ଜଟଣୀ: ଜଟଣୀ ୨୦ ନମ୍ବର ୱାର୍ଡ ଅନ୍ତର୍ଗତ ରେଳବାଇ ଲୋ କୋ କଲୋନିରୁ ବିସ୍ଥାପିତ ବସ୍ତିବାସିନ୍ଦାଙ୍କୁ ଥଇଥାନ ଓ ବାଛରାମୁଣ୍ଡିଆଠାରେ ପ୍ରସ୍ତାବିତ ପାର୍କ ପାଇଁ ବିସ୍ଥାପିତ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ ଆଗ ଥଇଥାନ ଦାବିରେ ଆଜି ଜଟଣୀ ନାଗରିକ କମିଟି ବିକ୍ଷୋଭ ପ୍ରଦର୍ଶନ କରିଛି। କମିଟି ପକ୍ଷରୁ ଜଟଣୀ ତହସିଲ ଅଫିସ୍‌ ଆଗରେ ଧାରଣା ଦିଆଯିବା ସହ ରାସ୍ତାରୋକ କରାଯାଇଥିଲା। କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ବରେ ଶତାଧିକ ବସ୍ତିବାସିନ୍ଦା ଏକଜୁଟ୍‌ ହୋଇ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଜଟଣୀ ବିଧାୟକ ସୁ‌ରେଶ କୁମାର ରାଉତ ମଧ୍ୟ ଆନ୍ଦୋଳନରେ ଯୋଗଦେଇ ଜାଗା ମିସନ୍‌ ଜରିଆରେ ରାଜ୍ୟ ସରକାର ବିସ୍ଥାପିତଙ୍କୁ ଜାଗା ସହ ଜମିପଟ୍ଟା ପ୍ରଦାନ କରିବାକୁ ନିବେଦନ କରିଥିଲେ। ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ରୁମାନୀ ଜାଫ୍ରିଙ୍କୁ ଏକ ଦାବିପତ୍ର ଦିଆଯାଇ ଯଥାଶୀଘ୍ର ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ନିବେଦନ କରାଯାଇଥିଲା। ଆସନ୍ତା ଦୁଇ ମାସ ମଧ୍ୟରେ ଚି଼ହ୍ନଟ ହୋଇଥିବା ହାରାହାରି ୩ ଏକର ଜାଗାରେ ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବାରୁ କମିଟି ଆନ୍ଦୋଳନରୁ ଓହରିଥିଲା।

Advertisment

ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଏହି ଆନ୍ଦୋଳନରେ ବସ୍ତିବାସିନ୍ଦା ସଂଘର ସଭାପତି ଯୋଗେଶ ନାୟକ, ନୌସିର ଅଲ୍ଲୀ, ଜଟଣୀ ଟାଉନ୍‌ ସଭାପତି ଅଶୋକ ମଙ୍ଗରାଜ, ଲୁସେନ୍‌ ରାୟ, ସ୍ମୃତିରଞ୍ଜନ ସାହୁ, ଲୁଲୁ ବଡ଼ଜେନା, ଅଭିଜିତ ମହାନ୍ତି, ସଂକେତ ପାଟଶାଣୀ, ଜି. ଶ୍ରୀନୁ, ସୂର୍ଯ୍ୟକାନ୍ତ ବଳିୟାରସିଂହ, ସାବିତ୍ରୀ ରେଡି, ସଞ୍ଜୟ ଜେନା, କ୍ଷିତୀଶ ପାହାଡ଼ସିଂହ, ସୁବାସ ମହାପାତ୍ରଙ୍କ ସମେତ ଶତାଧିକ ପୁରୁଷ ଓ ମହିଳାମାନେ ସାମିଲ ହୋଇଥିଲେ।