଣ୍ଟା ପାଇଁ ବନ୍ଦ ରହିଥିବା କର୍କଟ ୱାର୍ଡ ଆଜି ଖୋଲିଛି। ୱାର୍ଡର ଜଣେ ଡାକ୍ତର କରୋନା ସଂକ୍ରମିତ ହେବା ପରେ ୱାର୍ଡକୁ ବନ୍ଦ କରି ଦିଆଯାଇଥିଲା।

ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟରେ କରୋନା
ପୁରୁଣା ଭୁବନେଶ୍ୱର : କଳ୍ପନାସ୍ଥିତ ଜିଲ୍ଲା ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିପାଇଁ କାର୍ଯ୍ୟାଳୟକୁ ସପ୍ତାହେ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଆସନ୍ତା ସୋମବାର ‌ଦିନ ଏହି କାର୍ଯ୍ୟାଳୟ ଖୋଲାଯିବ। କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କ ସହ ତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କାର୍ଯ୍ୟାଳୟ ନିକଟରେ ଥିବା ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। ଏହି ଦୁଇ କାର୍ଯ୍ୟାଳୟର ଅଧିକାଂଶ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ଖୁବ୍‌ଶୀଘ୍ର ଅନ୍ୟ ସମସ୍ତ କର୍ମଚାରୀଙ୍କ ସ୍ବାବ୍ ନମୁନା ଯାଞ୍ଚ କରାଯିବ।

ଦାଢ଼ାପାଟଣାରୁ ମା’ ଓ ଝିଅ ପଜିଟିଭ୍‌
ବାରଙ୍ଗ : ବାରଙ୍ଗ ବ୍ଲକ ଅଧୀନ ଦାଢ଼ାପାଟଣା ପଞ୍ଚାୟତରୁ ପୁଣି ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ବଙ୍ଗାଳି ସାହିରୁ ଚିହ୍ନଟ ହୋଇଥିବା ଏହି ୨ ସଂକ୍ରମିତ ମା’ ଓ ଝିଅ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସଂକ୍ରମିତଦ୍ବୟ ଜଣେ ବ୍ୟବସାୟୀଙ୍କ ପତ୍ନୀ ଓ କନ୍ୟା ଏବଂ ଉକ୍ତ ବ୍ୟବସାୟୀ ନିକଟରେ କୋଭିଡ୍‌ ହସ୍ପିଟାଲ୍‌ରୁ ଚିକିତ୍ସିତ ହୋଇ ଫେରିଛନ୍ତି। ଆଜି ମା’ ଓ ଝିଅଙ୍କୁ ଚିକିତ୍ସା ପାଇଁ କଟକ ଗୋପାଳପୁରସ୍ଥିତ ଏଲ୍‌ଆଣ୍ଡ୍‌ଟି କୋଭିଡ୍‌ ଡାକ୍ତରଖାନାକୁ ପଠାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ଦାଢ଼ାପାଟଣା ପଞ୍ଚାୟତରୁ ମୋଟ ୧୭ ଜଣ ସଂକ୍ରମିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ଦାଢ଼ାପାଟଣା ଗ୍ରାମର ହୋଇଥିବା ବେଳେ ୩ଜଣ ବଙ୍ଗାଳି ସାହିର ଓ ଜଣେ ମଧୂସୂଦନପୁର ଗ୍ରାମର ବୋଲି ଜଣାପଡ଼ିଛି। ତେବେ ପରିତାପର କଥା ଏଠାରୁ ୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଦାଢ଼ାପାଟଣା ପରେ ଆଜି ବାରଙ୍ଗ ବ୍ଲକ ନଗରି ପଞ୍ଚାୟତରୁ ଜଣେ ୩୭ ବର୍ଷୀୟ ଯୁବକ ଓ ସାଇଁସୋ ପଞ୍ଚାୟତରୁ ଜଣେ ୨୬ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର