ପାଚେରି ହଟାଇବା ଦାବି‌ରେ ଧାରଣା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ୩ ନମ୍ବର ଗେଟ୍‌କୁ ବନ୍ଦ କରି ସେଠାରେ ପାଚେରି ତିଆରି କରାଯିବା ଘଟଣାକୁ ବୀର ସୁରେନ୍ଦ୍ରସାଏ ନଗର ଉନ୍ନୟନ ପରିଷଦ ତୀବ୍ର ବିରୋଧ କରିଛି। ଏହାର ପ୍ରତିବାଦରେ ଆଜି ପରିଷଦ ପକ୍ଷରୁ ଉକ୍ତ ଗେଟ୍‌ ନିକଟରେ ଧାରଣା ଦିଆଯାଇଥିଲା। ପରିଷଦର ଅଭିଯୋଗ ମୁତାବକ, ୪୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ଫାଟକ ଖୋଲା ରହିଥିଲା। ଏହି ବାଟ ଦେଇ ଭିଏସ୍‌ଏସ୍‌ନଗର, ଚକେଇସିହାଣୀ, ସମେଇଗାଡ଼ିଆ, ମଞ୍ଚେଶ୍ବର, ଭୋଟପଡ଼ା, ରଙ୍ଗମାଟିଆ ପ୍ରମୁଖ ଅଞ୍ଚଳର ଲୋକମାନେ ଯାତାୟାତ କରୁଥିଲେ। କିନ୍ତୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଫାଟକକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଫଳରେ ଏହି ଅଞ୍ଚଳବାସୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେବେ। ତେଣୁ ଏହି ପାଚେରିକୁ ହଟାଇବା ସହ ସେଠାରେ ପୂର୍ବବତ୍‌ ଗେଟ୍‌ କରାଯାଉ ବୋଲି ଦାବି କରାଯାଇଥିଲା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପରିଷଦର ସାଧାରଣ ସଂପାଦକ ଦିଲ୍ଲୀପ ଦାଶଶର୍ମା ଚେତାବନୀ ଦେଇଛନ୍ତି।

ଏହି ଧାରଣାରେ ପରିଷଦର ଉପସଭାପତି ଜୟନ୍ତ ପରିଡ଼ା, ପୂର୍ବତନ କର୍ପୋରେଟର୍‌ ବିଦ୍ୟାଧର ଦେହୁରି, ମୋହନ ହେମ୍ବ୍ରମ, ଅଜୟ ଜେନା, ଦୁର୍ଗାପୂଜା ସମିତିର ସଭାପତି ଆର୍ତ୍ତତ୍ରାଣ ଦଳାଇ, ଉପସଭାପତି ଗିରିଜା ମହାନ୍ତି, ନିମାଇଁ ଦାସ, ସାଧାରଣ ସମ୍ପାଦକ ଶୀତଳ ଚନ୍ଦ୍ର ମହାନ୍ତି, ଉନ୍ନୟନ ପରିଷଦର କୋଷାଧ୍ୟକ୍ଷ ମହେଶ୍ବ ବିଶ୍ବାଳ, ଯୁଗ୍ମ ସମ୍ପାଦକ ପ୍ରତାପ ନନ୍ଦ, ତ୍ରିଲୋଚନ ରଥ, ବରିଷ୍ଠ ନାଗରିକ କମିଟିର ଗୌରୀଶଙ୍କର ପ୍ରହରାଜ, କୁମୁଦ ମିଶ୍ର, କାଳନ୍ଦୀ ଚରଣ ସ୍ୱାଇଁ, ହୃଦୟରାମ ବ୍ରହ୍ମା, ଲକ୍ଷ୍ମଣ ମହାନ୍ତି, ଏ.ବି ପଟ୍ଟନାୟକ, ମମତା ବେହେରା, ଅଞ୍ଜୁବାଳା ହାତୀ, ଚିନ୍ତାମଣି ବାରିକ, ପୁରଞ୍ଜନ ପାଢ଼ୀ, କଳ୍ପନା ମହାନ୍ତି, ସୁନୀତା ସରକାର, ଭ୍ରମରବର ପ୍ରଧାନ, ପ୍ରକାଶ ଦାଶଙ୍କ ସମେତ ଶତାଧିକ କଲୋନିବାସୀ ଉପସ୍ଥିତ ଥିଲେ। ପ୍ରସନ୍ନ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର