ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା, ରାଗିଂମୁକ୍ତ କାମ୍ପସ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଆଜି ଛାତ୍ର କଂଗ୍ରେସ ଅଭିନବ ଢଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିଛି। ରୁଚିକାଙ୍କ ପରିବାରକୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବରୁ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା।

ରୁଚିକା ଆତ୍ମହତ୍ୟା ଓ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ

Advertisment

ମନ୍ତ୍ରୀ ନିଜକୁ କୋଭିଡ୍‌ ରୋଗୀ କହି ଦାୟିତ୍ବ ନିର୍ବାହ କାର୍ଯ୍ୟରୁ ଖସି ଯାଇଥିଲେ ବୋଲି ଛାତ୍ର କଂଗ୍ରେସ କହିଛି। ତେଣୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ସେଓ, କମଳା, ହର୍ଲିକ୍ସ, କଦଳୀ ନେଇ ଏକ ଅଭିନବ ଢଙ୍ଗରେ ଆଜି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଶତାଧିକ ଛାତ୍ରକଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା।

ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ, ସବୁ ଶିକ୍ଷାନୁଷ୍ଠାନରେ ରାଗିଂ ବିଜେଡି ପ୍ରଣୀତ ଯୋଜନା ହୋଇପଡ଼ିଛି। ଏଥିରେ ଶିକ୍ଷାମନ୍ତ୍ରୀ ଶ୍ରୀ ପୂଜାରୀ ନିଦାବିଷ୍ଣୁ ପାଲଟିଛନ୍ତି। ରୁଚିକାଙ୍କ ମା’ଙ୍କୁ ବିଜେବି କଲେଜ ଆଗରୁ ପୁଲିସ ଘୋଷାଡ଼ି ନେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଚୁପ୍ ରହୁଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳ ମଧ୍ୟ କେବେ ବି ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିନାହିଁ। ସେଥିଲାଗି ରୁଚିକା ମୃତ୍ୟୁ ପ୍ରସଙ୍ଗ ତାଙ୍କ ପାଇଁ ଅପ୍ରସଙ୍ଗ ପାଲଟିଯାଇଛି। ବିଜୁ ଛାତ୍ର ଜନତା ଦଳର ସମର୍ଥିତ ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ରାଗିଂ ଓ ଜୁଲମ କରୁଛନ୍ତି। ଫଳରେ ରାଗିଂ ପୀଡ଼ିତ ଛାତ୍ରଛାତ୍ରୀଙ୍କ ସ୍ବର ବାହାରକୁ ଆସିପାରୁନାହିଁ। ରୁଚିକାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ସହ ରାଗିଂ ପାଇଁ ୨୪ଘଣ୍ଟିଆ ଟୋଲଫ୍ରି ନମ୍ବର ଜାରି କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି।

ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ହେଉଥିଲେ ମଧ୍ୟ ଏଥି ପ୍ରତି କୌଣସି କାର୍ଯାନୁଷ୍ଠାନ ନିଆଯାଉନାହିଁ। ଏଥିରେ ବିଶ୍ବବିଦ୍ୟାଳୟର କୁଳପତି, ଅସାଧୁ କର୍ମଚାରୀ ଓ ବିପଥଗାମୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ପ୍ରଶ୍ନପତ୍ର ପ୍ରଘଟ ହେଉଛି। ଏଥିପାଇଁ ସରକାରୀ ବିଶ୍ବବିଦ୍ୟାଳୟ ବଦନାମ ହେଉଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂଗଠନ ଦାବି କରିଛି।

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, ରଞ୍ଜିତ ପାତ୍ର, ଅଜୟ ସାହୁ, ନଳିନୀକାନ୍ତ ନାୟକ, ନିହାର ବେହେରା, ଦିପ୍ତୀରଞ୍ଜନ ପରିଡ଼ା, ସୁନିଲ ମାଟିଆ, ମହମ୍ମଦ ଗୁଲଫାମ, ବିଶ୍ବଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, କାର୍ତ୍ତିକେଶ୍ବର କାଣ୍ଡି ପ୍ରମୁଖ ଛାତ୍ର କଂଗ୍ରେସ କର୍ମୀ ବିକ୍ଷୋଭରେ ଯୋଗ ଦେଇଥିଲେ।