ବାଲିଅନ୍ତା: କୁକୁଡ଼ା ଫାର୍ମକୁ ଯାଇଥିବା ବେଆଇନ ବିଦ୍ୟୁତ ଲାଇନ ସଂଯୋଗ କାଟିବାକୁ କେନ୍ଦ୍ରକରି ଆଜି ବାଳକାଟିସ୍ଥିତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ସଂପୃକ୍ତ ଉପଭୋକ୍ତା ଏବଂ ତାଙ୍କ ସହଯୋଗୀ କାର୍ଯ୍ୟାଳୟ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଅଫିସ କାଗଜପତ୍ର ଏଣେତେଣେ ଭିଙ୍ଗା ଫୋଫଡ଼ା କରିଥିଲେ। ଏତିକିରେ ଉତ୍ତ୍ୟକ୍ତ ଯୁବକଙ୍କ ରାଗ ଶାନ୍ତ ପଡ଼ିନଥିଲା। କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ସ୍ବାଇଁଙ୍କୁ ଅଫିସ ଭିତରେ ତାଲା ଠୁଙ୍କି ଦେଇଥିଲେ।
ଏସଂପର୍କରେ ଖବର ପାଇ ବାଳକାଟି ପିସିଆର ପୁଲିସ ଗଣ୍ଡଗୋଳକାରୀଙ୍କୁ କାବୁ କରି ଥାନାକୁ ନେଇଥିଲା। ପରେ ଉଭୟ ବିଦ୍ୟୁତ ବିଭାଗ ବରିଷ୍ଠ ଅଧିକାରୀ ଏବଂ ଅଭିଯୁକ୍ତ ଯୁବକମାନଙ୍କ ମଧ୍ୟରେ ପୁଲିସ ଉପସ୍ଥିତିରେ ଆପୋସ ସମାଧାନ ପରେ ଛାଡ଼ିଦେଇଥିଲା। ବିଦ୍ୟୁତ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଝିଣ୍ଟି ଜେନାସାହିର ଏହି ବ୍ୟକ୍ତି ଜଣକ ଦୀର୍ଘବର୍ଷ ହେଲା କୁକୁଡ଼ା ଫାର୍ମକୁ ଚୋରା ବିଦ୍ୟୁତ ସଂଯୋଗ ନେଇଥିଲେ। ଆଜି ଏନଫୋର୍ସମେଣ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରି ଦେଇଥିଲା। ଏହାର କିଛି ସମୟ ପରେ ଫାର୍ମ ମାଲିକ ସହଯୋଗୀ ଯୁବକମାନଙ୍କ ସହିତ ବିଦ୍ୟୁତ କାର୍ଯ୍ୟାଳୟରେ ପଶି ଗଣ୍ଡଗୋଳ କରିଥିଲେ।