ରାଜଧାନୀ ଲ’ କଲେଜ ପରୀକ୍ଷା ଫଳ ବିବାଦ, ତାଲା ପକାଇ କଲେଜ ଫାଟକ ଆଗରେ ବିକ୍ଷୋଭ

ଭୁବନେଶ୍ବର: ରାଜଧାନୀ ଆଇନ ମହାବିଦ୍ୟାଳୟରେ ୩ ବର୍ଷିଆ ଏଲ୍‌.ଏଲ୍‌.ବି ପ୍ରଥମ ସେମିଷ୍ଟର୍‌ ପରୀକ୍ଷାରେ ଗୋଟିଏ ବ୍ୟାଚ୍‌ର ୧୫୪ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ଏହାକୁ କଲେଜରେ ଉତ୍ତେଜନା ଲାଗି ରହିଛି। ୫ ମାର୍କ ଗ୍ରେସ୍‌ ପ୍ରଦାନ ଦାବି ନେଇ ବାରମ୍ବାର ଆନ୍ଦୋଳନ କରାଯାଇଥିବା ବେଳେ ଆଜି ତାହା ତୀବ୍ର ହୋଇଥିଲା। ଛାତ୍ରଛାତ୍ରୀମାନେ କଲେଜ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ଏଥିସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ରାଜଧାନୀ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ୫ ମାର୍କ ଗ୍ରେସ୍‌ ପ୍ରଦାନ, ଗୋଟିଏ ସେମିଷ୍ଟର୍‌ ପରୀକ୍ଷାଫଳ ନ ବାହାରିବା ପର୍ଯ୍ୟନ୍ତ ଅନ୍ୟ ସେମିଷ୍ଟର୍‌ ପରୀକ୍ଷା ନ କରିବା, ସମସ୍ତ ପରୀକ୍ଷାଫଳ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ପ୍ରକାଶ କରିବା, ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନିୟମର ପରିବର୍ତ୍ତିତ ନୋଟିସ୍‌କୁ ୱେବ୍‌ସାଇଟ୍‌ରେ ପ୍ରକାଶ କରିବା, ସେମିଷ୍ଟର୍‌ ପରୀକ୍ଷା ଫଳ ପ୍ରକାଶ ନହେବା ଯାଏ ରି-ଆଡିମିସନ୍‌ ଓ ଫର୍ମ-ଫିଲ୍‌ଅପ୍‌ ଅର୍ଥ ରାଶି ଆଦାୟ ନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଆସନ୍ତା ୭ ଦିନ ଭିତରେ ଦାବି ପୂରଣ ନ ହେଲେ, ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର