ଲୋୟର ପିଏମ୍‌ଜିରେ ଆନ୍ଦୋଳନକାରୀଙ୍କ ମେଳି: ଦିନରେ ବିକ୍ଷୋଭ, ସଂଧ୍ୟାରେ ବଜାର ବୁଲା

ଭୁବନେଶ୍ବର : ବିଭିନ୍ନ ଦାବି ନେଇ ଏକାଧିକ ସଂଗଠନ ଲୋୟର ପିଏମ୍‌ଜିରେ ଡେରା ପକାଇଛନ୍ତି। କଂଗ୍ରେସ ଭବନ ପାଖରୁ ଆରମ୍ଭ କରି ଲୋୟର ପିଏମ୍‌ଜି ଯାଏ ପୂରା ରାସ୍ତାକୁ କବ୍‌ଜା କରି ନେଇଛନ୍ତି। ଗୋଟିଏ ଗୋଟିଏ ସଂଗଠନ ମାସ ମାସ ଧରି ଆନ୍ଦୋଳନ କରୁଥିବା ବେଳେ ଆଉ କିଛି ସଂଗଠନ ସପ୍ତା‌ହେ ହେଲା ସେମାନଙ୍କ ସହ ଯୋଗ ଦେଇଛନ୍ତି। ୟା’ ସାଙ୍ଗକୁ ୩ ଦିନ ତଳୁ ଆରମ୍ଭ ହୋଇଥିବା ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ, ରାଜଧାନୀକୁ ପୂରା ରୁନ୍ଧି ଦେଲାଣି। ହଠାତ୍‌ ରାଜଧାନୀରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ି ଯାଇଥିବାରୁ ସହରବାସୀ ଓ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ମାଷ୍ଟକ୍ୟାଣ୍ଟିନ୍‌ ଛକରୁ ଏପଟେ ରାଜମହଲ ଓ ସେପେଟ ରାମମନ୍ଦିର ଛକ ପର୍ଯ୍ୟନ୍ତ ଅସମ୍ଭାଳ ଗହଳି ହେଉଛି। ବିଶେଷକରି ଲୋୟର୍‌ ପିଏମ୍‌ଜିକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକରେ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏପରିକି ଗଳିକନ୍ଦିରେ ରାସ୍ତାରେ ବି ଯିବା ଆସିବା ମୁସ୍କିଲ ହୋଇପଡ଼ୁଛି। ଏହି ଅବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ବାସିନ୍ଦା ନାକରେ କାନ୍ଦୁଛନ୍ତି। ଥରେ ଘରୁ ପଦାକୁ ଗୋଡ଼ କାଢ଼ିଲେ, ଫେରିବା ପାଇଁ ସେମାନଙ୍କୁ ନାନା କସରତ କରିବାକୁ ପଡ଼ୁଛି।
ଆଉ ଏକ କଥା ହେଲା, ବିକ୍ଷୋଭକାରୀମାନେ ଦିନରେ ବିକ୍ଷୋଭସ୍ଥଳରେ ସରକାରଙ୍କ ବିରୋଧରେ ଗର୍ଜନତର୍ଜନ କରୁଥିବା ବେଳେ ସଂଧ୍ୟା ହେଲେ ଆଖପାଖ ବଜାରଘାଟ ବୁଲୁଛନ୍ତି। ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି। ସେହିପରି ମାର୍କେଟ୍‌ ବିଲ୍‌ଡିଂ, ବାପୁଜୀ ନଗର, ଅଶୋକନଗର ଆଦି ମାର୍କେଟ୍‌ରେ ବୁଲି କିଣାକିଣି କରୁଛନ୍ତି। ଦୂରଦୂରାନ୍ତରୁ ଆସିଥିବାରୁ ଭୁବନେଶ୍ବରର ରଙ୍ଗିନ୍‌ ସଂଧ୍ୟାକୁ ଉପଭୋଗ କରିବାର ମୌକା କେହି ଛାଡ଼ିବାକୁ ଚାହୁନାହାନ୍ତି। ଫଳରେ ଏହି ସବୁ ସ୍ଥାନରେ ହଠାତ୍‌ ଗହଳି ବଢ଼ି ଯାଉଛି ଓ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି।

ବିକ୍ଷୋଭସ୍ଥଳ ମିନି ବାଲିଯାତ୍ରା
ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଲୋୟର୍‌ ପିଏମ୍‌ଜିରେ ମେଳି ହୋଇଥିବା ବେଳେ ସେଠାରେ ବେପାରୀଙ୍କ ବେପାର ଜମୁଛି। ବିକ୍ଷୋଭସ୍ଥଳରେ ଆଳୁଦମ୍‌-ଦହିବରା, ବରା-ଘୁଗୁନି, ଆଇସକ୍ରିମ୍‌, ଗୁପଚୁପ୍‌ ଭଳି ଭଳିକିଭଳି ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ସେଓ, କମଳା, ପିଜୁଳି ଭଳି ଫଳ ଦୋକାନୀ ପସରା ମେଲାଇଛନ୍ତି। ସେହିପରି ଚୁଡ଼ି, ଶାଢ଼ି, ଶୀତ ପୋଷାକ ଓ ପିଲାଙ୍କ ପାଇଁ ବିଭିନ୍ନ ମନୋହରି ଜିନିଷ ବିକ୍ରି ହେଉଛି। ସତେଯେମିତି ବିକ୍ଷୋଭ ନୁହେଁ, ବାଲିଯାତ୍ରା ଚାଲିଛି।

ପରିସ୍ରା ଗନ୍ଧରେ ଗନ୍ଧଉଛି ଖଣ୍ଡମଣ୍ଡଳ
ଗାନ୍ଧୀ ମାର୍ଗରେ ଥିବା ଗୋଟିଏ ମାତ୍ର ସର୍ବସାଧାରଣ ଶୌଚାଳୟ ରହିଛି। କିନ୍ତୁ ପୁଲିସ୍‌ ତାକୁ ବି ବ୍ୟାରିକେଡ୍‌ ପକାଇ ବନ୍ଦ କରିଦେଇଛି। ତେଣୁ ବିକ୍ଷୋଭକାରୀମାନେ ଏଣେତେଣେ ଯୁଆଡ଼େ ପାରିଲେ, ପରିସ୍ରା କରିଦେଉଛନ୍ତି। ବିଶେଷକରି ବିକ୍ଷୋଭସ୍ଥଳର ଦୁଇକଡ଼ରେ ଥିବା ମନ୍ତ୍ରୀ, ବିଧାୟକ ଓ ବଡ଼ବଡ଼ ଅଧିକାରୀଙ୍କ ସରକାରୀ ବାସଭବନ ଆଗରେ ପରିସ୍ରା କରିଦେଉଛନ୍ତି। ଫଳରେ ପୂରା ଖଣ୍ଡମଣ୍ଡଳ ପରିସ୍ରା ଗନ୍ଧରେ ଫାଟି ପଡ଼ୁଛି। ଟ୍ରାଫିକ୍‌ ସମସ୍ୟା ସାଙ୍ଗକୁ ଏ ପରିସ୍ରା ଦୁର୍ଗନ୍ଧ ବଡ଼ ଉତ୍କଟ ସ୍ଥିତି ସୃଷ୍ଟି କରୁଛି। ଲୋକେ ନାକରେ ହାତ ଦେଇ ଯିବା ଆସିବା କରୁଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଏଠାରେ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ଶୀତ କାକରରେ ବିତୁଛି ରାତି
ଆଖ ପାଖର ଆନ୍ଦୋଳନକାରୀ ମାନେ ଘରକୁ ଯାଇ ତା’ ପର ଦିନ ଆସି ସକାଳୁ ଆସି ଆନ୍ଦୋଳନରେ ପୁନଃ ଯୋଗ ଦେଉଛନ୍ତି। ସେହିପରି ଆଉ କିଛି ଆନ୍ଦୋଳନକାରୀ ରାତି ବିତାଇବା ପାଇଁ ଭୁବନେଶ୍ବରରେ ରହୁଥିବା ବନ୍ଧୁବାନ୍ଧବ କିମ୍ବା ଛୋଟମୋଟ ହୋଟେଲ, ଲଜ୍‌ରେ ରହି ଯାଉଛନ୍ତି। କିନ୍ତୁ ଏ ଦୁଇ ପ୍ରକାରର ସୁବିଧା ନଥିବା ଆନ୍ଦୋଳନକାରୀ ଖୋଲା ଆକାଶ ତଳେ ଶୀତ କାକରରେ ସେମିତି ଗାନ୍ଧୀ ମାର୍ଗରେ ପଡ଼ି ରହୁଛନ୍ତି।

ସମ୍ବନ୍ଧିତ ଖବର