ଭୁବନେଶ୍ବର: ଅନନ୍ତ ଜେନା ସାର୍‌ ମେୟର ଥିବା ବେଳେ ମାର୍କେଟ୍‌ ବିଲ୍ଡିଂ ଭିତରେ ବସାଇଥିଲେ, ହେଲେ ସୁଲୋଚନା ମାଡାମ୍‌ ଉଠାଇଦେଲେ। ଖାଲି ଉଠାଇଲେନି, ବରଂ ଆଜି ଆସି ଗାଳି କଲେ, ତମେ ଯଦି ଗରିବ ଲୋକ, ଦିନେ ନଖଟିଲେ ପେଟ ଅପୋଷା ରୁହେ, ତେବେ ଏଠି ଦି’ଦିନ ହେଲା କେମିତି ବସିଛ? କିଏ ତୁମକୁ ଖାଇବାକୁ ଦେଇ ଏଠି ବସେଇଛି?
ଏଭଳି ଅଭିଯୋଗ କରିଛନ୍ତି ମାର୍କେଟ୍‌ ବିଲ୍ଡିଂରୁ ଉଚ୍ଛେଦ ହୋଇଥିବା ଦିବ୍ୟାଙ୍ଗ ବ୍ୟବସାୟୀମାନେ। ମାର୍କେଟ୍‌ ବିଲ୍ଡିଂ ପରିସରରେ ପୁନଃ ଥଇଥାନ ଦାବିରେ ସେମାନେ ଦୁଇ ଦିନ ହେବ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ଆଜି ମେୟର ସୁଲୋଚନା ଦାସ ତାଙ୍କ ଦୁଃଖ ଦେଖି ସମବେଦନା ଜଣାଇବା ବଦଳରେ ରାଗି ଗାଳି କଲେ ବୋଲି ବଂଶୀଧର ପ୍ରଧାନ ଅଭିଯୋଗ କରିଛନ୍ତି।

Advertisment

ତାଙ୍କ ଅଭିଯୋଗ ମୁତାବକ, ସେଠାରେ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ୨୫ ଜଣ ଦିବ୍ୟାଙ୍ଗ ବ୍ୟବସାୟୀ ବସି ଇୟରବଡ୍‌, ନେଲ୍‌କଟର, ସେଫ୍ଟିପିନ୍‌, ଗନ୍ଧକର୍ପୂର ଭଳି ଜିନିଷ ବିକି ପରିବାର ପୋଷୁଥିଲେ। ସେତେବେ‌ଳେ ମେୟର ଅନନ୍ତ ନାରାୟଣ ଜେନା ସେମାନଙ୍କୁ ଏଠାରେ ବସିବା ପାଇଁ ସୁଯୋଗ ଦେଇଥିଲେ। ଅନ୍ୟ କେଉଁଠି ଥଇଥାନ ବ୍ୟବସ୍ଥା କରାଯିବା ପରେ ଉଠାଯିବ ବୋଲି ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମେୟର ସୁଲୋଚନା ଦାସ ଦାୟିତ୍ବ ନେବା ପରେ ନିଜେ ଚଢ଼ଉ କରି ଏମାନଙ୍କୁ ଉଚ୍ଛେଦ କରିଥିଲେ। ଏମାନେ ଧାରଣା ଦେବା ପରେ ଗତକାଲି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଜାଗାରେ ବସିବା ପାଇଁ ବିଏମ୍‌ସି କହିଥିଲା। ହେଲେ ଏମାନେ ଧାରଣାରୁ ଉଠି ବ୍ୟବସାୟ କରିବାକୁ ଯିବା ବେଳେ ଏହା ୟୁରିନାଲ କଡ଼ରେ ଥିବା ଦେଖିଥିଲେ। ଏଣୁ ପୁଣି ଥରେ ଆସି ଧାରଣା ଦେଇଛନ୍ତି। ସ୍ଥାୟୀ ସମାଧାନ ହେବା ଯାଏ ସେମାନେ ଅନଶନରେ ବସିବେ ବୋଲି ମଦନ ସୁନ୍ଦର ନାୟକ, ଅମର ପ୍ରଧାନ, ବିକ୍ରମ ପ୍ରଧାନ, କାହ୍ନୁଚରଣ ପ୍ରଧାନ, ଅଶ୍ବିନୀ ସାହୁ ପ୍ରମୁଖ କହିଛନ୍ତି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଚିଠି ଆସିବା ପରେ ଗତକାଲି ବିଏମ୍‌ସି ଜାଗା ଚିହ୍ନଟ କରିଥିଲା। ହେଲେ ଜାଗାକୁ ନେଇ ଏମାନେ ଅସନ୍ତୋଷ ପ୍ରକାଶ କରି ପୁଣି ଧାରଣା ଦେଇଛନ୍ତି।