ରାଜଧାନୀ ଉପକଣ୍ଠରେ ଅଗ୍ନି ଉତ୍ସବ

ଭୁବନେଶ୍ବର : ସରୁଛି ଶୀତ। ବସନ୍ତ ଋତୁକୁ ସାଙ୍ଗରେ ଧରି ପାଦ ଥାପିଛି ପହିଲି ଫଗୁଣ। ଖୁବ୍‌ ଶୀଘ୍ର ଧରାପୃଷ୍ଠକୁ ଆସିବ ନିଦାଘ ଗ୍ରୀଷ୍ମ। ତେଣୁ ପରମ୍ପରା ଅନୁସାରେ ବୁଧବାର ଦିନ ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ପୁରପଲ୍ଲୀରେ ପାଳିତ ହୋଇଛି ଅଗିଜଳା ବା ଅଗିରା ଉତ୍ସବ। ରାଜଧାନୀ ଉପକଣ୍ଠର ପ୍ରାୟ ସବୁ ଗାଁଗଣ୍ଡାରେ ଏହି ଅଗ୍ନି ଉତ୍ସବକୁ ବିଧି ଅନୁସାରେ ପାଳନ କରାଯାଇଛି। ସାଧାରଣତଃ ଗାଁ ମନ୍ଦିର ନିକଟସ୍ଥ ପଡ଼ିଆରେ ବା ଅଗିଜଳା ପାଇଁ ଉଦ୍ଦିଷ୍ଟ ଜମିରେ ସନ୍ଧ୍ୟାରେ ଏହି ଉତ୍ସବ ପାଳନ କରାଯାଏ। ଗ୍ରାମବାସୀମାନେ କୁଟା ଓ ନଡ଼ା ଆଣି ଉକ୍ତ ପଡ଼ିଆରେ ଦୁଇଟି ଗଦା କରନ୍ତି। ସେହି ଗଦାରେ ଲୋକେ ନଡ଼ିଆ ସହିତ ଆଳୁ, ସାରୁ, ବାଇଗଣ, କନ୍ଦମୂଳ ଭଳି ପରିବା ପକାଇଥାଆନ୍ତି। ସମସ୍ତେ ଏକାଠି ହେବା ପରେ ପୂଜକ ମନ୍ତ୍ର ପଢ଼ି ଅଗ୍ନି ସଂଯୋଗ କରନ୍ତି। ବିଶ୍ବାସ ରହିଛି ଏହି ନିଆରା ପୂଜା ଦ୍ବାରା ଅଗ୍ନି ଦେବତା ଶାନ୍ତି ହୁଅନ୍ତି ଓ ଗାଁକୁ ଅଗ୍ନି ଭୟ ରହେନାହିଁ। ଦୁଇଟିଯାକ ନଡ଼ାକୁଟା ଗଦା ସମ୍ପୂର୍ଣ୍ଣ ଜଳିଯିବା ପରେ ଲୋକେ ପାଉଁଶ ଗଦାରୁ ପୋଡ଼ା ନଡ଼ିଆ ଓ ପରିବା ସଂଗ୍ରହ କରନ୍ତି। ଏହାକୁ ପ୍ରସାଦ ଭାବେ ଗଣାଯାଏ।

ଏହି ଅବସରରେ ବୁଧବାର ଦିନ ବିଏମ୍‌ସି ଅନ୍ତର୍ଗତ ଚକେଇସିଆଣି ଗାଁରେ ଅଗିଜଳା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମ କମିଟି ସଭାପତି ଦିଲ୍ଲୀପ ସ୍ବାଇଁ, ସମ୍ପାଦକ ପୀତବାସ ରାଉତ, ଦୁର୍ଗାପୂଜା କମିଟି ସଭାପତି ଚୈତନ୍ୟ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିଭଳି ମେଣ୍ଢାଶାଳ ଓ ଏହାର ଆଖପାଖ ଅଞ୍ଚଳରେ ଅଗ୍ନି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମେଣ୍ଢାଶାଳ ଗ୍ରାମର ଇଷ୍ଟ ଦେବତା ଶ୍ରୀସିଦ୍ଧେଶ୍ୱର ଦେବଙ୍କ ପୀଠରେ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଥିଲା। ଆଜି ଅଗ୍ନି ପୂର୍ଣ୍ଣିମା ତିଥିରେ ସନ୍ଧ୍ୟାରେ ଦୁର୍ଗା ପୂଜା ମଣ୍ଡପ ନିକଟରେ ଗ୍ରାମବାସୀମାନେ ନିଜ ନିଜ ଖଳାରୁ ନଡା କୁଟା ଆଣି ଏକାଠି ଗଦା କରିଥିଲେ। ପୂଜାର୍ଚ୍ଚନା ପରେ ପାଳ ଗଦାରେ ଅଗ୍ନି ସଂଯୋଗ କରାଯାଇଥିଲା। ଅନୁରୂପ ଭାବେ ମେଣ୍ଢାଶାଳ ପଞ୍ଚାୟତ ହରିଡ଼ାମଡ଼ା ଗ୍ରାମରେ ଅଗ୍ନି ଉତ୍ସବ ପାଳନ କରାଯାଇଥିଲା। ଗାଁର ମା’ ତାରିଣୀ ଖେଳପଡ଼ିଆରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ସୁନ୍ଦରପଦା, ଲିଙ୍ଗରାଜନଗର, ଚନ୍ଦକା‌, ଅନ୍ଧାରୁଆ, ଘାଟିକିଆ, ଶ୍ୟାମପୁର, ମଳିପଡ଼ା, ପାଇକରାପୁର, ମଦନପୁର, ନଁପୁଟ, ତମାଣ୍ଡୋ, ପାତ୍ରପଡ଼ା, ଯାଁଳା, ମୁଣ୍ଡମୁହାଁଣ, ଗଙ୍ଗପଡ଼ା, ଛତାବର, ଅରିଶଲ ଆଦି ଅଞ୍ଚଳରେ ଏହି ଉତ୍ସବ ପାଳିତ ହୋଇଯାଇଛି।

ସମ୍ବନ୍ଧିତ ଖବର