ଭୁବନେଶ୍ବର: ଭୟଙ୍କର ଭିଡିଓ ଭାଇରାଲ୍‌ କରି ରାଜଧାନୀରେ ଆତଙ୍କ ଖେଳାଇଥିବା କେବିଏନ୍‌ ଗ୍ୟାଙ୍ଗ୍‌ର ୧୦ ଜଣଙ୍କୁ ପୁଲିସ ଗିରଫ କରିବା ପରେ ସେହି ଗ୍ୟାଙ୍ଗ୍‌ର ଉତ୍ପାତ ଥମି ଯାଇଛି। ମାତ୍ର ଏବେ ଆଉ ଏକ ଗ୍ୟାଙ୍ଗ୍‌ ମାତିଥିବା ଜଣାପଡ଼ିଛି। ଉକ୍ତ ଗ୍ୟାଙ୍ଗ୍‌ର ଭୟଙ୍କର ଭିଡିଓ ଭାଇରାଲ୍ ହୋଇଛି। ବିଳମ୍ବିତ ରାତିରେ ରାଜଧାନୀର ରାଜପଥରେ ସେମାନେ ଫିଲ୍ମ ଷ୍ଟାଇଲ୍‌ରେ ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଛନ୍ତି। ବିପଜ୍ଜନକ ଭାବେ କାର୍‌ ଓ ବାଇକ୍‌ ଚଳାଇବା ଭିଡିଓ ଭାଇରାଲ୍‌ ହୋଇଛି। ଗ୍ୟାଙ୍ଗ୍‌ର ଏକାଧିକ ଯୁବକ ହାତରେ ମଦ ବୋତଲ ଧରି ରାସ୍ତା ଉପରେ ଉଦଣ୍ଡ ନାଚ ଗୀତ କରି ମସଗୁଲ୍ ରହୁଛନ୍ତି।

Advertisment

କାର୍‌ ଡୋର୍‌ରେ ମୁଣ୍ଡ ବାହାର କରି ଲୋକଙ୍କୁ ଗାଳିଗୁଲଜ କରୁଛନ୍ତି। ଗାଡ଼ିକୁ ଗାଡ଼ି ବାଡ଼େଇ ହେବା ଭଳି ଷ୍ଟଣ୍ଟ୍‌ ଦେଉଛନ୍ତି। ସେମାନେ ପୂରା ରାସ୍ତାକୁ କବ୍‌ଜା କରି ରହୁଛନ୍ତି ଓ ଅନ୍ୟ କୌଣସି ଗାଡ଼ିକୁ ରାସ୍ତାରେ ଯିବାକୁ ଦେଉନାହାନ୍ତି। ଏହି ଗ୍ୟାଙ୍ଗ୍‌ର ଏଭଳି ତିନୋଟି ଭିଡିଓ ଏବେ ଭାଇରାଲ୍ ହୋଇଛି।

ଏହି ଗ୍ୟାଙ୍ଗ୍‌ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଚର୍ଚ୍ଚା ହେଉଛି। ତେବେ ଏମାନେ କାହାକୁ ଆକ୍ରମଣ କଲା ଭଳି ଅଭିଯୋଗ ଆସିନାହିଁ। କିନ୍ତୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା କର୍ମଜୀବୀମାନଙ୍କ ପାଇଁ ଏମାନେ ବିପଦ ବୋଲି କୁହାଯାଉଛି। ମଦ ନିଶାରେ ଥିବା ବେଳେ ଏମାନେ କିଛି ନା କିଛି ଅଘଟଣ ଘଟାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ତୁରନ୍ତ ଏହି ଗ୍ୟାଙ୍ଗ୍‌କୁ ଠାବ କରି ସାବାଡ୍‌ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଜଣେ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ଭିଡିଓ ଦେଖି ଗ୍ୟାଙ୍ଗ୍‌କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଠିକ୍‌ ଅଭିଯୋଗ ମିଳିନଥିବାରୁ ଭିଡିଓର ସତ୍ୟତା ନେଇ ସନ୍ଦେହ ରହିଛି। ତଥାପି ପିସିଆର୍‌ଗୁଡ଼ିକୁ ଏନେଇ ସତର୍କ କରାଇ ଦିଆଯାଇଛି। ବିଶେଷକରି ପଟିଆ, ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ପିସିଆର୍‌ଗୁଡ଼ିକୁ ସତର୍କ କରାଯାଇଛି ବୋଲି ସୂଚନା ମିଳିଛି।