‘ଅଗ୍ନି’ ଓ ‘ଭାଷା’ ସଭ୍ୟତାର ଦୁଇ ବିସ୍ମୟକର ଉଦ୍ଭାବନ: ‌ଭୁବନେଶ୍ବରୀ, ଦେବାଶିଷଙ୍କ ସମେତ ୧୦ ଲେଖକଙ୍କୁ ‘ପେନ୍‌-ଇନ୍-ବୁକ୍ସ ଯୁବ ଲେଖକ ପୁରସ୍କାର’

ଭୁବନେଶ୍ବର: ସଭ୍ୟତାର ଦୁଇଟି ବଡ଼ ବିସ୍ମୟକର ଉଦ୍ଭାବନ ହେଉଛି ‘ଅଗ୍ନି’ ଓ ‘ଭାଷା’। ‘ଅଗ୍ନି’ର ସୃଷ୍ଟି ଆକସ୍ମିକ ହୋଇଥିବା ବେଳେ ‘ଭାଷା’ ସୃଷ୍ଟି ପାଇଁ ହଜାର ହଜାର ବର୍ଷ ଲାଗିଛି। ସେହି ଭାଷାରୁ ଶବ୍ଦ ସାଉଁଟି, ତାକୁ ଆଗକୁ ନେବାର ଦାୟିତ୍ୱ ହେଉଛି ଲେଖକଙ୍କର ବୋଲି ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ମତବ୍ୟକ୍ତ କରିଛନ୍ତି। ‘ପେନ୍ଇନ୍ ବୁକ୍ସ ପ୍ରକାଶନୀ’ ପକ୍ଷରୁ ହୋଟେଲ ଶୀତଲ୍‌ଠାରେ ଆୟୋଜିତ ୨୦୨୨ ମସିହା ନିମନ୍ତେ ‘ଯୁବ ଲେଖକ ପୁରସ୍କାର’ ସମାରୋହରେ ଡ. ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଯୁବପିଢ଼ିଙ୍କ ଭିତରେ ସକରାତ୍ମକ ଭାବ ରହିବା ଅତ୍ୟନ୍ତ ଜରୁରୀ। ଆଶା ହିଁ ‘ସାହିତ୍ୟ’ର ବଡ଼ ଉପଲବ୍ଧି। କରୁଣା ଓ ପ୍ରତିବାଦ ନରହିଲେ, ସାହିତ୍ୟ ରୁଚିବୋଧ ହୁଏନାହିଁ। ସେ ପୁଣି କହିଛନ୍ତି ଯେ ସମାଜ ସହ ଲେଖକମାନଙ୍କର ସମ୍ପୃକ୍ତି ଜରୁରୀ। ବାସ୍ତବତା ଓ କଳ୍ପନା ମିଶିଲେ ସାହିତ୍ୟ ସୃଷ୍ଟି ହୋଇଥାଏ। ସହଜ ସିଦ୍ଧିର ଗ୍ରହଣୀୟତା ବେଶି ଦିନ ରୁହେନାହିଁ ବୋଲି ଡ. ରାୟ ଏହି ଅବସରରେ ଯୁବ ଲେଖକମାନଙ୍କୁ ଉ‌ପଦେଶ ଛଳରେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କବୀ ଗାୟତ୍ରୀବାଳା ପଣ୍ଡା ଯୋଗ ଦେଇଥିଲେ।

ଆଜି ପ୍ରକାଶନୀ ସଂସ୍ଥାର ଷଷ୍ଠ ସଂସ୍କରଣରେ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀ ଦ୍ୱାରା ୧୦ଟି ପାଣ୍ଡୁଲିପିକୁ ଯୋଗ୍ୟ ବିବେଚିତ କରାଯାଇଥିଲା। ଏଥିମଧ୍ୟରେ ୪ଟି ଉପନ୍ୟାସ, ୩ଟି କବିତା ସଂକଳନ ଓ ୨ଟି ଗଳ୍ପ ସଂକଳନ ଥିବା ବେଳେ ଗୋଟିଏ ପ୍ରବନ୍ଧ ସଂକଳନ ରହିଛି। ଉପନ୍ୟାସ ପ‌ାଣ୍ଡୁଲିପି ‘ଯୁଯୁତ୍ସା’ ପାଇଁ ଅଳଙ୍କାର ଆଚାର୍ଯ୍ୟ, ଉପନ୍ୟାସ ପାଣ୍ଡୁଲିପି ‘ନିରବତା’ ପାଇଁ ସୋନାଲି ଗଡ଼ନାୟକ, ଉପନ୍ୟାସ ପାଣ୍ଡୁଲିପି ‘ନହକା ଆକାଶ’ ପାଇଁ ବିଭୁ ହୋତା, ଗଳ୍ପ ପାଣ୍ଡୁଲିପି ‘ଜୀବନର ଚଉହଦି’ ପାଇଁ ଭୁବନେଶ୍ୱରୀ ପଣ୍ଡା, ପ୍ରବନ୍ଧ ପାଣ୍ଡୁଲିପି ‘ବାଧିଲା ଜାଣି କ୍ଷମା’ ପାଇଁ ନିଖିଳେଶ ମିଶ୍ର, କବିତା ପାଣ୍ଡୁଲିପି ‘ଗୃହବନ୍ଦୀରେ ଈଶ୍ୱର’ ପାଇଁ ରୂପେଶ ସାହୁ, ଗୀତିକବିତା ପାଣ୍ଡୁଲିପି ‘ସୂଚୀପତ୍ର’ ପାଇଁ ବିନୟ ଭୂଷଣ ମହାପାତ୍ର, ଗଳ୍ପ ପାଣ୍ଡୁଲିପି ‘ଆକାଶର ସହଯାତ୍ରା’ ପାଇଁ ସ୍ମୃତିଲଗ୍ନା ନନ୍ଦ, ଉପନ୍ୟାସ ପାଣ୍ଡୁଲିପି ‘ମୁକ୍ତା’ ପାଇଁ ଦେବାଶିଷ ପଣ୍ଡା ଓ କବିତା ପାଣ୍ଡୁଲିପି ‘ରମାଦେବୀରେ ବର୍ଷା’ ପାଇଁ ସ୍ୱୟଂ ସମ୍ପର୍ଣ୍ଣା କରଙ୍କୁ ‘ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର’ ପ୍ରଦାନ କରାଯାଇଥିଲା।

ଏଥିସହ ଏହି ଅବସରରେ ୫ମ ସଂସ୍କରଣରେ ପୁରସ୍କୃତ ଯୁବ ଲେଖକମାନଙ୍କ ପୁସ୍ତକଗୁଡ଼ିକ ଉନ୍ମୋଚିତ ହୋଇଥିଲା। ସେଥିରେ ଡ. ଭାରତ ଭୂଷଣ ରଥଙ୍କ ‘ଲଳିତା’, ତାପସ ରଞ୍ଜନ ରାଉତଙ୍କ ‘ବିଦାୟ ବେଳାର ସୂର୍ଯ୍ୟ’, ଦୀପିକା ଦାଶଙ୍କ ‘ବିବିଧ’, ରଜତ କୁମାର ମିଶ୍ରଙ୍କ ‘ଅସମାହିତ ପ୍ରଶ୍ନ’, ଶବନମ୍ ଆଦେନୀଙ୍କ ‘ବିଖ୍ରେ ଖୟାଲୋଁ କେ ଇନ୍ଦ୍ରଧନୁଷ’, ସମୀର କୁମାର କଳସଙ୍କ ‘ଦେଶ ଶୋଇଛି ଫୁଙ୍ଗୁଳା ଆକାଶ ଛାଇରେ’, ବିମଳ କୁମାର ରାଉଳଙ୍କ ‘ଈଶ୍ୱର ଓ ଅନ୍ୟାନ୍ୟ ଗଳ୍ପ’, ପ୍ରଶାନ୍ତ କୁମାର ଦାଶଙ୍କ ‘ମା’ ମୋତେ କ୍ଷମା କରିଦେବୁ’, ଶ୍ରୀମା ଶତପଥୀଙ୍କ ‘ପ୍ରେମ ଆଉ କ’ଣ କି?’ଓ ଡ. ପ୍ରିୟଦର୍ଶୀ ପ୍ରହରାଜଙ୍କ ‘ଆନ୍‌ଜାଇଟି ହୋଆକ୍ସ ଆଣ୍ଡ୍‌ ଅଦର୍ ପୋଏମ୍ସ୍‌’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ କଥାଶିଳ୍ପୀ ତଥା ପେନ୍‌ଇନ୍‌ ବୁକ୍ସର ନିଦ୍ଦେର୍ଶକ ଶୁଭ୍ରାଂଶୁ ପଣ୍ଡା। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର