ପୁରୁଣା ଭୁବନେଶ୍ୱର: ବିଏମ୍ସି ହସ୍ପିଟାଲର ଅଧିକାଂଶ ବିଭାଗ ଡାକ୍ତର ଅଭାବ ଯୋଗୁଁ ବନ୍ଦ ପଡ଼ିଛି। ଇଏନ୍ଟି, ଚର୍ମ, ଏଣ୍ଡୋସ୍କୋପି, ଲାପ୍ରୋସ୍କୋପି ବିଭାଗ ବନ୍ଦ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ହୃଦ୍ରୋଗ ବିଭାଗ ଖୋଲିବାକୁ ଶିଳାନ୍ୟାସ କଲେ କିନ୍ତୁ ଆଜି ଯାଏ ତାହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ହସ୍ପିଟାଲକୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ ଦାବିରେ ଆଜି ସେବା ପ୍ରତିନିଧି ସଙ୍ଗଠନର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ହସ୍ପିଟାଲ ସମ୍ମୁଖରେ ଦିଆଯାଇଥିଲା।
ଏଥିସହ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ପାତ୍ରଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଧାରଣାରେ ଦାମୋଦର ସାମନ୍ତରାୟ, ଦୟାନିଧି ଭଟ୍ଟ, ସୁରେଶ ଦାଶ, ସତ୍ୟନାରାୟଣ ସମାନ୍ତସିଂହାର, ଅଶୋକ ମହାରଣା, ଅନୁପମା ବେହେରା, ସଞ୍ଜୟ ପରିଡ଼ା, ନବକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।