ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଗ୍ରି-ବିଜ୍ନେସ୍ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଖୋଲିବ। ସେଲ୍ଫ ଫାଇନାନ୍ସିଂ ମୋଡ୍ରେ ଖୋଲିବାକୁ ଥିବା ଏହି ଦୁଇବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ୪୮ଟି ସିଟ୍ ଲାଗି ବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଥିବା ବେଳେ ବାର୍ଷିକ ଫି’ ୬୦ ହଜାର ଟଙ୍କା ରହିଛି। ଏହି ପାଠ୍ୟକ୍ରମ ପାଇଁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏମ୍/ଏସ୍ ୟୋର୍ସ ଟ୍ରଷ୍ଟ ସହ ରାଜିନାମା ସ୍ବାକ୍ଷରିତ କରିବେ।
ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିର୍ଦେଶାବଳୀ ଅନୁଯାୟୀ ପାଠ୍ୟକ୍ରମ ଖୋଲିବ। ରାଜସ୍ବ ବଣ୍ଟନ ୩୦:୭୦ ଢାଞ୍ଚାରେ କଲେଜ ଓ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ହେବ। କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଢ଼ା ହେବାକୁ ଥିବା ଚୟନ କମିଟି ରିସୋର୍ସ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବେ। ଏହି ପାଠ୍ୟକ୍ରମ ଚଲାଇବା ପାଇଁ ଆବଶ୍ୟକ କର୍ମଚାରୀ ବାବଦରେ ରାଜ୍ୟ ସରକାର କୌଣସି ଅର୍ଥ ଦେବେ ନାହିଁ।