ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ବିଶ୍ୱକପ୍ ହକି ଖେଳ ଆଳରେ ଯେଉଁ ଭଳି ଭାବରେ ଦୋକାନ ଉଚ୍ଛେଦ କରାଯାଉଛି ସେଥିରେ ଅନେକ ରାତି ଉପାସରେ ବିତିଲାଣି। ପରିବାର ଉଚ୍ଛନ୍ନ ହେବାକୁ ବସିଲାଣି। ପିଲାଙ୍କ ପାଠ ପଢ଼ା ବନ୍ଦ ହେଲାଣି। ଔଷଧ କିଣିବାକୁ ପଇସା ନାହିଁ। ଦିନ ରାତି ଖଟି ଯାହା ସଞ୍ଚିଥିଲୁ ସେ ବି ଗଲାଣି। କରୋନା ମାଡ଼ରେ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଋଣ କରି ଠିକ୍‌ ଉଠି ଛିଡ଼ା ହେବା ବେଳକୁ ବିଏମ୍‌ସିର ଡ୍ରୋଜର ମାଡ଼ ନିଦ ହଜେଇ ସାରିଲାଣି। ଖେଳ ନୁହେଁ, ଆମକୁ ଖାଦ୍ୟ ଦରକାର ବୋଲି ଗର୍ଜନ କରିଛି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ।

Advertisment

ଲଗାତାର ଚାଲିଥିବା ଉଚ୍ଛେଦ ପ୍ରତିବାଦରେ ଆଜି ମହାସଂଘ ବିଏମ୍‌ସି ଉତ୍ତର ଜୋନ୍‌ ଅଫିସ ଘେରାଉ କରିଥିଲା। ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କ ନେତୃତ୍ବରେ ଉତ୍ତର ନିର୍ବାଚନ ମଣ୍ଡଳୀର ୫୫ଟି ସଂଘର ହଜାର ହଜାର ଉଠାଦୋକାନୀ ଏଥିରେ ସାମିଲ ହୋଇଥିଲେ। ପଟିଆ ଛକରୁ ଏକ ବିରାଟ ପଟୁଆରରେ ବାହାରି ଉତ୍ତର ଜୋନ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆସିବା ବେଳେ ହାତରେ ବଡ଼ ବଡ଼ ବ୍ୟାନର ଧରି ବିଏମ୍‌ସି ବିରୋଧରେ ସ୍ଲୋଗାନ୍‌ ଦେଉଥିଲେ। ପଟିଆରୁ କଳିଙ୍ଗ ହସ୍‌ପିଟାଲ ପର୍ଯ୍ୟନ୍ତ ଆସିବା ବେଳେ ବାମପାର୍ଶ୍ବ ରାସ୍ତା ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା। ପ୍ରତି ଛକରେ ଅଧଘଣ୍ଟାଏ କାଳ ଟ୍ରାଫିକ୍‌ ମଧ୍ୟ ଠପ୍‌ ହୋଇ ଯାଉଥିଲା।

କେତେକ ମହିଳା ପିଲାଛୁଆ କାଖେଇ ପଟୁଆରରେ ସାମିଲ ହୋଇଥିଲେ। ବିଏମ୍‌ସି ଜୋନ୍‌ ଅଫିସ୍‌ରେ ପହଞ୍ଚିବା ପରେ ମହିଳାମାନେ କାନ୍ଦି କାନ୍ଦି ଚଟାଣରେ ଗଡ଼ିବା ଆରମ୍ଭ କରିଥିଲେ। ପୁରୁଷମାନେ ହୋ ହଲ୍ଲା କରିବାକୁ ସେଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ବିଏମ୍‌ସିର ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିଥିଲେ। ଉତ୍ତେଜନାମୂଳକ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲା। ୭ ଦିନ ମଧ୍ୟରେ ବିଏମ୍‌ସି କମିସନରଙ୍କ ସହିତ ଆଲୋଚନା କରାଯାଇ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମହାସଂଘର ସାଧାରଣ ସମ୍ପାଦକ ଅନୁଜ ପ୍ରଧାନଙ୍କ ନେତୃତ୍ୱରେ ଏକ ୧୧ଜଣିଆ ପ୍ରତିନିଧି ଦଳ ବିଏମ୍‌ସି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଜଣେ ମହିଳାଙ୍କର ସ୍ବାମୀ ନାହାନ୍ତି, କିଟ୍‌ ଛକରେ ଠେଲା ଗାଡ଼ିରେ ଜଳଖିଆ ତିଆରି କରି ତିନିପ୍ରାଣୀ କୁଟୁମ୍ବ ପୋଷୁଥିଲେ। ଦୋକାନ ଭାଙ୍ଗି ଯିବା ପରେ ସେ ରାସ୍ତା ଉପରକୁ ଚାଲି ଆସିଛନ୍ତି। କେହି ଦୟା କଲେ ଯାଇ କୁନି କୁନି ପିଲାଙ୍କ ପେଟକୁ ଦାନା ଯୋଗାଡ଼ ହୋଇ ପାରୁଛି। ଆଉ ଜଣଙ୍କ ଉପରେ ଦୁଇ ବାଡ଼ୁଅ ଭଉଣୀଙ୍କ ବୋଝ। ଡମଣା ଛକରେ ବାଉଁଶ ପଲିଥିନ୍‌ ତଳେ ବରା ଆଳୁଚପ୍‌ ବିକି ପେଟ ପୋଷୁଥିଲେ। ତା’ ସହ ଦୁଇ ଭଉଣୀଙ୍କ ବାହାଘର ସ୍ବପ୍ନ ମଧ୍ୟ ଦେଖିଥିଲେ। ହେଲେ ୪ ଦିନ ହେବ ଦୋକାନ ଭାଙ୍ଗି ଯିବା ପରେ ତାଙ୍କୁ ଆଉ ବୁଦ୍ଧି ବାଟ ଦିଶୁନି। କେବଳ ଏହି ଦୁଇ ଜଣ ନୁହନ୍ତି, ବରଂ ଉତ୍ତର ନିର୍ବାଚନମଣ୍ଡଳୀର ୫ ହଜାରରୁ ଊର୍ଦ୍ଧ୍ବ ଉଠାଦୋକାନୀଙ୍କ ସମଦଶା। ଏହି ଉଚ୍ଛେଦରେ ୫ ହଜାର ବ୍ୟବସାୟୀଙ୍କ ପ୍ରାୟ ୧୫ ହଜାର ପରିବାର ସଦସ୍ୟ ପ୍ରଭାବିତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ସେମାନଙ୍କ ଦାବି ମଧ୍ୟରେ ପ୍ରତ୍ୟେକ ଦୋକାନୀଙ୍କୁ କ୍ଷତିପୂରଣ ପ୍ରଦାନ, ସମସ୍ତଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ, ଉଚ୍ଛେଦ ସମୟରେ ଗାଳିଗୁଲଜ କରୁଥିବା ଅଧିକାରୀମାନଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ, ମାସକୁ ୨୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଦେବା ପ୍ରମୁଖ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ବେହେରା, କରୁଣାକର ରାଉତ, ଏସ୍‌.କେ. ଗୁହୁ, ଲାଲଟ କୁମାର ଓଝା, ସନ୍ତୋଷ ନାୟକ, ସରୋଜ କର, ସତ୍ୟଶ୍ରୀ ସୌମ୍ୟ ସୁନ୍ଦର ମହାନ୍ତି, ଭାସ୍କର ଚନ୍ଦ୍ର ସୁନ୍ଦରାୟ, ବିଳାସ ଦାସ, ବିନାୟକ ନାୟକ, ମନୋରଞ୍ଜନ ନାୟକ, ଅନୁ ମିଶ୍ର, ଶୁଭଶ୍ରୀ ମହାନ୍ତି, ସୁରେଶ ପଟ୍ଟନାୟକ, ବିପିନ ବିହାରୀ ଜେନା ଓ ମଇନ ବାବୁ ପ୍ରମୁଖ ସାମିଲ ହୋଇଥିଲେ।