ବିଏମ୍‌ସି ଦୁର୍ନୀତି ବିରୋଧରେ ଧାରଣା

ଅଦାଲତ ଯିବ ଓଡ଼ିଶା ବିକାଶ ପରିଷଦ

ଭୁବନେଶ୍ବର: ବ୍ୟାପକ ଦୁର୍ନୀତି ଓ ବିଏମ୍‌ସି ଅଫିସର୍‌ଙ୍କ ମନମାନି ବିରୋଧରେ ସ୍ବର ଉଠାଇଛି ଓଡ଼ିଶା ବିକାଶ ପରିଷଦ। ଆଜି ପରିଷଦ ପକ୍ଷରୁ ଭୌମନଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଧାରଣା ଦିଆଯିବା ସହ ସବୁ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଖୁବ୍‌ଶୀଘ୍ର ଏ ସବୁକୁ ନେଇ ପରିଷଦ ବିଏମ୍‌ସିକୁ ଅଦାଲତକୁ ଟାଣିବ ବୋଲି ଚେତାବନୀ ଦେଇଛି। ସୂଚନାଯୋଗ୍ୟ, ବିଏମ୍‌ସିରେ ବ୍ୟାପକ ଦୁର୍ନୀତି ଓ ଏହା ବିରୋଧରେ କେହି ମୁହଁ ନ ଖୋଲିବା ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।

ପରିଷଦ ସଭାପତି ସୁଶାନ୍ତ କୁମାର ପାଢ଼ୀ ଅଭିଯୋଗ କରିଛନ୍ତି ଯେ ମୁକ୍ତା ଯୋଜନା‌ରେ କୋଟି କୋଟି ଟଙ୍କା ବାଟମାରଣା ହେଉଛି। ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଟଙ୍କା ଖର୍ଚ୍ଚ କରିବାକୁ ସରକାରୀ ନିର୍ଦ୍ଦେଶ ଥିବା ବେଳେ ବିଏମ୍‌ସି ମନଇଚ୍ଛା ଟଙ୍କା ଖର୍ଚ୍ଚ କରି ଚାଲିଛି। କାହିଁକି ଖର୍ଚ୍ଚ ହେଉଛି? କି’ କାମରେ ଲାଗିବ? ତାହା ମଧ୍ୟ କେହି ତଦାରଖ କରୁନାହାନ୍ତି। ଏହାର ଏକ ଉଦାହରଣ ହେଉଛି, ରିଲାଏନ୍ସ ଫ୍ରେସ୍ ଓ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ କୋଠା ପାଖରେ ଏସ୍‌ଆର-୫ ପ୍ଲଟରେ ହେଉଥିବା ଶିଶୁ ପାର୍କ। ଏହି ୱାର୍ଡ ନମ୍ବର ୩୬ରେ ୩ଟି ଶିଶୁ ଉଦ୍ୟାନ ରହିଛି। କିନ୍ତୁ ଏଠାରେ ରାସ୍ତାକଡ଼ରେ ଆଉ ଗୋଟିଏ ଶିଶୁ ଉଦ୍ୟାନ ନିର୍ମାଣ ଚାଲିଛି। ଏହା ଏଭଳି ଜାଗାରେ ଅଛି ଯେ କୌଣସି ଶିଶୁ ଏଠାକୁ ଆସିବେ ନାହିଁ। ଏଣୁ ଏଭଳି ଟଙ୍କା ବରବାଦ୍‌ ନକରି, ଯେଉଁଠି ଦରକାର ସେଠାରେ କରନ୍ତୁ ବୋଲି ୱାର୍ଡ ବାସିନ୍ଦା ଦାବି କରିଛନ୍ତି। କ୍ଷେତ୍ର ଅଧିକାରୀମାନେ ବଟି ନେଇ ପକେଟ୍‌ ଗରମ କରୁଥିବା ବେଳେ ବଡ଼ ଅଧିକାରୀମାନେ ତାଙ୍କଠାରୁ ଭାଗ ନେଇ ଚୁପ୍‌ ବସିଛନ୍ତି ବୋଲି ପରିଷଦ ଅଭିଯୋଗ କରିଛି। ଏହାବ୍ୟତୀତ, ମଶା ତେଲ କିଣା, ପରିମଳ ଟେଣ୍ଡର, ବିଭିନ୍ନ ମେସିନ୍‌ ଓ ଗାଡ଼ି କିଣା, ଟେଣ୍ଡର ନ କରି ନିର୍ଦ୍ଦିଷ୍ଟ ସଂସ୍ଥାଠାରୁ କୋଟିକୋଟି ଟଙ୍କାର ଜିନିଷ କିଣିବା ପ୍ରଭୃତି‌ରେ ବ୍ୟାପକ ଅର୍ଥ ହେରଫେର୍‌ ହେଉଛି। ଏସବୁର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିଷଦର ସଂପାଦକ ମନ୍ମଥ ରାଉତ ଓ ଉପସଭାପତି ହେମନ୍ତ କୁମାର ହାତୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର