ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଧାରଣା

ବି‌ଜେପି ସରକାରର ଆକ୍ରୋଶମୂଳକ ରାଜନୀତିର ପ୍ରତିବାଦ

ଭୁବନେଶ୍ବର: ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାର କଂଗ୍ରେସ ଦଳର ନେତୃବର୍ଗଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। କଂଗ୍ରେସ ଦଳର ଶୀର୍ଷ ନେତୃବର୍ଗଙ୍କୁ ଜନମାନସରେ ନିନ୍ଦିତ କରିବା ଲାଗି କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥାମାନଙ୍କ ଦ୍ୱାରା ଏକ ମିଛ ନାଟକ ଚଳାଇଛନ୍ତି। ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ମାଧ୍ୟମରେ ନ୍ୟାସନାଲ ହେରାଲଡ୍‌ ମନି ଲଣ୍ଡରିଂର ଯେଉଁ ମିଛ ନାଟକ ରଚାଯାଇଛି, ତା’ର ଖୁବ୍‌ଶୀଘ୍ର ପର୍ଦ୍ଦାଫାସ ହେବ ବୋଲି କଂଗ୍ରେସ କର୍ମୀ ଚେତାବନୀ ଦେଇଛନ୍ତି।

ଗତକାଲି ପିସିସି ପକ୍ଷରୁ ରାଜ୍ୟସ୍ତରୀୟ ଧାରଣା କାର୍ଯ୍ୟକ୍ରମ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ଆଜି କଂଗ୍ରେସର ୩୩ଟି ସାଂଗଠନିକ ଜିଲ୍ଲା ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ପିଏମ୍‌ଜି ମୁଖ୍ୟ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଏଥିରେ ସଭାପତିତ୍ବ କରିଥିଲେ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଜିଲ୍ଲା କଂଗ୍ରେସର ନେତୃବର୍ଗକୁ ସମ୍ବର୍ଧିତ କରି କହିଲେ ଯେ ଆସନ୍ତା ଦିନରେ ମୋଦୀ ସରକାରଙ୍କ ଏହି ଆକ୍ରୋଶମୂଳକ ରାଜନୀତି ମହଙ୍ଗା ପଡ଼ିବ। ଦିଲ୍ଲୀ ପୁଲିସ୍‌ର କଂଗ୍ରେସ ନେତୃବର୍ଗଙ୍କ ଉପରେ ବର୍ବରୋଚିତ ଆକ୍ରମଣ ଓ ଇଡି ମାଧ୍ୟମରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଛବିକୁ ମଳିନ କରିବା ପାଇଁ ଯେଉଁ ହୀନ ଉଦ୍ୟମ ଚାଲିଛି, ତାହା ସମ୍ଭବ ହେବ ନାହିଁ। ସାରା ରାଜ୍ୟରେ କଂଗ୍ରେସ ଆଜି ଏକତ୍ରିତ। ମୋଦୀ ସରକାରର ଦେଶ ବିରୋଧୀ ଓ ଜନବିରୋଧୀ କାର୍ଯ୍ୟକଳାପ ବିରୋଧରେ ଲଢ଼େଇ କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ, ସାରା ରାଜ୍ୟରେ କଂଗ୍ରେସ କର୍ମୀ ଜାଗ୍ରତ ହେଲେଣି। ଆଗକୁ ମୋଦୀ ଓ ଶାହକୁ ନିଶ୍ଚିତ ଭାବେ ଉପଯୁକ୍ତ ଶିକ୍ଷା ଦିଆଯିବ। କଂଗ୍ରେସ ନେତା ଶିବାନନ୍ଦ ରାୟ କହିଥିଲେ, ଏହି ସମୁଦାୟ ଘଟଣାରେ ରାଜନୈତିକ ଚାଲ ଖେଳିବା ପାଇଁ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ମୋଦୀ ଓ ଅମିତ ଶାହା ବ୍ୟବହାର କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ମୁଖପାତ୍ର ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ରାଜୀବ ପଟ୍ଟନାୟକ, ଅନୁଲେଖା ଭୋଷା, ସୁବ୍ରତ ମହାପାତ୍ର, ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ଜୟକୃଷ୍ଣ ସୁବୁଧି, ଅଶୋକ ଦାସ, ଶ୍ରୀଧର ବଳିଆରସିଂ, ମିହିର ଆଚାର୍ଯ୍ୟ, ମନୋରଞ୍ଜନ ଜେନା, ପୁଷ୍ପିତା ଦାସ, ଜୟଶ୍ରୀ ନନ୍ଦ, ବୈଜୟନ୍ତୀରାଣୀ ତ୍ରିପାଠୀ, ସୂର୍ଯ୍ୟକାନ୍ତ ଜେନା, ମଧୁସ୍ମିତା ଆଚାର୍ଯ୍ୟ, ସଙ୍କୁନା କଁଅର, ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଉପସଭାପତି ଆଶିଷ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର