ଘରୋଇକରଣ ନିଷ୍ପତ୍ତିକୁ ବିରୋଧ: ନାଲ୍‌କୋ ସମ୍ମୁଖରେ ଗର୍ଜିଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

ଚନ୍ଦ୍ରଶେଖରପୁର: ନାଲ୍‌କୋକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ଭୁବନେଶ୍ୱର ସ୍ଥିତ ନାଲ୍‌କୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନାଲ୍‌କୋ ପରି ଏକ କେନ୍ଦ୍ରୀୟ ସରକାରୀ ଉଦ୍ଦ୍ୟୋଗ ୧୯୮୧ରୁ ଆରମ୍ଭ ହେଲାପରେ ଏପର୍ଯ୍ୟନ୍ତ ଲାଭ କରି ଆସୁଛି। ୨୦୨୦-୨୧ରେ ଏହାର ଗ୍ରସ୍ ୮୮୭୯ କୋଟି ଥିବାବେଳେ ୧୩୦୦ କୋଟି ଟଙ୍କା ଲାଭ ହୋଇଥିଲା।

ଏହି କାରଖାନା ଓଡ଼ିଶାରେ ଅନୁଗୁଳ, କୋରାପୁଟ ଓ ଦାମନଯୋଡିରେ ପ୍ରାୟ ୧୪୦୦୦ ଏକର ସରକାରୀ ଜମି ଓ ସ୍ଥାନୀୟ ଅଧିବାସୀ ଓ ଆଦିବାସୀଙ୍କ ଜମି ନେଇଛି। ଯାହାର ମୂଲ୍ୟ ୭୦୦୦ କୋଟି ଟଙ୍କା ହେବ। ସେହିପରି ଭୁବନେଶ୍ୱରଠାରେ ୭୫ ଏକର ଜମି ନାଲ୍‌କୋ ଅଧୀନରେ ଅଛି। ଯାହାର ମୂଲ୍ୟ ୧୦୦୦ କୋଟି ଟଙ୍କା ହେବ। ନାଲ୍‌କୋ କେନ୍ଦ୍ର ସରକାରଙ୍କର ନବରତ୍ନ ସଂସ୍ଥା ହୋଇଥିବା ବେଳେ ଏହା କେବଳ ଓଡ଼ିଶାରେ କାମ କରୁଛି। ଏହାକୁ ଘରୋଇକରଣ କରାନଯାଇ ପୂର୍ବ ପରି କେନ୍ଦ୍ର ସରକାରଙ୍କର ଅଧୀନରେ ରଖିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ଉପସଭାପତି ତଥା ଓଡ଼ିଶା ଶାଖାର ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ଦାବି କରିଛନ୍ତି।

ଏ ସଂପର୍କରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। କେନ୍ଦ୍ରସରକାରଙ୍କର ନିଷ୍ପତ୍ତି ପରିବର୍ତ୍ତନ ନହେଲେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ନେତାଙ୍କ ସହଯୋଗରେ ଏହି ଆନ୍ଦୋଳନକୁ ସାରା ରାଜ୍ୟରେ ବ୍ୟାପକ କରାଯିବ ବୋଲି ଡ. ଖୁଣ୍ଟିଆ କହିଛନ୍ତି। ଏହି ବିକ୍ଷୋଭରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ସାଧାରଣ ସଂପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ଶ୍ୟାମସୁନ୍ଦର ମହାପାତ୍ର, ଧରଣୀଧର ସ୍ୱାଇଁ, ପ୍ରଣତି ମିଶ୍ର, ସତ୍ୟବ୍ରତ ନାୟକ, ନିର୍ମଳ ସାମଲ, ପରେଶ ଜେନା, ଭୁବନବିହାରୀ ସାହୁ, ବୈଭବ ଜେନା, ପି.କେ ଦାସ, ସୋମନାଥ ମହାପାତ୍ର, ବିମଳ ନାୟକ, ନିର୍ମଳ ନାୟକ, ବିଷ୍ଣୁ ମୋହନ ରଥ, ଘନ ସବର, ଅଜୟ ପାଇକରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର