ଲୋୟର ପିଏମ୍‌ଜିରେ ୪ ସଂଗଠନର ମେଳି, ଜନତା, ଆନ୍ଦୋଳନକାରୀ କଲବଲ

ଏକାଠି ହେଲେ ୭୦ ହଜାରରୁ ଅଧିକ ଆନ୍ଦୋଳନକାରୀ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ଲୋୟର୍‌ ପିଏମ୍‌ଜିରେ ଥିଲା ଚାରି ଚାରିଟି ସଂଗଠନର ଗଣଧାରଣା‌। ସେଥିମଧ୍ୟରୁ ଶିକ୍ଷକ ସଂଘ ଓ ଅମଲା ସଂଘ ଭଳି ଦୁଇଟି ବଡ଼ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଥିଲା। ତେଣୁ ଲୋୟର୍‌ ପିଏମ୍‌ଜିରେ ଆଜି ପ୍ରାୟ ୭୦ ହଜାରୁ ଊର୍ଦ୍ଧ୍ବ ଆନ୍ଦୋଳନକାରୀ ଏକାଠି ହୋଇଥିଲେ। ଫଳରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଜମା ହୋଇଯିବାରୁ ଆଜି ରାମମନ୍ଦିର ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଜନପଥ ଜାମ୍‌ ହୋଇଯାଇଥିଲା। ପୃଥକ ପୃଥକ ସଂଗଠନକୁ ଅଲଗା ଅଲଗା ସମୟ ଦିଆଯାଇଥିଲେ ହେଁ ଦୂରଦୁରାନ୍ତରୁ ଆସିଥିବା ବିକ୍ଷୋଭକାରୀମାନେ ସକାଳୁ ଜମା ହେବା ଆରମ୍ଭ କରିଦେଇଥିଲେ।

ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ପିଏମ୍‌ଜି ପର୍ଯ୍ୟନ୍ତ ଜନସମୁଦ୍ର ହୋଇଯାଇଥିବା ବେଳେ ରାଜମହଲ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ବି ଶୋଭାଯାତ୍ରା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଏଣେ କମିସନରେଟ୍‌ ପୁଲିସ ପକ୍ଷରୁ ରାମମନ୍ଦିର ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଜନପଥକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଥିଲା। ଫଳରେ ଆଜି ଶହଶହ ରେଳଯାତ୍ରୀ ଓ ସାଧାରଣ ଲୋକେ ସମସ୍ୟାରେ ପଡ଼ିଥିଲେ। ଏନେଇ ପୁଲିସ ପୂର୍ବରୁ ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ ମଧ୍ୟ ତାହା ସାଧାରଣ ଲୋକଙ୍କ ପାଇଁ ଯଥେଷ୍ଟ ନଥିଲା। ତେଣୁ ପୁଲିସ ସଚେତନତା କାମ କରିନଥିଲା। ପୁଣି ସବୁଥର ଭଳି ଏଥର ମଧ୍ୟ ପୁଲିସଠାରୁ ଅନୁମତି ମିଳିଥିବା ସଂଖ୍ୟାଠାରୁ ବହୁ ଗୁଣରେ ଅଧିକ ଆନ୍ଦୋଳନକାରୀ ଲୋୟର୍‌ ପିଏମ୍‌ଜିରେ ମେଳିବା‌ନ୍ଧିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ଆଜି ଉଭୟ ସାଧାରଣ ଜନତା ଓ ଆନ୍ଦୋଳନକାରୀମାନେ ବଡ଼ କଲବଲ ହୋଇଥିଲେ। ରାତି ୮ଟା ପର୍ଯ୍ୟନ୍ତ ଏମିତି ଅଚଳାବସ୍ଥା ଲାଗିରହିଥିଲା।

ଶହେରୁ ଊର୍ଦ୍ଧ୍ବ ଯାତ୍ରୀ ଟ୍ରେନ୍‌ ଫେଲ୍‌
କାମ କଲାନି ପୁଲିସ ସଚେତନତା
ରାତି ୮ଟା ଯାଏଁ ଅଚଳାବସ୍ଥା

ଆଜି ସବୁଠୁ ବେଶି ପ୍ରଭାବିତ ହୋଇଥିଲେ ରେଳଯାତ୍ରୀ। ଭୁବନେଶ୍ବରରୁ ଟ୍ରେନ୍‌ ଧରିବାକୁ ଥିବା ପ୍ରାୟ ଶହେରୁ ଅଧିକ ଯାତ୍ରୀ ଆଜି ଟ୍ରେନ୍‌ ଫେଲ୍‌ ହୋଇଥିବା ଜଣାପଡ଼ିଛି। ରାମମନ୍ଦିର ଛକରୁ କିମ୍ବା ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଯାଇନପାରି ସେମାନେ ଟ୍ରେନ୍‌ ଫେଲ୍‌ ହୋଇଥିବା ଜଣାପଡ଼ିଛି। ସେହିଭଳି କିଛି ଯାତ୍ରୀ ବଡ଼ କଲବଲ ହୋଇ ପିଲାଛୁଆଙ୍କୁ ଧରି ଗଳିକନ୍ଦିରେ ଚାଲିଚାଲି ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଛନ୍ତି। କିଛି ରୋଳଯାତ୍ରୀ ଗାଡ଼ିଭଡ଼ା ବାବଦରେ ଅଧିକ ଟଙ୍କା ଗଣି ରାଜମହଲ ଛକରୁ କଳ୍ପନା ଛକ ଦେଇ ଏବଂ ରାମମନ୍ଦିର ଛକରୁ ଲକ୍ଷ୍ମୀସାଗର ଫ୍ଲା‌ଏଓଭର ବ୍ରିଜ୍‌ ଦେଇ କଟକରୋଡ୍‌ ବାଟେ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେହିଭଳି ଗଣଧାରଣା କଟକଣା ପାଇଁ ଏହି ରୁଟ୍‌ରେ ମୋ’ ବସ୍‌ ସେବା ବନ୍ଦ ହୋଇଥିବାରୁ ରେଳଯାତ୍ରୀମାନେ ଆହୁରି ହଇରାଣ ହୋଇଥିଲେ।

ଯେଉଁମାନେ ଭୁବନେଶ୍ବର ଷ୍ଟେସନରେ ଓହ୍ଲାଇଥିଲେ, ସେମାନେ ଘରକୁ କିମ୍ବା ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ କୌଣସି ଗାଡ଼ି ପାଇନଥିଲେ। ‌ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଅଟୋ କି ଟାକ୍ସି ମିଳିନଥିବା ବେଳେ ମୋ’ ବସ୍‌ ସେବା ବି ନଥିଲା। ଏମିତିକି କିଛି ଲୋକ ଘର ଲୋକଙ୍କୁ ଫୋନ୍‌ କରି ଡକାଇଲେ ବି ସେମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପହଞ୍ଚିବା ବାଟନଥିଲା। ତେଣୁ ସେମାନେ ମଧ୍ୟ କଟକରୋଡ୍‌ ଦେଇ ଫେରିବାକୁ ବାଧ୍ୟ ହୋଇଥିଲେ। ଫଳରେ କଟକରୋଡ୍‌ରେ ବି ରାସ୍ତା ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅବଶ୍ୟ ଏହି ରୁଟ୍‌ରେ ଆମ୍ବୁଲାନ୍‌ସ ଚଳାଚଳ ପାଇଁ କୌଣସି ପ୍ରତିବନ୍ଧକ ନଥିଲା। କିନ୍ତୁ ରାଜମହଲ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଲାଗି ଏଭଳି ଅସମ୍ଭାଳ ଭିଡ଼ ହୋଇଥିଲା ଯେ ଆମ୍ବୁଲାନ୍‌ସ ଫସି ଯାଇଥିଲା।

ସକାଳ ୭ଟାରୁ ସଂଗଠନମାନେ ଧାରଣାସ୍ଥଳରେ ପହଞ୍ଚି ଶୋଭାଯାତ୍ରା ଆରମ୍ଭ କରିଥିଲେ। ସାଢ଼େ ୧୨ଟା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ଶୋଭାଯାତ୍ରା ଚାଲିଥିଲା। ଶିକ୍ଷକ ସଂଘ, ଅମଲା ସଂଘ, ସିଟୁ ଓ ପୂର୍ବରୁ ସେଠାରେ ଧାରଣା ଦେଉଥିବା ଏକାଧିକ ସଂଗଠନର ପ୍ରାୟ ୫୦ରୁ ୭୦ହଜାର ବିକ୍ଷୋଭକାରୀ ଏକାଠି ହୋଇ ବିଧାନସଭା ଆଡ଼କୁ ମାଡ଼ି ଯାଇଥିଲେ। ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାରେ ପୁଲିସ ବ୍ୟାରିକେଡ୍‌ କରି ସେମାନଙ୍କୁ ଅଟକାଇଥିଲା। ତେଣୁ ବ୍ୟାରିକେଡ୍‌ଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଗାନ୍ଧୀମାର୍ଗ ସରକାର ବିରୋଧୀ ସ୍ଲୋଗାନ୍‌ରେ ଫାଟି ପଡୁଥିଲା।

ଶୌଚାଳୟରୁ ପାଣି ସରିଗଲା

ଆଜି ଆନ୍ଦୋଳନରେ ପୁରୁଷଙ୍କ ଅପେକ୍ଷା‌ ମହିଳାଙ୍କ ସଂଖ୍ୟା ଅଧିକ ଥିଲା। ସକାଳ ୭ରୁ ସେମାନଙ୍କୁ ଏହି ଧାରଣାସ୍ଥଳରେ ରହିବାକୁ ପଡ଼ିଥିଲା। ଲୋୟର ପିଏମ୍‌ଜିରେ ଏକ ମାତ୍ର ଶୌଚାଳୟ ରହିଛି। ଏହି ଶୌଚାଳୟକୁ ଯିବାକୁ ଥିବା ରାସ୍ତାକୁ ପୁଲିସ ବ୍ୟାରକେଡ୍‌ ପକାଇ ବନ୍ଦ କରିଦେଇଛି। ଆନ୍ଦୋଳନସ୍ଥଳରେ ଶୌଚାଳୟ କି ପରିସ୍ରାଗାର ନଥିଲା। ଫଳରେ ଜନପଥରେ ଥିବା ଶୌଚାଳୟରେ ଭିଡ଼ ହୋଇଥିଲା। କିନ୍ତୁ ସେଠାରେ ପାଣି ସରିଯା‌ଇଥିଲା। ସାରା ଦିନ ଆନ୍ଦୋଳନକାରୀ କଲବଲ ହୋଇଥିଲେ।

ଶୀତକାକରରେ ଶୋଇଲେ ଶିକ୍ଷକ ଶିକ୍ଷୟିତ୍ରୀ

ଆନ୍ଦୋଳନ ଆଗକୁ ଜାରି ରହିବାକୁ ଥିବାରୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଲୋୟର୍‌ ପିଏମ୍‌ଜିରେ ଶୀତକାକରରେ ରାତି କାଟିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଫେରିଯିବାକୁ ଥିଲେ ହେଁ ଗାଡ଼ି ନମିଳିବାରୁ ସେଇଠି ଅଟକିବାକୁ ବାଧ୍ୟ ହୋଇଛନ୍ତି।

ମୋବାଇଲ୍‌ ଜାମ୍‌

ହଜାର ହଜାର ଲୋକ ଗୋଟିଏ ଜାଗାରେ ଏକାଠି ହେବା ଫଳରେ ଏଠାରେ ସମସ୍ତ ମୋବାଇଲ୍‌ ନେଟ୍‌ୱର୍କ ଜାମ୍‌ ହୋଇ ଯାଇଥିଲା। କୌଣସି ମୋବାଇଲ୍‌ କମ୍ପାନିର ନେଟ୍‌ୱର୍କ କାମ କରୁନଥିଲା। ରାତି ୮ଟା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିଲା। ଫଳରେ ବିକ୍ଷୋଭକାରୀମାନେ ନିଜ ନିଜ ଭିତରେ ଯୋଗାଯୋଗ ରଖିବାକୁ ସମସ୍ୟାରେ ପଡ଼ିଥିଲେ।

ମୋ’ ବସ୍‌ ଠପ୍‌

ଆଜି ସକାଳୁ ମାଷ୍ଟରକ୍ୟାଣ୍ଟିନ୍‌ ମୋ’ ବସ୍‌ ରହଣିରୁ ବସ୍‌ ସବୁ ବାହାରି ଯିବା ପରେ ଆଉ ଫେରିପାରିନଥିଲେ। ୫୦ରୁ ଊର୍ଦ୍ଧ୍ବ ମୋ’ ବସ୍‌ ରାଜମହଲ ଫ୍ଲାଏଓଭର ବ୍ରିଜ୍‌ ଓ ମଧୁସୂଦନ ମାର୍ଗ(ପ୍ରଦର୍ଶନୀ ପଡ଼ିଆ ସାମ୍ନା)ରେ ଛିଡ଼ା ହୋଇରହିଥିଲେ। ଏଣେ କଟକଣା ବାବଦରେ ଲୋକେ ଜାଣିନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ଗଳିକନ୍ଦିରେ ଚାଲୁଥିବା ଅଟୋ ଉପ‌ରେ ନିର୍ଭର କରିଥିଲେ।

ଖାଇବାକୁ ମିଳିଲାନି

ଆଜି ଆନ୍ଦୋଳନକାରୀମାନେ ଖାଇବା ପାଇଁ ବାରଦୁଆର ହୋଇଥିଲେ। ୯୦ ଟଙ୍କାରେ ବିକ୍ରି ହେଉଥିବା ବିରିୟାନୀ ୨ଶହ ଟଙ୍କା ହୋଇଯାଇଥିଲା। ଶେଷକୁ ତାହା ବି ସରିଯାଇଥିଲା। କେତେକ ଚାଳି ହୋଟେଲ ଭିଡ଼ ହେବାରୁ ଦୁଆର ବନ୍ଦ କରି ଦେଇଥିଲେ। ଜଳଖିଆ ବି ଯଥେଷ୍ଟ ନଥିଲା। ଫଳରେ ହଜାର ହଜାର ଆନ୍ଦୋଳନକାରୀ ଖାଇବାକୁ ପାଇନଥିଲେ।

୨୯ ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ୪ଟି ସଂଗଠନ ବିକ୍ଷୋଭ କରିବେ ବୋଲି ଆମେ ଅବଗତ ଥିଲୁ। ଆଇନ୍‌ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ୧୨ ପ୍ଲାଟୁନ୍‌ ଅର୍ଥାତ ମୋଟ୍‌ ୩୨ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ୭୦ରୁ ଅଧିକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଆଗକୁ ଅର୍ଥାତ ୨୯ ତାରିଖ ପର୍ଯ୍ୟନ୍ତ ମଧ୍ୟ ଏଭଳି ସ୍ଥିତି ଲାଗିରହିବ। ତେଣୁ ଏହି ସମୟରେ ରାମମନ୍ଦିର ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାରେ କଟକଣା ଲଗାଯାଇଛି। ସ୍ଥାନୀୟ ଲୋକ କନେକ୍ଟିଂ ରୋଡ୍‌କୁ ବ୍ୟବହାର କରିବା ସହ ରାମମନ୍ଦିର ପଟୁ ରାଜମହଲ ଆଡ଼କୁ ଆସୁଥିବା ଲୋକମାନେ ହାଉସିଂବୋର୍ଡ ରାସ୍ତା ଦେଇ ଯାଇପାରିବେ। ସେହିପରି ରାଜମହଲ ପଟୁ ରାମମନ୍ଦିର ଆଡ଼କୁ ଆସୁଥିବା ଲୋକ ଏଜି ଛକ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

ସମ୍ବନ୍ଧିତ ଖବର