ତାତିଲେ ସତ୍ୟକାଳୀ ବସ୍ତିବାସିନ୍ଦା, ଜନପଥରେ ନିଆଁ ଜଳିଲା

ଭୁବନେଶ୍ବର: ସତ୍ୟକାଳୀ ବସ୍ତି ଉଚ୍ଛେଦକୁ ବିରୋଧ କରି ଆଜି ବସ୍ତିବାସିନ୍ଦାମାନେ ତାତି ଉଠିଥିଲେ। ଶହଶହ ମହିଳା, ପୁରୁଷ ପିଲାଛୁଆଙ୍କୁ ଧରି ଆନ୍ଦୋଳନକୁ ଓହ୍ଲାଇଥିଲେ। ସତ୍ୟନଗର ଶ୍ମଶାନଠାରେ ଜନପଥକୁ ଜାମ୍‌ କରିଦେଇଥିଲେ। ରାସ୍ତାରେ ଟାୟାର୍‌ ଜାଳି ଅବରୋଧ କରିଥିଲେ। ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ପ୍ରାୟ ୨ ଘଣ୍ଟା ଧରି ସେମାନେ ରାସ୍ତା ଅବରୋଧ କରିରଖିଥିଲେ। ଏତିକି‌ବେଳେ ଜଣେ ମହିଳା ଦେହରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉପସ୍ଥିତ ଆନ୍ଦୋଳନକାରୀ ଓ କିଛି ପୁଲିସ କର୍ମଚାରୀ ଉକ୍ତ ମହିଳାଙ୍କୁ ବୁଝାସୁଝା କରିବା ପରେ ସେ ଶାନ୍ତ ପଡ଼ିଥିଲେ। ରାଜଧାନୀର ଏହି ମୁଖ୍ୟ ରାସ୍ତା ବନ୍ଦ ହୋଇଯିବାରୁ ହଜାର ହଜାର ରାଜଧାନୀବାସୀ ଆଜି ବହୁ ହନ୍ତସନ୍ତ ହୋଇଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ରାସ୍ତାରୁ ହଟିଯାଇ ବିଏମ୍‌ସି କମିସନରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

ସୂଚନାଯୋଗ୍ୟ, ଗତକାଲି ବିଏମ୍‌ସି ଓ ବିଡିଏ ପକ୍ଷରୁ ସତ୍ୟନଗରସ୍ଥିତ ସତ୍ୟକାଳୀ ବସ୍ତିକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏମିତିକି ମହିଳାମାନେ ଜେସିବି ଆଗରେ ଶୋଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ବସ୍ତିରେ ରହୁଥିବା ୨୧ ପରିବାରର ୧୦୦ରୁ ଅଧିକ ବଖରା ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। ରାତି ୯ପର୍ଯ୍ୟନ୍ତ ଏହି ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିଲା। ଆଜି ଅବଶିଷ୍ଟ କିଛି ଘର ଭାଙ୍ଗିବାକୁ ବିଏମ୍‌ସି ଗାଡ଼ି ଆସିବାର ଯୋଜନା ଥିବା ବେଳେ ବସ୍ତିବାସିନ୍ଦାମାନେ ଜନପଥକୁ ଅବରୋଧ କରିଥିଲେ। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ବିଏମ୍‌ସି ବିନା ନୋଟିସ୍‌ରେ ଜୋରଜବରଦସ୍ତ ଉଚ୍ଛେଦ କରୁଛି। ଘରେ ଜିନିଷ ଥିବା ଅବସ୍ଥାରେ ଘରକୁ ଭାଙ୍ଗିଛନ୍ତି। ଫଳରେ ମୂଲ୍ୟବାନ ଆସବାବପତ୍ର ଭାଙ୍ଗିରୁଜି ଯାଇଛି। ଥଇଥାନ ନ କରି ଉଚ୍ଛେଦ କରିବା ଘୋର୍‌ ଅନ୍ୟାୟ ବୋଲି ସେମାନେ ଅଭିଯୋଗ କରିଛନ୍ତି।

କିନ୍ତୁ ବିଏମ୍‌ସିର କହିବା କଥା, ଉଚ୍ଛେଦ ପୂର୍ବରୁ ନୋଟିସ୍ ଦିଆଯାଇଥିଲା। ସେମାନଙ୍କୁ ଥଇଥାନ କରାଯିବାକୁ ପଦକ୍ଷେପ ନିଆଯାଇଛି। ଲେକ୍‌ ନ୍ୟୁଟ୍ରାଲ୍‌ ପ୍ରୋଜେକ୍ଟ ପାଇଁ ଏହି ଉଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର