ଖଣ୍ଡଗିରି: ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟ ଏବଂ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ବ୍ରୋଡବ୍ରିଜ୍ ଇଣ୍ଡିଆର ମାନବ ସମ୍ବଳ ମୁଖ୍ୟ ରିତୁ ରାଖରା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ବୁଝାମଣା ଅନୁଯାୟୀ ସୋଆ ଓ ବ୍ରୋଡବ୍ରିଜ୍ ସହଭାଗିତା ଭିତ୍ତିରେ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶିଳ୍ପ ସମ୍ବନ୍ଧୀୟ କର୍ମଶାଳା, ବିଶେଷଜ୍ଞମାନଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଏବଂ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ ମିଳିବ। ଏହି ସହଭାଗିତା ଦ୍ୱାରା ଶିଳ୍ପ କ୍ଷେତ୍ରରେ ସୋଆର ସହଯୋଗକୁ ପ୍ରତିପାଦିତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଦିଗରେ ସାହାଯ୍ୟ କରିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି। ଶ୍ରୀମତି ରାଖରା କହିଥିଲେ ଯେ, ସୋଆ ସହିତ ବୁଝାମଣା ଫଳରେ ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଅଧିକ ଯୋଡ଼ି ହୋଇ କାର୍ଯ୍ୟ କରିବ। ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜ୍‌ମେଣ୍ଟର ନିର୍ଦ୍ଦେଶକ ରୀପ୍ତି ରଞ୍ଜନ ଦାଶ କହିଛନ୍ତି, ଆଇଟି ଓ ତତ୍‌ସଂଲଗ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ନିମନ୍ତେ ସୋଆ ନିୟମିତ ଭାବରେ ଏଭଳି ସହଭାଗିତା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏଥି ସହିତ ବ୍ରୋଡବ୍ରିଜ୍‌ର ପ୍ରତିନିଧି ସୋଆର ଛାତ୍ରଛାତ୍ରୀମାନଙ୍କ ସହିତ ଆର୍ଥିକ କ୍ଷେତ୍ର ସହିତ ନିଯୁକ୍ତି ସୁଯୋଗ ଏବଂ ଆବଶ୍ୟକୀୟ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ।