ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରଦ୍ଦକୁ ବିରୋଧ, ଯୁବ ଓ ଛାତ୍ର କଂ‌ଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରଦ୍ଦ ଓ ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁସମ୍ପର୍କ ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ରେଳରୋକ କରାଯାଇଥିବା ବେଳେ ଛାତ୍ର କଂଗ୍ରେସ କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା ଅବରୋଧ କରିଥିଲେ।

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଦିନ ୧୨ଟାରେ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ୍‌ରେ ପହଞ୍ଚି ପ୍ରତିବାଦ କରଥିଲେ। ଫଳରେ କିଛି ଘଣ୍ଟା ପାଇଁ ରେଳ ଚଳାଚଳ ବନ୍ଦ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ରେଲବାଇ ପୁଲିସ ସଭାପତି ଶ୍ରୀ ଲେଙ୍କାଙ୍କ ସହ ବହୁ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରି କୋର୍ଟ ଚ‌ାଲାଣ କରିଥିଲା। ପରେ କୋର୍ଟରୁ ଜାମିନ‌ ମିଳିବା ପରେ ମୁକୁଳିଥିଲେ। ଆଜିର ଏହି ରେଳରୋକରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ନିରଞ୍ଜନ ନାୟକ, କୃଷ୍ଣଚନ୍ଦ୍ର ମହାନ୍ତି, ବିଭୁପ୍ରସାଦ ମହାନ୍ତିଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।

ସେହିପରି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିଶାଳ ରାଲି ବାହାରି ଅପରାହ୍ନରେ ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିଥିଲା। ସେଠାରେ ରାସ୍ତା ଅବରୋଧ କରାଯାଇଥିଲା। ଏହାପରେ ବିଜେପି କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପାଇଁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇ ଘଟଣାସ୍ଥଳରୁ ଟେକିନେଇଥିଲା। ଏହି ବିକ୍ଷୋଭରେ ରଜତ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ରଞ୍ଜିତ ପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ନିହାର ବେହେରା, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତିଙ୍କ ସମେତ ବହୁ ଛାତ୍ର କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର