ଓୟୁଏଟିରେ କୃଷି କର୍ମଶାଳା

ଭୁବନେଶ୍ୱର : ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ବିଷୟରେ ଅବଗତ କରାଇବା ଆବଶ୍ୟକ। ଆମ ରାଜ୍ୟର ଭୌଗୋଳିକ ସ୍ଥିତି, ପାଣିପାଗ ଓ ସବୁଠାରୁ ଗରୁତ୍ୱପୂର୍ଣ୍ଣ ଚାଷ ଜମିର ସ୍ଥିତିକୁ ନଜରରେ ରଖି ଭଲ ଅମଳ ପାଇଁ କୃଷକମାନଙ୍କୁ ଉଚିତ ସମୟରେ ପରାମର୍ଶ ଦେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବେଙ୍ଗାଲୁରର ସି-ସ୍ୟାଗ ଏବଂ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ଏକ କର୍ମଶାଳା ଓୟୁଏଟି ପରିସରରେ ଆୟୋଜିତ ହୋଇଯାଇଛି।

ଓୟୁଏଟିର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସଚିବ ସୌରଭ ଗର୍ଗ, ମୁଖ୍ୟବକ୍ତା ଭାବେ ଭାରତୀୟ କୃଷି ଗବେଷଣା ପରିଷଦର ପୂର୍ବତନ ମହାନିର୍ଦ୍ଦେଶକ ଏସ୍‌ ଆୟାପାନ, ସମ୍ମାନିତ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ଭାରତୀୟ ପାଣିବାଗ ବିଭାଗର ଏସ୍‌. ସି. ଭାନ୍‌, ଓର୍‌ସାକ୍‌ର ନିର୍ଦ୍ଦେଶକ ଏସ୍‌ ତ୍ରିପାଠୀ ଓ ଓଡ଼ିଶା କୃଷି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ କୃଷକ ଯୋଗଦେଇ କୃଷି ସମ୍ବନ୍ଧୀୟ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସଭାରେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶକ ଅଧ୍ୟକ୍ଷ ପ୍ରଭାତ କୁମାର ରାଉଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ସି-ସ୍ୟାଗ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ମୁକୁନ୍ଦ କୁମାର ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଉତ୍ସବରେ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ, ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ମୁଖ୍ୟ ଓ ବୈଜ୍ଞାନିକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର